ଗୁଏତମାଲାରେ ଅଗ୍ନ ଉଦ୍‍ଗିରଣ; ୭୫ମୃତ

0

ଏଲୋଟେନାଙ୍ଗୋ : କେନ୍ଦ୍ର ଆମେରିକୀୟ ରାଷ୍ଟ୍ର ଗୁଏତମାଲାର ଏଲୋଟେନାଙ୍ଗୋ ନିକଟରେ ଥିବା ଫୁଏଗୋ(ଏହାର ଅର୍ଥ ଅଗ୍ନି) ଆଗ୍ନେୟଗିରିରୁ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଲାଭା ଉଦ୍‍ଗିରଣ ହେବା ଫଳରେ ୭୫ ଜଣ ପ୍ରାଣ ହରାଇଛନ୍ତି। ଆହୁରି ପ୍ରାୟ ୫୦ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ପ୍ରଶାସନ ଦ୍ୱାରା ସମ୍ପୃକ୍ତ ଅଞ୍ଚଳରୁ ୩ହଜାର ଜନତାଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ୨୦୦ରୁ ଅଧିକ ନିଖୋଜ ଥିବା ଜଣାପଡ଼ିଛି। ପାହାଡ଼ିଆ ଅଞ୍ଚଳରୁ ନିଖୋଜଙ୍କର ସନ୍ଧାନ କରାଯାଉଛି। ରବିବାରଠାରୁ ୩୭୬୩ମିଟର ଉଚ୍ଚ ଏହି ଆଗ୍ନେୟଗିରିରେ ଉଦ୍‍ଗିରଣ ହେଉଛି ଓ ଏହା ଦ୍ୱାରା ଏସ୍‍କ୍ୱିଣ୍ଟଲା, ଏଲରେଡିଓ, ସାନ୍‍ ମିଗୁଏଲ ଆଦି ସହର ସମେତ ସାତଟି ଗାଁର ପ୍ରାୟ ୨୦ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଅଦ୍ୟାବଧି ସେଠାରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ପ୍ରବଳ ଧୂଆଁ ଯୋଗୁଁ ଏଥିରେ ବାଧା ଉପୁଜିଛି। ଲାଭା ଉଦ୍‍ଗିରଣ ବଢ଼ିଚାଲିଥିବାରୁ ପ୍ରାଣ ବିକଳରେ ଲୋକେ ଯେଉଁଆଡ଼େ ସମ୍ଭବ ଚାଲିଯାଉଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଗରମ ଲାଭା, ପାଉଁଶ, ଗ୍ୟାସ୍‍ ଇତ୍ୟାଦି ନିର୍ଗତ ହୋଇଚାଲିଛି ଓ ଏହା ପ୍ରାୟ ୮କିମି ପର୍ଯ୍ୟନ୍ତ ବ୍ୟାପିଯାଇଛି। ଗୁଏତମାଲା ରାଷ୍ଟ୍ରପତି ଜିମ୍ମି ମୋରାଲ୍ସ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିବା ସହ ମୃତକଙ୍କ ପାଇଁ ତିନିଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଜାତିସଙ୍ଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ ଏହି ଘଟଣାରେ ଚିନ୍ତା ପ୍ରକଟ କରିବା ସହ ଆବଶ୍ୟକ ସହାୟତା ପାଇଁ ଘୋଷଣା କରିଛନ୍ତି।

Leave A Reply