ସେନା ଶିବିର ଓ ଥାନା ଉପରକୁ ଗ୍ରେନେଡ ମାଡ଼

0

ଶ୍ରୀନଗର : ଭାରତ ସୀମା ସୁରକ୍ଷା ବଳ ଓ ପାକିସ୍ତାନ ରେଞ୍ଜର୍ସଙ୍କ ମଧ୍ୟରେ ସୀମାନ୍ତରେ ଶାନ୍ତିରକ୍ଷା ପାଇଁ କମାଣ୍ଡରସ୍ତରୀୟ ଆଲୋଚନାର ୨୪ଘଣ୍ଟା ନପୂରୁଣୁ ପୁନର୍ବାର କାଶ୍ମୀରର ବନ୍ଦିପଡ଼ା ଜିଲାରେ ଅବସ୍ଥିତ ସେନା ଶିବିର ଉପରେ ଆକ୍ରମଣ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ଆତଙ୍କବାଦୀମାନେ ସୀମା ଅପରପକ୍ଷରୁ ସେନା ଶିବିର ଓ ଭାରତୀୟ ଅଞ୍ଚଳକୁ ଗ୍ରେନେଡ ମାଡ଼ କରିଛନ୍ତି। ଆତଙ୍କବାଦୀମାନେ ଥାନାରେ ପ୍ରବେଶ ଉଦ୍ୟମ କରି ବିଫଳ ହୋଇଥିବା ଜଣାପଡ଼ିଛି। ହାଜିନ୍‍ ଥାନା ଓ ୩୦ ରାଷ୍ଟ୍ରୀୟ ରାଇଫଲ୍ସ ଶିବିରର ଦୁଇପଟୁ ପ୍ରାୟ ୬ଜଣ ଆତଙ୍କବାଦୀ ଗ୍ରେନେଡ ମାଡ଼ କରିବା ସହ ୮ଟି ୟୁବିଜିଏଲ୍‍ରୁ ଗୁଳିଗୋଳା ବର୍ଷଣ କରିଥିବା ଜଣାପଡ଼ିଛି। ସେନା ପକ୍ଷରୁ ଏହାର କଡ଼ା ଯବାବ ଦିଆଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟ ପକ୍ଷ ଗୁଳିଗୋଳା ବର୍ଷଣ କରିଚାଲିଥିଲେ। ଏଥିରେ କ୍ଷତି ସମ୍ପର୍କିତ ରିପୋର୍ଟ ହସ୍ତଗତ ହୋଇ ନାହିଁ। ଏହା ପୂର୍ବରୁ ମଙ୍ଗଳବାର ପୂର୍ବାହ୍ଣରେ ସୋପୋରଠାରେ ସେନା ଗାଡ଼ିକୁ ବିସ୍ଫୋରଣରେ ଉଡ଼ାଇ ଦେବା ଉଦ୍ୟମ ହୋଇଥିଲା। ଏଥିରେ ଗାଡ଼ି ଜଖମ ହୋଇଛି। ଏହାଛଡ଼ା ଥାନାରୁ ଆତଙ୍କବାଦୀମାନେ ଅସ୍ତ୍ରଶସ୍ତ୍ର ଲୁଟ୍‍ ଉଦ୍ୟମ କରି ବିଫଳ ହୋଇଥିଲେ।

Leave A Reply