ପୁଣି ବିବାଦରେ ରଜନୀକାନ୍ତ
କର୍ଣ୍ଣାଟକ: ମୁକ୍ତିଲାଭ ଅପେକ୍ଷାରେ ଥିବା ରଜନୀକାନ୍ତ ଅଭିନୀତ ‘କାଲା’ ଚଳଚ୍ଚିତ୍ରକୁ ନେଇ ବିବାଦ ଉଠିଛି। ଏହି ଚଳଚ୍ଚିତ୍ରକୁ କର୍ଣ୍ଣାଟକରେ ପ୍ରଦର୍ଶନକୁ ଜୋରଦାର ବିରୋଧ କରାଯାଇଛି। ପରିସ୍ଥିତିର ଗମ୍ଭୀରତା ଦୃଷ୍ଟିରୁ କର୍ଣ୍ଣାଟକରେ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ‘କାଲା’ର ନିର୍ମାତାଙ୍କୁ ପରାମର୍ଶ ଦେବା ପରେ ବିବାଦ ଆହୁରି ଘନୀଭୂତ ହୋଇଛି। ଅପରପକ୍ଷରେ ମୁକ୍ତିଲାଭ କରିବାକୁ ଥିବା ପ୍ରେକ୍ଷାଳୟଗୁଡ଼ିକୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ କର୍ଣ୍ଣାଟକ ସରକାରଙ୍କୁ କର୍ଣ୍ଣାଟକ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦେଶକୁ ସମ୍ମାନ ଜଣାଇ ସରକାର ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବେ। କିନ୍ତୁ ସିନେମା ପ୍ରଦର୍ଶନ ଉଦ୍ୟମରୁ ପ୍ରଯୋଜନ ଓହରି ଯିବା ଉଚିତ ଓ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କୁମାରସ୍ୱାମୀ କହିଛନ୍ତି।
କାହିଁକି ବିବାଦ
କର୍ଣ୍ଣାଟକ ନିର୍ବାଚନ ପରେ ପରେ ରଜନୀକାନ୍ତ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ କର୍ଣ୍ଣାଟକରେ ଯେଉଁ ଦଳ ବି ସରକାର ଗଠନ କରନ୍ତୁ ନା କାହିଁକି କାବେରୀ ଜଳ ତାମିଲନାଡ଼ୁକୁ ଛାଡ଼ିବା ପାଇଁ ପଦକ୍ଷେପ ନେବା ଉଚିତ। କାବେରୀ ଜଳକୁ ନେଇ କର୍ଣ୍ଣାଟକ ଓ ତାମିଲନାଡ଼ୁ ମଧ୍ୟରେ ଦୀର୍ଘ ବର୍ଷ ଧରି ବିବାଦ ରହି ଆସିଛି। କାବେରୀ ଜଳ ପ୍ରସଙ୍ଗରେ କର୍ଣ୍ଣାଟକ ସରକାରଙ୍କ ଆଭିମୁଖ୍ୟ ଓ ନୀତି ପ୍ରତିବାଦରେ ନିକଟରେ ରଜନୀକାନ୍ତ ତାମିଲନାଡ଼ୁରେ ଗଣବିକ୍ଷୋଭ ଓ ସମାବେଶ ଆୟୋଜନ କରିଥିଲେ। ଆଇପିଏଲ୍ ମ୍ୟାଚ୍ ବେଳେ ତାମିଲନାଡ଼ୁ ଖେଳାଳିମାନେ କଳାବ୍ୟାଜ୍ ପିନ୍ଧିବା ପାଇଁ ଆହ୍ୱାନ ଦେଇଥିଲେ। ସେହି କାରଣରୁ କନ୍ନଡ଼ମାନେ କର୍ଣ୍ଣାଟକରେ ରଜନୀକାନ୍ତଙ୍କ ସିନେମା ପ୍ରଦର୍ଶନକୁ ବିରୋଧ କରିଛନ୍ତି।
ନ୍ୟାୟାଳୟରେ ‘କାଲା’
କର୍ଣ୍ଣାଟକରେ କାଲାକୁ ବିରୋଧ ପରେ ପ୍ରଯୋଜକ ଧନୁଶ ଓ ପତ୍ନୀ ଐଶ୍ୱର୍ଯ୍ୟା କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କର୍ଣ୍ଣାଟକରେ ରଜନୀକାନ୍ତଙ୍କ ବହୁ ପ୍ରଶଂସକ ଅଛନ୍ତି। ଚଳଚ୍ଚିତ୍ର ପ୍ରଦର୍ଶନ ନିଷେଧ ହେଲେ କେବଳ ବେଙ୍ଗାଲୁରୁ ଓ କୋଲାରରେ ୧୫ ରୁ ୨୦ କୋଟି ଟଙ୍କା କ୍ଷତି ହେବ ବୋଲି ସେମାନେ ଆବେଦନରେ ଦର୍ଶାଇଛନ୍ତି। ଆବେଦନର ବିଚାର କରି କର୍ଣ୍ଣାଟକରେ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପ୍ରେକ୍ଷାଳୟରେ ‘କାଲା’ ମୁକ୍ତିଲାଭ କରିବାକୁ ଅଛି ତାହାର ତାଲିକା ହାଇକୋର୍ଟ ମାଗିଛନ୍ତି। ସେଠାରେ ପୁଲିସ ଓ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ହାଇକୋର୍ଟ ରାଜ୍ୟ ସରାକରଙ୍କୁ ନିର୍ଦେଶ ଦେଇଛନ୍ତି।
ଆଲୋଚନା ପାଇଁ ଦ୍ୱାର ଖୋଲା: ରଜନୀକାନ୍ତ
କାଲା ପ୍ରଦର୍ଶନକୁ ବିରୋଧ ପରେ ପ୍ରତିକ୍ରିୟାରେ ତାମିଲ୍ ସୁପରଷ୍ଟାର ରଜନୀକାନ୍ତ କହିଛନ୍ତି ଯେ କାବେରୀ ଜଳ ବିବାଦ ପ୍ରସଙ୍ଗରେ ସେ ଦେଇଥିବା ମନ୍ତବ୍ୟକୁ ‘କାଲା’ ସହିତ ଯୋଡ଼ିବା ଠିକ୍ ନୁହେଁ। ଚଳଚ୍ଚିତ୍ରକୁ ବିରୋଧ କରୁଥିବା ଗୋଷ୍ଠୀ ଯେତେବେଳେ ବି ଚାହିଁବେ ତାଙ୍କ ସହିତ ଆଲୋଚନା କରିପାରିବେ। ଆଲୋଚନା ପାଇଁ ତାଙ୍କ ଦ୍ୱାର ସବୁବେଳେ ଖୋଲା ରହିଛି। କିନ୍ତୁ ‘କାଲା’ ପ୍ରଦର୍ଶନକୁ ବିରୋଧ କରନ୍ତୁ ନାହିଁ ବୋଲି ରଜନୀକାନ୍ତ ନିବେଦନ କରିଛନ୍ତି। କାବେରୀ ଜଳ ବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା କାର୍ଯ୍ୟକାରୀ କରାଯିବା ଉଚିତ ବୋଲି କହିବା କଣ ଭୁଲ୍ କି ବୋଲି ରାଜନୀକାନ୍ତ ପ୍ରଶ୍ନ କରିଛନ୍ତି।