ରାମ ମନ୍ଦିର ପ୍ରସଙ୍ଗରେ ବିଜେପି ଲୋକଙ୍କୁ ଠକିଛି: ହିନ୍ଦୁ ଧର୍ମଗୁରୁ

0

ନୂଆଦିଲ୍ଲୀ : ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିଜେପି ସରକାର ଦେଶବାସୀ ତଥା ହିନ୍ଦୁ ଧର୍ମାବଲମ୍ବୀଙ୍କ ଠକିଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଯଦି କ୍ଷମତା ହାତରେ ରଖିବାକୁ ଚାହୁଁଛି ତା’ହେଲେ ପ୍ରଥମେ ରାମ ମନ୍ଦିର ନିର୍ମାଣ କରୁ; ନଚେତ୍‍ ଦଳ ବିରୋଧରେ ପ୍ରଚାର କରିବୁ ବୋଲି ଉତ୍ତରପ୍ରଦେଶର ଚାୱାନି ମନ୍ଦିର ମହନ୍ତ ପରମହଂସ ଦାସ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ମୁକ୍ତାର ଆବାସ୍‍ ନକଭିଙ୍କ ଏକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଛନ୍ତି। ନିକଟରେ ନକଭି କହିଥିଲେ, ହିନ୍ଦୁତ୍ୱ ଏବଂ ରାମ ମନ୍ଦିର ବିଜେପିର ପ୍ରାଥମିକ ପ୍ରସଙ୍ଗ ନୁହେଁ, ବରଂ ଅଗାମୀ ଲୋକସଭା ନିର୍ବାଚନରେ ଦଳ ବିକାଶକୁ ପ୍ରସଙ୍ଗ କରିବ। ସମ୍ପ୍ରତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ବିକାଶର ଧାରା ଆରମ୍ଭ କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପାଇଁ ‘ବିକାଶ ନାୟକ’ ପାଲଟିଛନ୍ତି; କିନ୍ତୁ ଗୁଜରାଟଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କ ବିରୋଧରେ ବହୁ ରାଜନୈତିକ ଷଡ଼ଯନ୍ତ୍ର ହେଉଛି ବୋଲି ସେ କହିଥିଲେ।
ଅନ୍ୟପଟେ ରାମମନ୍ଦିରକୁ ପ୍ରାଥମିକତା ନ ଦେଲେ ବିଜେପି ସହିତ ସମ୍ପର୍କ ଛିନ୍ନ କରାଯିବ ବୋଲି ହିନ୍ଦୁ ଯୁବ ବାହିନୀ ପକ୍ଷରୁ ମଧ୍ୟ ଧମକ ଦିଆଯାଇଛି। ଏପରିକି ରାମ ମନ୍ଦିର ନିର୍ମାଣରେ ମନ୍ଥରତା କାରଣରୁ ବିଜେପି ସଦ୍ୟ ଶେଷ ହୋଇଥିବା ଉପ-ନିର୍ବାଚନରେ ପରାଜିତ ହୋଇଛି ବୋଲି ଯୁବ ବାହିନୀ ପକ୍ଷରୁ କୁହାଯାଇଛି। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ପାଇଁ ଏହା ସମସ୍ୟା ସୃଷ୍ଟି କରିଛି। ପ୍ରତ୍ୟେକ ନିର୍ବାଚନରେ ବିରୋଧୀ ଦଳଗୁଡିକର ଉନ୍ନତ ପ୍ରଦର୍ଶନକୁ ନେଇ ବିଜେପି ଚିନ୍ତାରେ ଥିବାବେଳେ ଅନ୍ୟପଟେ ଏହାକୁ ସମର୍ଥନ କରୁଥିବା କେତେକ ସଂସ୍ଥା ରାମ ମନ୍ଦିର ପ୍ରସଙ୍ଗ ଉଠାଇ ଦଳ ପାଇଁ ସମସ୍ୟା ଦ୍ୱିଗୁଣିତ କରିଛନ୍ତି।

Leave A Reply