www.samajalive.in
Wednesday, December 10, 2025
16.1 C
Bhubaneswar

ଅଜୟ ପଟ୍ଟନାୟକଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

କଟକ : ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ଅନୂଦିତ କୃତି ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ୨୦୧୯ ମସିହାର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ। ପ୍ରଫେସର ପଟ୍ଟନାୟକ ପ୍ରାୟ ୪୦ରୁ ଊର୍ଦ୍ଧ୍ବ ପୁସ୍ତକ ରଚନା କରି ସାହିତ୍ୟ ଜଗତରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ବିଶେଷକରି ନିଜସ୍ବ ରଚନା ସହିତ ଓଡ଼ିଆରୁ ହିନ୍ଦୀକୁ ଏବଂ ହିନ୍ଦୀରୁ ଓଡ଼ିଆକୁ ଅନେକ ପୁସ୍ତକ ଅନୂଦିତ କରିଛନ୍ତି। ମରାଠୀ ପୁସ୍ତକ ‘ବନଗରବାଡୀ’ ସମେତ ହିନ୍ଦୀ ରୁ ଓଡ଼ିଆକୁ ରମାନାଥ ତ୍ରିପାଠୀଙ୍କ ‘ଶଙ୍ଖା-ସିନ୍ଦୂର’, ନରେନ୍ଦ୍ର କୋହଲିଙ୍କ ‘ଦୀକ୍ଷା’, ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ‘ଜାୟସୀ’, ନିରାଲାଙ୍କ ଉପନ୍ୟାସ ‘ବିଲ୍ଲେସୁର୍ ଛେଲିଆ’ ଆଦି ଅନୁବାଦ କରିଛନ୍ତି। ‘ମନୋଜ ଦାସ କୃତ କହାନୀ ସଂଗ୍ରହ’ ଓ ‘ପ୍ରଭଞ୍ଜନ’, ରବି ରାୟଙ୍କ ଆତ୍ମଜୀବନୀ ‘ଅନ୍ବେଷା କା ଆକାଶ’, ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ‘ମୁରଲୀ ସାହୁ କା ଦିନ’, ପ୍ରତିଭା ରାୟଙ୍କ ‘ପୁଣ୍ୟତୋୟା’, ସାତକଡ଼ି ସୋତାଙ୍କ ‘ନୀଲାଚଲ କୋ ରାସ୍ତା’, ସୁସ୍ମିତା ବାଗଚୀଙ୍କ ‘ଦେବଶିଶୁ’ ଓ ମନୋରମା ମହାପାତ୍ରଙ୍କ ‘ବନ୍ଦ ଘର କା କିବାଡ଼’ ତାଙ୍କର କେତୋଟି ହିନ୍ଦୀକୁ ଅନୂଦିତ ପୁସ୍ତକ।
୧୯୪୯ ଜୁନ୍ ୫ ତାରିଖରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ପ୍ରଫେସର ପଟ୍ଟନାୟକଙ୍କ ଜନ୍ମ। ୧୯୭୧ରେ ଆହ୍ଲାବାଦ ବିଶ୍ବବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ହେବା ପରେ ୧୯୭୪ରେ ସେଠାରୁ ଡି.ଫିଲ୍. କରିଥିଲେ। ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ୩୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ତାଙ୍କ ତତ୍ତ୍ବାବଧାନରେ ଏମ୍.ଫିଲ୍., ପିଏଚ୍.ଡି. ଓ ଡି.ଲିଟ୍. କରିଛନ୍ତି।
ସାହ​‌ିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ଭାରତ ସରକାରଙ୍କ ପକ୍ଷରୁ ‘ହିନ୍ଦୀତର ଭାଷୀ କ୍ଷେତ୍ରର ହିନ୍ଦୀ ଲେଖକ ପୁରସ୍କାର’ ଦୁଇଥର ଲାଭ କରିଛନ୍ତି। ସର୍ବଭାରତୀୟ ସ୍ତରରେ ‘ରାମକୃଷ୍ଣ ହିରଜୀମଲ ଡାଲମିୟାଁ ପୁରସ୍କାର ପାଇଛନ୍ତି। ‘ଆଚାର୍ଯ୍ୟ ରାମଚନ୍ଦ୍ର ଶୁକ୍ଳ ଶିଖର ସମ୍ମାନ’, ଇଫକୋ ଇଣ୍ଡିଆ, ଦିଲ୍ଲୀର ‘ହିନ୍ଦୀସେବୀ ସମ୍ମାନ’, ବିହାର ରାଷ୍ଟ୍ରଭାଷା ପରିଷଦ, ପାଟନାର ‘ବୟୋଜ୍ୟେଷ୍ଠ ସାହିତ୍ୟକାର ସମ୍ମାନ’, ଭାରତୀୟ ହିନ୍ଦୀ ପରିଷଦ, ଆହ୍ଲାବାଦ ର ‘ରାଜଭାଷା ସମ୍ମାନ’, ଉତ୍ତରପ୍ରଦେଶ ହିନ୍ଦୀ ସଂସ୍ଥାନ, ଲକ୍ଷ୍ନୌର ‘ସୈାହାର୍ଦ୍ଦ୍ୟ ସମ୍ମାନ’, କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରାର ‘ଗଙ୍ଗାଶରଣ ସିଂହ ପୁରସ୍କାର’, ମରିସସ୍ ର ‘ବିଶ୍ବ ହିନ୍ଦୀ ସମ୍ମାନ’ ଆଦି ପାଇଛନ୍ତି। ‘ବିକ୍ରମଶିଳା ବିଶ୍ବବିଦ୍ୟାଳୟ’ ପକ୍ଷରୁ ଡି.ଲିଟ୍‌ ପାଇଛନ୍ତି। ଓଡ଼ିଶାରୁ ସେ ପାଇଥିବା ପୁରସ୍କାର ମଧ୍ୟରେ ‘ନେତ୍ରମଣି ଅନୁବାଦ ପୁରସ୍କାର’ ଓ ‘ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର’ ଉଲ୍ଳେଖନୀୟ।
‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ରେ ମୋଟ ୨୫ଟି ଅନୂଦିତ ଗଳ୍ପ ରହିଛି। ହିନ୍ଦୀ କାହାଣୀର ଏଇ ସୁଦୀର୍ଘ ପରମ୍ପରାରୁ ଭିନ୍ନ ଭିନ୍ନ ସ୍ୱାଦର ପ୍ରତିନିଧିମୂଳକ ପଚିଶ ଜଣ ଗାଳ୍ପିକଙ୍କୁ ନେଇ ଓଡ଼ିଆ ପାଠକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରଫେସର ପଟ୍ଟନାୟକଙ୍କ ପ୍ରୟାସ ହେଉଛି ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’।
ଆଜି ନୂଆଦିଲ୍ଲୀସ୍ଥିତ ରବୀନ୍ଦ୍ର ଭବନରେ ସାହିତ୍ୟ ଏକାଡେମୀର କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରାଯାଇଛି ବୋଲି ଏକାଡେମୀର ଓଡ଼ିଆ ଭାଷା ବିଭାଗ ପରାମର୍ଶଦାତା ବୋର୍ଡର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଜଣାଇଛନ୍ତି। ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ ସମାରୋହରେ ପ୍ରଫେସର ପଟ୍ଟନାୟକ ପୁରସ୍କାର ବାବଦରେ ୫୦ ହଜାର ଟଙ୍କାର ଚେକ, ତାମ୍ରଫଳକ ଓ ଉପଢ଼ୌକନ ପାଇବେ।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories