ଯୁବତୀଙ୍କୁ ଏସିଡ୍ ମାଡ଼

0

ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଶୋଭାରାମପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ରବିବାର ସକାଳେ ଏସିଡ୍ ମାଡ଼ ହୋଇଛି। ଯୁବତୀ ଜଣକ ସକାଳେ ମାଂସ କିଣିବା ପାଇଁ ଶୋଭାରାମପୁର ରେଳ ଫାଟକ ନିକଟକୁ ଯାଇଥିବା ବେଳେ ଦୁଇଜଣ ଯୁବକ ବାଇକରେ ଆସି ତାଙ୍କୁ ଅଟକାଇଥିଲେ। ସେହି ସମୟରେ ପଛରେ ବସିଥିବା ଯୁବକ ଜଣକ ବୋତଲ ଖୋଲି ଏସିଡ୍ ପକାଇଥିଲା। ଯୁବତୀ ଜଣକ ମୁହଁ ବୁଲାଇ ନେଇଥିଲେ ମଧ୍ୟ ମୁହଁର କିଛି ଅଂଶ ଓ ହାତରେ ଏସିଡ୍ ପଡ଼ିଥିଲା। ତାପରେ ଯୁବକମାନେ ପଳାଇ ଯାଇଥିଲେ। ଯୁବକ ବ୍ୟବହାର କରିଥିବା ବାଇକର ନମ୍ବର ପ୍ଲେଟରେ କନା ଗୁଡ଼ା ଯାଇଥିବା ଓ ଯୁବକ ଦୁଇଜଣ ମଧ୍ୟ ମୁହଁରେ କପଡ଼ା ଗୁଡ଼ାଇଥିବା ଯୋଗୁଁ ସେମାନଙ୍କୁ ଚିହ୍ନି ପାରିନଥିଲେ ଯୁବତୀ। ଏସିଡ୍ ପିଡ଼ୀତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ ଯୁବତୀଙ୍କ ମାମୁଁ ଥାନାରେ ଲିଖିତ ଅଭିଯୋଗ କରିଥିବା ସହଦେବଖୁଣ୍ଟା ଏସ୍ଆଇ ବବିତା ସାହୁ କହିଛନ୍ତି। ଯୁବତୀ ଜଣକ ବେସରକାରୀ ସଂସ୍ଥାରେ ଉଚ୍ଚ ପଦବୀରେ କାର୍ୟ୍ୟ କରୁଥିବା ଓ ବୃତ୍ତିଗତ ଶତ୍ରୁତା କାରଣରୁ ଏହି ଘଟଣା ଘଟିଥାଇ ପାରେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରି କହିଛି।

Leave A Reply