ମିତସୁବିଶ ମାନବ ସମ୍ବଳ ଅଧିକାରୀଙ୍କୁ ଗୁଳି କଲେ ବହିଷ୍କୃତ କର୍ମଚାରୀ

0

ଗୁରୁଗ୍ରାମ : ଚାକିରିରୁ ବହିଷ୍କାର ହେବା ପରେ କ୍ଷୁବ୍ଧ ଜଣେ କର୍ମଚାରୀ ଜାପାନୀ ମୋଟର କମ୍ପାନୀ ମିତସୁବିଶର ମାନବ ସମ୍ବଳ (ଏଚ୍‍ଆର) ଅଧିକାରୀଙ୍କୁ ଗୁଳି କରିଛନ୍ତି। ମାନବ ସମ୍ବଳ ଅଧିକାରୀ ବିନେଶ ଶର୍ମା ଗୁରୁବାର ସକାଳ ୯ଟାରେ କାର୍‍ ଯୋଗେ ତାଙ୍କ କାର୍ଯ୍ୟାଳୟକୁ ଯାଉଥିବାବେଳେ ଦୁଇଜଣ ଲୋକ ଏକ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି। ଶର୍ମାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଗୁରୁଗ୍ରାମ ପୁଲିସର ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର କହିଛନ୍ତି ଯେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣଙ୍କୁ ଚିହ୍ନଟ କରାଯାଇଛି। ତାଙ୍କର ନାମ ଯୋଗୀନ୍ଦର। ମାତ୍ର ପୁଲିସ କୌଣସି ଅଭିଯୁକ୍ତଙ୍କୁ ଗିରଫ କରି ନାହିଁ। ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ କରିଛି। କର୍ମ କ୍ଷେତ୍ରରେ ବିଶୃଙ୍ଖଳିତ ଆଚରଣକୁ ନେଇ ବୁଧବାର ଯୋଗୀନ୍ଦରଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ବହିଷ୍କାର ପରେ ଯୋଗୀନ୍ଦର ଏଚଆର ମୁଖ୍ୟ ଶର୍ମାଙ୍କୁ ଧମକ ଦେଇଥିଲେ। ମାତ୍ର ଶର୍ମା ଏହାକୁ ଗୁରୁତ୍ୱ ଦେଇ ନଥିଲେ।

Leave A Reply