ସୁପ୍ରିମକୋର୍ଟ କଲେଜିୟମ୍‍କୁ ୟୁପି ମନ୍ତ୍ରୀଙ୍କ ସମାଲୋଚନା

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ପୁନଃ ବିବାଦ ମୁଣ୍ଡ ଟେକିଛି। ଉତ୍ତରପ୍ରଦେଶର ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ବିଚାରପତି ନିଯୁକ୍ତିରେ ସୁପ୍ରିମକୋର୍ଟ କଲେଜିୟମ୍‍ର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ନ୍ୟାୟପାଳିକାରେ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ସର୍ବୋଚ୍ଚ ନ୍ୟାୟାଳୟରେ ନିଯୁକ୍ତି ନିମନ୍ତେ କଲେଜିୟମ୍‍ ବିଚାରପତି ମନୋନୟନ କରିଥାଆନ୍ତି। ସମ୍ପ୍ରତି ଏହି ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ ହେଉ ନ ଥିବା ବେଳେ ପ୍ରିୟାପ୍ରୀତି ତୋଷଣ କରାଯାଉଛି। ବର୍ତ୍ତମାନ ବିଚାରପତିମାନେ କୌଣସି ଯୋଗ୍ୟ ବିଚାରପତିଙ୍କୁ ନିଯୁକ୍ତି ନ ଦେଇ ବାସ୍ତବରେ ସେମାନଙ୍କ ଦାୟାଦଙ୍କୁ ନିଯୁକ୍ତ କରୁଛନ୍ତି ବୋଲି କୁଶୱାହା ଖୋଲାଖୋଲି ଅଭିଯୋଗ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କାଲାମଙ୍କ ଉଦାହାରଣ ଦେଇ ସେ କହିଛନ୍ତି, ଯଦି ଜଣେ ଚା’ ବିକାଳିଙ୍କ ପୁଅ ପ୍ରଧାନମନ୍ତ୍ରୀ ଏବଂ ଧୀବରଙ୍କ ପୁଅ ରାଷ୍ଟ୍ରପତି ହୋଇପାରୁଛନ୍ତି, ତା’ହେଲେ କାହିଁକି ଜଣେ ଘରୋଇ ସହାୟିକାଙ୍କ ପୁଅ ବିଚାରପତି ହୋଇପାରିବେ ନାହିଁ। ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ଉଚ୍ଚାଭିଳାଷୀ ବିଚାରପତିଙ୍କ ନିମନ୍ତେ କାହିଁକି ସୁପ୍ରିମକୋର୍ଟର ଦ୍ୱାର ବନ୍ଦ ରହିଛି ବୋଲି ପାଟନାଠାରେ ଏକ କାର୍ଯ୍ୟକ୍ରମରେ କୁଶୱାହା ଉଦ୍‍ବେଗ ପ୍ରକାଶ କରିଛନ୍ତି। ସଂରକ୍ଷଣ ଯୋଗୁ ଯୋଗ୍ୟ ବ୍ୟକ୍ତିଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଲୋକେ ଏହାକୁ ବିରୋଧ କରୁଛନ୍ତି; ମାତ୍ର ଯାହା ଜଣାପଡୁଛି ସରକାର ହିଁ ଯୋଗ୍ୟତାକୁ ଅଣଦେଖା କରୁଛନ୍ତି। ଗଣତନ୍ତ୍ର ଉପରେ କଲେଜିୟମ୍‍ ଏକ କଳା ଦାଗ ବୋଲି ବିଜେପିର ସହଯୋଗୀ ଦଳ ତଥା ବିହାରର ରାଷ୍ଟ୍ରୀୟ ଲୋକ ସମତା ପାର୍ଟି (ଆର୍‍ଏଲ୍‍ଏସ୍‍ପି) ନେତା କୁଶୱାହା ଉକ୍ତ କାର୍ଯ୍ୟକ୍ରମରେ ଅଭିଯୋଗ କରିଛନ୍ତି। ଜଣେ ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କୁ ଅଥବା ଜଣେ ସାଂସଦ ପରବର୍ତ୍ତୀ ସାଂସଦଙ୍କୁ କିମ୍ବା ଜଣେ ମାଜିଷ୍ଟ୍ରେଟ୍‍ ପରବର୍ତ୍ତୀ ମାଜିଷ୍ଟ୍ରେଟ୍‍ଙ୍କୁ ନିଯୁକ୍ତ କରନ୍ତୁ ବୋଲି କେହି ଚାହିଁବେ କି? ଯଦି ନୁହେଁ, ତା’ହେଲେ ବିଚାରପତି ନିଯୁକ୍ତିରେ ଏଭଳି ବ୍ୟବସ୍ଥାକୁ କାହିଁକି ଗ୍ରହଣ କରାଯାଉଛି ବୋଲି ସେ ଟ୍ୱିଟର୍‍ରେ ମଧ୍ୟ ପ୍ରଶ୍ନ କରିଛନ୍ତି। ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ଅନୁସୂଚିତ ଜାତି/ଜନଜାତି ଏବଂ ଦଳିତ ସମ୍ପ୍ରଦାୟର ପ୍ରତିନିଧି ତଥା ମହିଳା ବିଚାରପତିଙ୍କ ସଂଖ୍ୟା କମ୍‍ ରହିବା ଏହି ପ୍ରତିଷ୍ଠାନ ପାଇଁ ଠିକ୍‍ ନୁହେଁ ବୋଲି ସେ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଭାବେ ଉତ୍ତରାଖଣ୍ଡର ବିଚାରପତି କେ. ଏମ୍‍. ଯୋଶେଫ୍‍ଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ କଲେଜିୟମ୍‍ ମଧ୍ୟରେ ଟଣାଓଟରା ଚାଲିଥିବା ପରିପ୍ରେକ୍ଷୀରେ କୁଶୱାହା ଏଭଳି ମନ୍ତବ୍ୟ ଦେଇଛନ୍ତି। ଗତ ମାସରେ ମଧ୍ୟ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତିରେ ସ୍ୱଚ୍ଛତା ଅବଲମ୍ବନ କରାଯାଉ ନ ଥିବା ସେ ଅଭିଯୋଗ କରିଥିଲେ। ଉଲ୍ଲେଖ ଯେ ପ୍ରଧାନ ବିଚାରପତି, ୪ ଜଣ ବରିଷ୍ଠ ବିଚାରପତିଙ୍କୁ ନେଇ ସୁପ୍ରିମକୋର୍ଟ କଲେଜିୟମ୍‍ ଗଠିତ। କଲେଜିୟମ୍‍ଙ୍କ ସୁପାରିସକୁ ଭିତ୍ତିକରି ରାଷ୍ଟ୍ରପତି ସର୍ବୋଚ୍ଚ ଅଦାଲତରେ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଥାଆନ୍ତି।

Leave A Reply