‘ଏନ୍‍ଡିଏ’ରେ ସିବିଆଇ ଚଢ଼ଉ

0

ପୁଣେ : ସ୍ଥାନୀୟ ଖଡ଼କୱାସଲାସ୍ଥିତ ଦେଶର ପ୍ରମୁଖ ସେନା ଅଧିକାରୀ ତାଲିମ ଅନୁଷ୍ଠାନ ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନ୍‍ଡିଏ)ରେ ବୁଧବାର ସିବିଆଇ ଚଢ଼ଉ କରିଛି। ପ୍ରାଧ୍ୟାପକ ନିଯୁକ୍ତିରେ ଅନିୟମିତତା ଅଭିଯୋଗ୍ରକମେ ଏହାର ଅଧ୍ୟକ୍ଷ ଓ ୫ଜଣ ପ୍ରାଧ୍ୟାପକଙ୍କୁ ଜେରା କରାଯାଇଛି ଓ ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଜନୀତି ବିଜ୍ଞାନ ବିଭାଗର ଜଣେ ପ୍ରାଧ୍ୟାପକ, ରସାୟନ ଶାସ୍ତ୍ରର ଦୁଇ ଜଣ ସହକାରୀ ପ୍ରାଧ୍ୟାପକ, ଗଣିତ ଶାସ୍ତ୍ରର ପ୍ରାଧ୍ୟାପକ ଓ ଜଣେ ବିଭାଗୀୟ ମୁଖ୍ୟଙ୍କ ନାମରେ ଠକେଇ, ଅପରାଧ ଷଡ଼ଯନ୍ତ୍ର ଓ ଦୁର୍ନୀତି ଅଭିଯୋଗରେ ଅପରାଧିକ ମାମଲା ରୁଜୁ ହୋଇଛି। ଏହି ଘଟଣାରେ ଗତ ଅଗଷ୍ଟ ମାସରେ ପ୍ରାଥମିକ ତଦନ୍ତ ହୋଇଥିଲା। ସମ୍ପୃକ୍ତ ୫ଜଣ ପ୍ରାଧ୍ୟାପକ ଜାଲ କାଗଜପତ୍ର ବଳରେ ନିଯୁକ୍ତି ଓ ପଦୋନ୍ନତି ପାଇଥିବା ଜଣାପଡ଼ିଥିଲା। ୨୦୧୨ରେ ଏହି ଦୁର୍ନୀତିର ସମ୍ପର୍କରେ ସୂଚନା ମିଳିଥିଲା। ଏହାଛଡ଼ା କ୍ଲାସ୍‍-ସି ପଦରେ ନିଯୁକ୍ତି, କ୍ୟାଡେଟଙ୍କ ପୋଷାକ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ ସଂକ୍ରାନ୍ତ ଠିକା ପ୍ରଦାନ କ୍ଷେତ୍ରରେ ମଧ୍ୟ ଦୁର୍ନୀତି ଅଭିଯୋଗ ହୋଇଥିଲା; ଯାହାର ତଦନ୍ତ ଚାଲୁରହିଛି।

Leave A Reply