ଉତ୍ତରପ୍ରଦେଶ-ମହାରାଷ୍ଟ୍ରରେ ଝଡ଼ ଓ ବଜ୍ରପାତ : ୨୯ ମୃତ

0

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ମହାରାଷ୍ଟ୍ର ବିଭିନ୍ନ ପ୍ରାନ୍ତରେ ଶନିବାର ବର୍ଷା, ଧୂଳି ଝଡ଼ ଓ ବଜ୍ରପାତରେ ୨୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଦିଲ୍ଲୀ-ଏନ୍‍ସିଆରରେ ଶନିବାର ସନ୍ଧ୍ୟାରୁ ପାଣିପାଗରେ ହଠାତ୍‍ ପରିବର୍ତ୍ତନ ଘଟି ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ହୋଇଛି। ଦିଲ୍ଲୀରେ ଘଣ୍ଟାପ୍ରତି ୭୦ କିଲୋମିଟର ବେଗରେ ପବନ ବହିଛି। ଖରାପ ପାଣିପାଗକୁ ଦେଖି ଦିଲ୍ଲୀକୁ ଆସୁଥିବା ୨୭ଟି ବିମାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଉଲ୍ଲେଖ ଯେ ଶୁକ୍ରବାର ଉତ୍ତରପ୍ରଦେଶ, ବିହାର ସମେତ ୫ଟି ରାଜ୍ୟରେ ବର୍ଷା ଓ ବଜ୍ରପାତରେ ୪୮ ଜଣ ପ୍ରାଣ ହରାଇଥିଲେ। ଶନିବାର ମୌସୁମୀ ମହାରାଷ୍ଟ୍ର ମୁମ୍ବଇ, ଥାଣେ ସମେତ ଅନ୍ୟ ସ୍ଥାନକୁ ଛୁଇଁବା ପରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ବିମାନ ନିଗମ କର୍ତ୍ତୃପକ୍ଷ ଟ୍ୱିଟ୍‍ କରି ଜଣାଇଛନ୍ତି ଯେ ଶନିବାର ଝଡ଼କୁ ଦେଖି ସନ୍ଧ୍ୟା୫ରୁ ୬ ମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଆସୁଥିବା ୩୫ଟି ବିମାନକୁ ଅନ୍ୟ ବିମାନ ବନ୍ଦରକୁ ସ୍ଥାନାନ୍ତର କରାଯାଇଛି। ଶନିବାର ଉତ୍ତରପ୍ରଦେଶର ୧୧ ଜିଲାରେ ଝଡ଼ ଏବଂ ବଜ୍ରପାତରେ ୨୬ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଶନିବାର ଧୂଳିଝଡ ଓ ବଜ୍ରାପାତ ହୋଇ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସରକାରଙ୍କ ମୁଖପାତ୍ରଙ୍କ କହିବା ଅନୁଯାୟୀ ଜୈନପୁର, ସୁଲତାନପୁରରେ ୫ଜଣ ଲେଖାଏଁ ପ୍ରାଣ ହରାଇଥିବାବେଳେ ଉନ୍ନାଓରେ ୪ଜଣ, ଚାନ୍ଦୌଲି ଓ ବାହାରିଚରେ ୩ଜଣ ଲେଖାଏଁ, ରାଏ ବରେଲିରେ ୨ଜଣ, ମିର୍ଜାପୁର, ସୀତାପୁର, ଆମେଥି ଓ ପ୍ରତାପଗଡରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ମହାରାଷ୍ଟ୍ରର ଥାଣେରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ବଜ୍ରପାତରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ରବିବାର ପଞ୍ଜାବ, ବିହାର, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ଗୁଜରାତ, ଛତିଶଗଡ଼, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ପଶ୍ଚିମବଙ୍ଗ, ଓଡ଼ିଶା, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, ଜାମ୍ମୁ କାଶ୍ମୀର, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।

Leave A Reply