ଚଳିବନି ସେବକଙ୍କ ଦାଦାଗିରି

0

 ଭକ୍ତଙ୍କ ମୁକ୍ତ ଦର୍ଶନକୁ ଗୁରୁତ୍ବ

-ସେବାୟତଙ୍କ ଦାନ ଗ୍ରହଣ ଉପରେ ଅଙ୍କୁଶ        -କେନ୍ଦ୍ର-ରାଜ୍ୟକୁ ରିପୋର୍ଟ ତଲବ
-ସେବକ ପାଉଣା ଧାର୍ଯ୍ୟ କରିବେ କର୍ତ୍ତୃପକ୍ଷ        -ଜି. ସୁବ୍ରମଣ୍ୟମ୍‍ ଆମିକସ୍‍କ୍ୟୁରୀ ନିଯୁକ୍ତ
 -ଜିଲା ଜଜ୍‍ଙ୍କ ଅଧ୍ୟକ୍ଷତାରେ କମିଟି ଗଠନ         -ଚାବି ହଜିବା ପ୍ରସଙ୍ଗରେ ହସ୍ତକ୍ଷେପ ମନା

ନୂଆଦିଲ୍ଲୀ : ଏଣିକି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ସିଧା ସଂପର୍କ। ଚଳିବନି ସେବକଙ୍କ ଦାଦାଗିରି। ଶ୍ରୀମନ୍ଦିର ସେବାୟତ ଓ ସେବକଙ୍କ ଦାନ ଗ୍ରହଣ ଉପରେ ଲାଗିବ ଅଙ୍କୁଶ। କୌଣସି ଭକ୍ତ/ଶ୍ରଦ୍ଧାଳୁଙ୍କଠାରୁ ସେମାନେ ସ୍ୱାଭାବିକ କିମ୍ବା ଜୋରଜବରଦସ୍ତ ଦାନ ଦାବି କରିପାରିବେନି। ଭକ୍ତମାନେ ସେମାନଙ୍କ ଦାନ ସିଧାସଳଖ ଶ୍ରୀମନ୍ଦିର ହୁଣ୍ଡିକୁ ଦେବେ। ଏହା ଶ୍ରୀମନ୍ଦିର ତହବିଲକୁ ଯିବ। ମନ୍ଦିର ଉନ୍ନତି ଲାଗି ବିନିଯୋଗ ହେବ। ଏଣିକି ସେବାୟତଙ୍କ ଲାଗି ମନ୍ଦିର ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ପାଉଣା ଓ କ୍ଷତି ଭରଣା ବ୍ୟବସ୍ଥା କରାଯିବ। ଶ୍ରୀମନ୍ଦିର ପ୍ରଶାସନ ଏହି ବ୍ୟବସ୍ଥା କରିବ। ବିନା ବାଧାରେ ଭକ୍ତଙ୍କ ଶ୍ରୀଜୀଉଙ୍କ ଦର୍ଶନ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ସୁନିଶ୍ଚିତ କରିବେ। ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଶ୍ରୀମନ୍ଦିର ପ୍ରଶାସନକୁ ଶୁକ୍ରବାର ଉପରୋକ୍ତ ନିର୍ଦେଶ ଦେଇଛନ୍ତି।
ଦର୍ଶନାଭିଳାଷୀ କୌଣସି ଭକ୍ତ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପ୍ରତି ମନ୍ଦିର ପ୍ରଶାସନ ସ୍ୱତନ୍ତ୍ର ଭାବେ ଧ୍ୟାନ ଦେବେ। ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ ଶ୍ରୀଜଗନ୍ନାଥଙ୍କ ଭାବବେଗ ସହ ଜଡ଼ିତ ହୋଇ ଭଗବାନଙ୍କୁ ଦାନ ଆକାରରେ ବହୁ ମୂଲ୍ୟବାନ ବସ୍ତୁ ଏବଂ ଅର୍ଥଦାନ ଦେଇଥାନ୍ତି। ଏହି ଦାନ ଅର୍ଥକୁ ସେବାୟତ/ସେବକ ଆତ୍ମସାତ୍‍ ନ କରି ମନ୍ଦିର ଉନ୍ନତି କ୍ଷେତ୍ରରେ ବିନିଯୋଗ କରିବା