ଆଇଏନଏକ୍ସ ଦୁର୍ନୀତି: ଚିଦମ୍ବରମ୍‍ଙ୍କୁ ୪ଘଣ୍ଟା ଜେରା କଲା ସିବିଆଇ

0

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ବୁଧବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମଙ୍କୁ ୪ଘଣ୍ଟା ଜେରା କରିଛି। ପୂର୍ବରୁ ହୋଇଥିବା ସମନ ଅନୁଯାୟୀ ଚିଦମ୍ବରମ୍‍ ନୂଆଦିଲ୍ଲୀସ୍ଥିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ଚିଦମ୍ବରମ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ସମୟରେ ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ମିଳିଥିବା ଅନୁମତି ପଛରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଇନ୍ଦ୍ରାଣୀ ମୁଖାର୍ଜୀ ଓ ପିଟର ମୁଖାର୍ଜୀଙ୍କ ପରିଚାଳିତ ଆଇଏନଏକ୍ସ ମିଡିଆ ପ୍ରାଇଭେଟ୍‍ ଲିମିଟେଡକୁ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି)ର ଅନୁମତି ମିଳିବା ପଛରେ ଚିଦମ୍ବରମ୍‍ଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି। ୨୦୦୭ରେ ଚିଦମ୍ବରମ୍‍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆକୁ ଏଫଆଇପିବି ଅନୁମୋଦନ ମିଳିଥିଲା। ଚିଦମ୍ବରମ୍‍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍‍ଙ୍କ ମାଧ୍ୟମରେ ଉକ୍ତ ମିଡିଆ କମ୍ପାନୀ ଏହି ଅନୁମୋଦନ ହାସଲ କରିଥିଲା। ଏହି ମାମଲାରେ କାର୍ତ୍ତି ଅନେକ ବାର ସିବିଆଇ ଜେରାର ସମ୍ମୁଖୀନ ହେବା ସହ ଫେବୃଆରୀ ୨୮ରେ ଗିରଫ ହୋଇ ଜାମିନରେ ଖଲାସ ହୋଇଛନ୍ତି। ଆଇଏନଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ପାଇଁ ଏଫଆଇପିବି ଅନୁମୋଦନ ମିଳିବା ପରେ ଏହି ମିଡିଆ ହାଉସରେ ପ୍ରାୟ ୩୦୫କୋଟିର ବିଦେଶୀ ପୁଞ୍ଜିନିବେଶ ହୋଇଥିଲା। ଏହି ଅନିୟମିତତାକୁ ନେଇ ଗତବର୍ଷ ମେ ୧୫ରେ ସିବିଆଇ ମାମଲା ରୁଜୁ କରିଥିଲା। ଅନ୍ୟପଟେ ଆଇଏନଏକ୍ସ ମିଡିଆର ଦୁଇ ମାଲିକ ଇନ୍ଦ୍ରାଣୀ ଓ ପିଟର ଝିଅ ସିନାବୋରା ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍‍ରେ ଅଛନ୍ତି।

Leave A Reply