ପଶୁ-ମଣିଷ ଲଢ଼େଇ : ସଚେତନତା ଓ ସମନ୍ବୟ ଆବଶ୍ୟକ

ପଶୁ-ମଣିଷ ଲଢ଼େଇର ପୁଣି ଏକ ଦୁଃଖଦ ଘଟଣାର ମୂକସାକ୍ଷୀ ହୋଇଛି ଓଡ଼ିଶାର ପୁରୀ ଜିଲା। ହାତୀ ଆକ୍ରମଣରେ ଏହି ଜିଲାରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସ୍ୱାଭାବିକ ଭାବେ ଘଟଣାକୁ ନେଇ ଜନଉତ୍ତେଜନା ଓ ବିଭାଗୀୟ ତତ୍ପରତା ପ୍ରକାଶ ପାଇଛି। କେବଳ ଓଡ଼ିଶା ନୁହେଁ, ଭାରତରେ ପଶୁ-ମଣିଷ ଲଢ଼େଇ ଏକ ସ୍ୱାଭାବିକ ଘଟଣାରେ ପରିଣତ ହୋଇଥିବାରୁ ଇତିହାସରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଅଧ୍ୟାୟ ଯୋଡ଼ି ହୋଇଚାଲିଛି। ଏହି ଲଢ଼େଇରେ କେତେବେଳେ ଜଙ୍ଗଲୀ ପଶୁ ତ କେତେବେଳେ ମଣିଷ ବଳି ପଡ଼ୁଛନ୍ତି। ଓଡ଼ିଶାରେ ଘଟିଥିବା ସଦ୍ୟତମ ଘଟଣାରେ ପଶୁ ପକ୍ଷ ଭାରି ରହିଛି ବୋଲି କୁହାଯାଇପାରେ।
ବିଡ଼ମ୍ବନା ହେଉଛି ଭାରତରେ ପଶୁ-ମଣିଷ ଲଢ଼େଇକୁ ଏକ ସ୍ୱାଭାବିକ ପ୍ରକ୍ରିୟା ଭାବେ ଧରି ନିଆଯାଇଛି। ଏହି ଲଢ଼େଇରେ ମଣିଷ ମଲେ କିମ୍ବା ସମ୍ପତ୍ତି ହାନି ହେଲେ ସରକାରୀ ଅନୁକମ୍ପା/ସହାୟତା/କ୍ଷତିଭରଣା ରାଶି ମିଳିଯାଉଛି ଏବଂ ପଶୁଙ୍କ ଜୀବନ ହାନି ହେଲେ ପଶୁ ଅଧିକାର କର୍ମୀ ଓ ପରିବେଶବିତ୍‍ମାନଙ୍କ ସ୍ୱର ଶୁଣାଯାଉଛି। ମଣିଷ ପ୍ରସ୍ତୁତ କରିଥିବା ଆଇନ୍‍ରେ ପଶୁମାନଙ୍କର ଉତ୍ତରାଧିକାରୀ ନଥିବାରୁ ସରକାରୀ ସହାୟତା ଦାବି କରାଯାଇ ପାରୁନାହିଁ। ଚିରାଚରିତ ଭାବେ ଦୁର୍ଘଟଣା ପରର କୋଳାହଳ କିଛି ଦିନ ପରେ ନିସ୍ତେଜ ହୋଇଯାଉଛି। ଅଥଚ ଏହାର ଦୀର୍ଘସ୍ଥାୟୀ ସମାଧାନ ସକାଶେ ଚିନ୍ତା କରାଯାଉନାହିଁ। ପରିବେଶବିତ୍‍ ଓ ପଶୁ ଅଧିକାର କର୍ମୀଙ୍କ ମତରେ ବିକାଶ ନାମରେ ଜଙ୍ଗଲ ହ୍ରାସ ଯୋଗୁଁ ଜଙ୍ଗଲୀ ଜନ୍ତୁଙ୍କ ଖାଦ୍ୟାଭାବ ସମସ୍ୟା ସୃଷ୍ଟି ହେଉଛି। ଏଣୁ ସେମାନେ ଜନବସତି ମୁହାଁ ହେଉଛନ୍ତି। ଏଥିପାଇଁ ମୁଖ୍ୟତଃ ମଣିଷମାନେ ହିଁ ଦାୟୀ। ଯଦି ଜଙ୍ଗଲ ସୀମାରେଖାକୁ ଊଲ୍ଲଙ୍ଘନ ନ କରିବା ପାଇଁ କଠୋର ନିୟମ ଲାଗୁ ହୁଅନ୍ତା ତେବେ ଏହି ସମସ୍ୟାର କିଛିଟା ସମାଧାନ ହୋଇପାରନ୍ତା। ଜୈବ ବିବିଧତାପୂର୍ଣ୍ଣ ଭାରତରେ ପଶୁ-ମଣିଷ ଲଢ଼େଇ ସମସ୍ୟାର ସମାଧାନ ପାଇଁ ଜଙ୍ଗଲ ସୀମା ବା ପାଚେରି ନିର୍ମାଣ ଦୀର୍ଘସ୍ଥାୟୀ ସମାଧାନର ବିକଳ୍ପ ହୋଇପାରିବ ବୋଲି ପରିବେଶବିତଙ୍କ ମତକୁ ସମ୍ପୂର୍ଣ୍ଣ ଗ୍ରହଣ କରି ହେଉ ନାହିଁ। କାରଣ ହାତୀ, ବାଘ, ଭାଲୁ ଭଳି ପଶୁଙ୍କୁ ନିର୍ଦିଷ୍ଟ ଅଞ୍ଚଳରେ ସୀମାବଦ୍ଧ କରିବା ସମ୍ଭବ ନୁହେଁ। ସହରୀକରଣ ପାଇଁ ଜଙ୍ଗଲ କ୍ଷୟ ଧାରା ଅତିବେଶିରେ ୧୦୦ ବର୍ଷ ତଳୁ ଆରମ୍ଭ ହୋଇଛି, କିନ୍ତୁ ଜନପଦରେ ଜଙ୍ଗଲୀ ଜନ୍ତୁଙ୍କ ଖାଦ୍ୟ ଅନ୍ୱେଷଣ ଏବଂ ଜଙ୍ଗଲରେ ମଣିଷଙ୍କ ଦ୍ୱାରା ପଶୁ ଶିକାର ଧାରା ବହୁ ପୁରୁଣା।
ପଶୁ-ପକ୍ଷୀଙ୍କ ସହିତ ଭାରତୀୟଙ୍କ ଧର୍ମୀୟ ଭାବନା ଜଡ଼ିତ ଥିବାରୁ ଅଷ୍ଟ୍ରେଲିୟା କିମ୍ବା ନ୍ୟୁଜିଲାଣ୍ଡ ଶୈଳୀରେ ଭାରତରେ ହାତୀ, ବାଘ, ସିଂହଙ୍କୁ ଗଣସଂହାର ମଧ୍ୟ କରାଯାଇ ପାରିବ ନାହିଁ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସଚେତନତା ଓ ସମନ୍ୱୟ ହିଁ ପ୍ରକୃଷ୍ଟ ମାଧ୍ୟମ ବୋଲି କୁହାଯାଇପାରେ। ଜନବସତି ଓ ବିଲରେ ଜଙ୍ଗଲୀ ଜନ୍ତୁଙ୍କ ପ୍ରବେଶର ସୂଚନା ଯଥେଷ୍ଟ ପୂର୍ବରୁ ମିଳିପାରିଲେ ଧନଜୀବନ ହାନି ଆଶଙ୍କା ଟଳି ଯାଆନ୍ତା। ଏ ଦିଗରେ ବନବିଭାଗର ଗୁରୁଦାୟିତ୍ୱ ରହିଛି, କିନ୍ତୁ ବର୍ତ୍ତମାନର ମାନବ ସମ୍ବଳ ଦୃଷ୍ଟିରୁ ସବୁ ସ୍ଥାନରେ ଏହି ସେବା ଯୋଗାଇବା ପାଇଁ ବନବିଭାଗ ସକ୍ଷମ ନୁହେଁ। ତେଣୁ ସମ୍ବେଦନଶୀଳ ଅଞ୍ଚଳରେ ୱାଚ୍‍ ଟାୱାର ବା ମଞ୍ଚା ନିର୍ମାଣ କରିବାର ଆବଶ୍ୟକ ରହିଛି। ସେଠାରେ ଗ୍ରାମବାସୀ ପାଳି କରି ଜଙ୍ଗଲୀ ପଶୁଙ୍କ ଗତିବିଧି ଉପରେ ଦୃଷ୍ଟି ରଖିପାରିବେ ଏବଂ ସେ ସମ୍ପର୍କିତ ତ୍ୱରିତ ସୂଚନା ଗ୍ରାମବାସୀ ଓ ବନ ବିଭାଗକୁ ଦେଇପାରିବେ। ବନ ବିଭାଗ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଓ ସହଯୋଗ ରହିଲେ ସଙ୍କଟକୁ ଅନେକାଂଶରେ ଟାଳି ଦିଆଯାଇ ପାରିବ। ବର୍ତ୍ତମାନର ମୋବାଇଲ୍‍ ଫୋନ୍‍ ଯୁଗରେ ଏହା ହିଁ ସର୍ବୋତ୍କୃଷ୍ଟ ବିକଳ୍ପ ବୋଲି ମନେ ହୁଏ।

kalyan agarbati

Comments are closed.