ପତଞ୍ଜଳି ଫୁଡ୍‍ ପାର୍କ ପାଇଁ ଅନୁମତି ଦେଲେନି ଯୋଗୀ ସରକାର

0

ଲକ୍ଷ୍ନୌ : ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଲିମିଟେଡ୍‍ ଦ୍ୱାରା ଗ୍ରେଟର ନୋଇଡ଼ାଠାରେ ପ୍ରସ୍ତାବିତ ପତଞ୍ଜଳି ଫୁଡ୍‍ ପାର୍କ ଏବଂ ହର୍ବାଲ ପାର୍କ ପାଇଁ ଅନୁମତି ଦେବାକୁ ଉତ୍ତରପ୍ରଦେଶ ସରକାର ମନା କରିଦେଇଛନ୍ତି। ତେଣୁ ସେଠାରୁ ଫୁଡ୍‍ ପାର୍କ ଓ ହର୍ବାଲ ପାର୍କକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ପତଞ୍ଜଳି ଆୟୁର୍ବେଦର ଅନ୍ୟତମ ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦେଶକ ଆଚାର୍ଯ୍ୟ ବାଳକ୍ରିଷ୍ଣ ପ୍ରକାଶ କରିଛନ୍ତି ଓ ସେ ଏଥିପାଇଁ ଯୋଗୀ ଆଦିତ୍ୟନାଥଙ୍କ ସରକାରଙ୍କୁ ଦାୟୀ କରିଛନ୍ତି। ବାଲକ୍ରିଷ୍ଣ ଏକ ଟ୍ୱିଟ୍‍ କରି କେନ୍ଦ୍ର ସରକାରଙ୍କ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବିତ୍‍ ମେଗା ଫୁଡ ପାର୍କ ପାଇଁ ଉତ୍ତରପ୍ରଦେଶ ସରକାର ଅନୁମତି ଦେବାକୁ ମନା କରିଦେଇଛନ୍ତି। ଭଗବାନ ରାମ ଏବଂ କୃଷ୍ଣଙ୍କ ଭୂମିରେ ସମୃଦ୍ଧି ଆଣିବାରେ ଏହି ଫୁଡ୍‍ ପାର୍କ ସହାୟକ ହୋଇଥାନ୍ତା। ଏବେ ଏହା କେବଳ ଏକ ସ୍ୱପ୍ନରେ ପରିଣତ ହୋଇଛି। ଏହି ପାର୍କକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆମେ ନିଷ୍ପତ୍ତି ନେଇଛୁ। ପ୍ରକାଶ ଯେ ୨୦୧୬ରେ ତତ୍କାଳୀନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପତଞ୍ଜଳି ମେଗା ଫୁଡପାର୍କ ପାଇଁ ନୋଇଡାଠାରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୬୬୬.୮ କୋଟି ଟଙ୍କା ବିନିମୟରେ ୪୫୫ ଏକର ଜମିରେ ଏହା ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଥିଲା। ଏହାଦ୍ୱାରା ସିଧାସଳଖ ୮,୦୦୦ ନିଯୁକ୍ତି ମିଳିଥାନ୍ତା। ଅପରପକ୍ଷରେ ଫୁଡ୍‍ ପାର୍କ ନିର୍ମାଣକୁ ଅନୁମତି ଦିଆନଯିବା ଖବରକୁ ଯୋଗୀ ସରକାର ଖଣ୍ଡନ କରିଛନ୍ତି। ଉଦ୍ୟୋଗ ବିକାଶ କମିଶନର ଅନୁପ ଚନ୍ଦ୍ର ପାଣ୍ଡ୍ୟା କହିଛନ୍ତି ଯେ ଯମୁନା-ଏକ୍ସପ୍ରେସ ୱେରେ ପତଞ୍ଜଳି ଆୟୁର୍ବେଦକୁ ଆବଣ୍ଟିତ ଜମି ରଦ୍ଦ କରାଯାଇନାହିଁ।

Leave A Reply