ପାଇଁ ବିଚାରପତି ଆଦର୍ଶ କୁମାର ଗୋଏଲ ଏବଂ ବିଚାରପତି ଅଶୋକ ଭୂଷଣଙ୍କ ଗ୍ରୀଷ୍ମ ଅବକାଶ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ସେବାୟତଙ୍କ କ୍ଷତିପୂରଣ ଭରଣା ବାବଦକୁ କର୍ତ୍ତୃପକ୍ଷ ନିର୍ଦ୍ଧିଷ୍ଟ ପାଉଣା ଧାର୍ଯ୍ୟ କରିପାରିବେ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ଶ୍ରୀମନ୍ଦିରରେ ଜବରଦସ୍ତ ଦାନ ଦକ୍ଷିଣା ଆଦାୟ ଭଳି ଅନୈତିକ ପ୍ରଥାକୁ ବନ୍ଦ କରିବା, ମନ୍ଦିର ପରିସରରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଜବରଦଖଲ ପ୍ରସଙ୍ଗ ପ୍ରତି ଦୃଷ୍ଟି ଦେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ସୁପ୍ରିମକୋର୍ଟ କଡ଼ା ନିର୍ଦେଶ ଜାରି କରିଛନ୍ତି। ଶ୍ରୀମନ୍ଦିର ପରିଚାଳନା ବ୍ୟବସ୍ଥାର ଉନ୍ନତି ଏବଂ ପ୍ରଚଳିତ ବ୍ୟବସ୍ଥାର ସଂସ୍କାର ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତିନୋଟି କମିଟି ଗଠନ କରାଯାଇଛି। ପୁରୀ ଜିଲା ଦୌରା ବିଚାରପତି, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ କମିଟି ଶ୍ରୀମନ୍ଦିର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗର ଅନୁଧ୍ୟାନ କରି ଚଳିତ ଜୁନ୍‍ ୩୦ ସୁଦ୍ଧା ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବେ। ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିଚାରବିଭାଗୀୟ ତଦନ୍ତ କମିଶନ ଗଠନ ସରିଥିବାରୁ ଏହା ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।

ପୁରୀ ଜିଲା ଦୌରା ଜଜ୍‍ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭକ୍ତମାନେ ସମ୍ମୁଖୀନ ହେଉଥିବା ଅସୁବିଧା, ମନ୍ଦିର ପରିସରରେ ଅନୈତିକ ଢ଼ଙ୍ଗରେ ଜୋର ଜବରଦସ୍ତ ଅର୍ଥ ଆଦାୟ, ମନ୍ଦିର ପରିଚାଳନା ବ୍ୟବସ୍ଥାରେ ରହିଥିବା ତ୍ରୁଟି ବିଷୟରେ ସବିଶେଷ ଅନୁଧ୍ୟାନ କରି ସୁପ୍ରିମକୋର୍ଟରେ ବାସ୍ତବ ତଥ୍ୟ ଉପସ୍ଥାପନ କରିବେ। ମନ୍ଦିର ପରିଚାଳନା ବ୍ୟବସ୍ଥା ସୁଧାରିବା ପାଇଁ ପୁରୀ ଜିଲା ଦୌରାଜଜ୍‍ ଚାହିଁଲେ ନିଜ ଆଡ଼ୁ ମତାମତ ଦେଇପାରିବେ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ଆବଶ୍ୟକ ପଡ଼ିଲେ ଜିଲା ଦୌରା ଜଜ୍‍ ଶ୍ରୀଜଗନ୍ନାଥ ମନ୍ଦିର ସହ ଜଡ଼ିତ ଯେକୌଣସି ରିପୋର୍ଟ ଏବଂ ଅଧ୍ୟୟନକୁ ବ୍ୟବହାର କରିପାରିବେ ଏବଂ ଶ୍ରୀମନ୍ଦିର ପ୍ରଶାସକ ଓ ଜିଲାପାଳଙ୍କ ସହଯୋଗ ମଧ୍ୟ ଲୋଡ଼ି ପାରିବେ। କମିଟିକୁ ସମସ୍ତ ସୁବିଧା, ସୂଚନା ଯୋଗାଇ ଦେବା ସହ ଏ ସଂକ୍ରାନ୍ତ ଖର୍ଚ୍ଚ ବହନ କରିବାକୁ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପ୍ରଶାସକ ଏବଂ ପୁରୀ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ଶ୍ରୀମନ୍ଦିର ପରିସରରେ ଅଧିକ ସିସିଟିଭି କ୍ୟାମେରା ଲଗାଇବା ସହ ଲାଗିଥିବା କ୍ୟାମେରା ଗୁଡିକର ସ୍ଥାନ ବିଷୟରେ ପୁନଃ ଅନୁଧ୍ୟାନ କରିବାକୁ ଶ୍ରୀମନ୍ଦିର ପ୍ରଶାସକଙ୍କୁ ନିର୍ଦେଶ ଦିଆଯାଇଛି। ନିର୍ଦ୍ଧିଷ୍ଟ ସମୟ ସୀମାରେ ଏକ ନିରପେକ୍ଷ କମିଟି କ୍ୟାମେରାର ଫୁଟେଜ ନିୟମିତ ଯାଞ୍ଚକରି ପ୍ରତି ମାସରେ ଜିଲା ଦୌରା ଜଜ୍‍ଙ୍କୁ ଜଣାଇବେ। ଆବଶ୍ୟକ ପଡ଼ିଲେ ଜିଲା ଦୌରା ଜଜ୍‍ କୌଣସି ନିର୍ଦେଶନାମା ଜାରି କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି।
ଭକ୍ତଙ୍କ ଦାନ ପ୍ରସଙ୍ଗରେ ସେବାୟତ ମାନେ ସିଧାସଳଖ ଦାନ ରାଶି ଗ୍ରହଣ କରିବା ନେଇ ସର୍ବୋଚ୍ଚ୍‍ ନ୍ୟାୟାଳୟ ଅଙ୍କୁଶ ଜାରି କରିଛନ୍ତି। ଏଣିକି ହୁଣ୍ଡିରୁ ମିଳୁଥିବା ଦାନ ସମେତ ସମସ୍ତ ପ୍ରକାରର ଦାନ ରାଶି କୌଣସି ବ୍ୟକ୍ତି ବିଶେଷଙ୍କ ପକେଟ୍‍କୁ ନ ଯାଇ ସିଧାସଳଖ ମନ୍ଦିର ପ୍ରଶାସନ ତହବିଲକୁ ଯିବ। ଦାନ ରାଶିକୁ କିପରି କେହି ହଡ଼ପ କରି ନ ପାରିବେ ସେନେଇ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରିବ। ଏଣିକି କର୍ତ୍ତୃପକ୍ଷଙ୍କ ଧାର୍ଯ୍ୟ ମୁତାବକ ପାଉଣା ସେବାୟତ/ସେବକ ପାଇବେ ବୋଲି ସୁପିମକୋର୍ଟ କହିଛନ୍ତ। ସିସିଟିଭି କ୍ୟାମେରା ଫୁଟେଜ୍‍ ମାଧ୍ୟମରେ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଜାରି କରିଛନ୍ତି।
ସେହିପରି ଦେଶର ପ୍ରମୁଖ ଧର୍ମାନୁଷ୍ଠାନ ବୈଷ୍ଣବ ଦେବୀ, ସୋମନାଥ ମନ୍ଦିର, ତିରୁପତି ମନ୍ଦିର, ଅମୃତସର ସ୍ୱର୍ଣ୍ଣ ମନ୍ଦିର, କର୍ଣ୍ଣାଟକ ଧର୍ମଶାଳା ମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପାଇଁ ରାଜ୍ୟ ସରକାର ଏକ ବିଶେଷଜ୍ଞ କମିଟି ଗଠନ କରିବେ। ଶ୍ରୀମନ୍ଦିର ପରିଚାଳନାରେ ରହିଥିବା ତ୍ରୁଟି ସଂଶୋଧନ ସହ ସଂସ୍କାର ଆଣିବା ପାଇଁ କମିଟି ସୁପାରିସ କରିବ। କେନ୍ଦ୍ର ସରକାର ମଧ୍ୟ ଏକ କମିଟି ଗଠନ କରି ଦେଶର ଅନ୍ୟ ଧର୍ମାନୁଷ୍ଠାନ ପରିଚାଳନା ବ୍ୟବସ୍ଥା ବିଷୟରେ ତଥ୍ୟ ସଂଗ୍ରହ କରି ଖଣ୍ଡପୀଠଙ୍କୁ ଜଣାଇବେ। ତଦନୁଯାୟୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା ବ୍ୟବସ୍ଥାରେ ସଂସ୍କାର ଅଣାଯିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।
ମାମଲାରେ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମଙ୍କୁ ଆମିକ୍ୟୁସକ୍ୟୁରି ଅର୍ଥାତ୍‍ ଅଦାଲତଙ୍କ ଲାଗି ପରାମର୍ଶଦାତା ଭାବେ ନିଯୁକ୍ତି ଦିଅ।।ଯାଇଛି। ଆଡ଼ଭୋକେଟ ସୁବ୍ରମଣ୍ୟମ୍‍ କମିଟି ଗୁଡ଼ିକର ଅନ୍ତରୀଣ ରିପୋର୍ଟ ଅନୁଧ୍ୟାନ କରି ପରବର୍ତ୍ତୀ ଶୁଣାଣିରେ ନିଜ ମତ ରଖିବେ। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୫ ଅପରାହ୍ନ ୨ଟାରେ ସ୍ୱତନ୍ତ୍ର ଭାବେ କରାଯିବ ବୋଲି ସମୟ ଓ ଦିନ ଧାର୍ଯ୍ୟ ହୋଇଛି। ଶ୍ରୀମନ୍ଦିର ପ୍ରସଙ୍ଗରେ ବିଭିନ୍ନ ଅଦାଲତରେ ଚାଲିଥିବା ଏକାଧିକ ମାମଲାର ଆଇନ ଅନୁଯାୟୀ ବିଚାର ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରକାଶ ଯେ ଶ୍ରୀମନ୍ଦିରରେ ଭକ୍ତଙ୍କୁ ର୍ଦୁବ୍ୟବହାର, ଦକ୍ଷିଣା ପାଇଁ ଜୁଲମ୍‍, ଭକ୍ତଙ୍କ ସହ ମାର୍‍ପିଟ୍‍, ହୁଣ୍ଡି ଅର୍ଥ ହଡ଼ପ, ଅପରିଷ୍କାର ପରିବେଶ, ରତ୍ନ ଭଣ୍ଡାରର ଚାବି ହଜିବା, ପରିଚାଳନା ବ୍ୟବସ୍ଥାରେ ଅବ୍ୟବସ୍ଥା, ମନ୍ଦିର ମଧ୍ୟରେ ଦାଦାଗିରି, ନୀତିକାନ୍ତିର ବ୍ୟବସାୟୀକରଣ ଆଦି ପ୍ରସଙ୍ଗରେ ଆବେଦନକାରୀ ମୃଣାଳିନୀ ପାଢ଼ୀଙ୍କ ପକ୍ଷରୁ ଆଇନଜୀବୀ ଶୁଭ୍ରାଂଶୁ ପାଢୀ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି ହସ୍ତକ୍ଷେପ ଲୋଡ଼ିଥିଲେ।

Leave A Reply