ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପ୍ରକଳ୍ପ ନେଇ ମାନସମନ୍ଥନ : ମାର୍ଚ୍ଚ ସୁଦ୍ଧା ଚୂଡ଼ାନ୍ତ ଡିଜାଇନ୍
ଭୁବନେଶ୍ବର : ପୁରୀରେ ବିଶ୍ବସ୍ତରୀୟ ଐତିହ୍ୟ କରିଡର୍ ପାଇଁ ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ। ଏହି ମହତ୍ବାକାଂକ୍ଷୀ ପ୍ରକଳ୍ପ ପାଇଁ ଗତବର୍ଷ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କ ଠାରୁ ମତାମତ ଓ ପରାମର୍ଶ ନେବା ପାଇଁ ଆହ୍ବାନ ଜଣାଇଥିଲେ। ଏହି ମତାମତକୁ ନେଇ ଆଜି ଭୁବନେଶ୍ବରରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀ ମନ୍ଦିର ପରିଚାଳନା କମିଟି ବୈଠକରେ ସେବାୟତ, ଗବେଷକ, ସ୍ଥପତି ଆଦିଙ୍କୁ ନେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଐତିହ୍ୟ କରିଡର୍ ପ୍ରକଳ୍ପ ଆରମ୍ଭ ପାଇଁ ଜନସାଧାରଣଙ୍କ ମତାମତ ହସ୍ତଗତ ହେବା ପରେ ପ୍ରଥମ ଥର ପାଇଁ ସରକାର ଏପରି ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରୁ ହସ୍ତଗତ ସୂଚନା ଅନୁସାରେ, ମହାପ୍ରଭୂଙ୍କର ନୀତିକାନ୍ତି ପ୍ରଭାବିତ ହେବ ନାହିଁ କିମ୍ବା ସମୟ ପରିବର୍ତ୍ତନ ହେବ ନାହିଁ। ସୌନ୍ଦର୍ଯ୍ୟକରଣ ଯୋଗୁଁ ରଥଯାତ୍ରା ସମୟରେ ମଧ୍ୟ ନୀତି ସମ୍ପାଦନ ପ୍ରଭାବିତ ହେବ ନାହିଁ। ଶ୍ରୀ ମନ୍ଦିର ସେବାୟତ, ସେମାନଙ୍କ ପରିବାରର କିମ୍ବା ସାଧାରଣ ଲୋକଙ୍କର କୌଣସି ଅଧିକାର ହନନ ହେବ ନାହିଁ। ଏପରିକି ସ୍ବର୍ଗ ଦ୍ବାର ଯାତ୍ରା ସମୟରେ ଶ୍ରୀ ମନ୍ଦିର ସମ୍ମୁଖରେ କିଛି ସମୟ ପାଇଁ ମରଶରୀରକୁ ଯେପରି ରଖାଯାଉ ଥିଲା, ଐତିହ୍ୟ କରିଡର୍ ନିର୍ମାଣ ଶେଷ ହେବା ପରେ ମଧ୍ୟ ସେହି ପରମ୍ପରା ଅକ୍ଷୁର୍ଣ୍ଣ ରଖାଯିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ଐତିହ୍ୟ କରିଡର୍ ପାଇଁ ୫୦୦୦ ଲୋକ ବସି ମହାପ୍ରସାଦ ସେବନ ବ୍ୟବସ୍ଥା, ଯଜ୍ଞ କୁଣ୍ଡ ଓ ସଂକୀର୍ତ୍ତନ ମଣ୍ଡପ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସେହିପରି ରଥଯାତ୍ରା, ଚନ୍ଦନ ଯାତ୍ରା ଅବସରରେ ହେଉ ଅବା ସାଧାରଣ ଦିନରେ ମନ୍ଦିର ନିକଟରେ ରହୁଥିବା ଲୋକେ ଯେପରି ଅନାୟାସରେ ଯିବା ଆସିବା କରିପାରିବେ, ସେଥିପାଇଁ ଐତିହ୍ୟ କରିଡର୍ରେ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। ଦୁଇବର୍ଷ ମଧ୍ୟରେ ଐତିହ୍ୟ କରିଡର୍ ପ୍ରକଳ୍ପ ଶେଷ ପାଇଁ ଲକ୍ଷ୍ୟ ରହିଛି।
ଐତିହ୍ୟ କରିଡରକୁ ଅନେକ ଲୋକ ସମର୍ଥନ କରିଥିବା ବେଳେ ପ୍ରକଳ୍ପକୁ ନେଇ କିଛି ଲୋକଙ୍କ ମନରେ ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରକଳ୍ପ ସମ୍ପର୍କରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରିବା ପାଇଁ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଜଣାଇଥିଲେ। ଜାନୁଆରୀ ୧୫ ତାରିଖ ସୁଦ୍ଧା ହସ୍ତଗତ ହୋଇଥିବା ପ୍ରସ୍ତାବ ଓ ଆପତ୍ତି ଅଭିଯୋଗ ଉପରେ ଆଜି ରାଜ୍ୟ ସରକାର ଓ ଶ୍ରୀ ମନ୍ଦିର ପରିଚାଳନା କମିଟି ଆନୁକୂଲ୍ୟରେ ବିଭିନ୍ନ ଅଂଶିଦାରଙ୍କୁ ନେଇ ଭୁବନେଶ୍ବର ସ୍ଥିତ ଓବିସିସି ସମ୍ମିଳନୀ କକ୍ଷରେ ବୈଠକର ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ପୂର୍ତ୍ତ ସଚିବ ତଥା ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ୍ କୁମାର କହିଥିଲେ ଯେ ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ମାସ ପ୍ରଥମ ସପ୍ତାହ ସୁଦ୍ଧା ଐତିହ୍ୟ କରିଡର୍ ପ୍ରକଳ୍ପ ପାଇଁ ଯୋଜନା ପ୍ରସ୍ତୁତ ହେବ। ତେଣୁ ଏହା ପୂର୍ବରୁ ଆମେ ଆଜି ପରିଚାଳନା କମିଟିର ବରିଷ୍ଠ ସଦସ୍ୟ, ଗବେଷକ ଓ ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଆଜି ଆଲୋଚନା କରିବା ସହ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ସହ ସେମାନଙ୍କ ମନରେ ଥିବା ଆଶଙ୍କା ଦୂର କରିଛୁ। ସେହିପରି ଆମକୁ କିଛି ପ୍ରସ୍ତାବ ମଧ୍ୟ ମିଳିଛି। ଏହି ପ୍ରସ୍ତାବ ଅନୁଧ୍ୟାନ କରିବା ପାଇଁ ଏକ ପ୍ରତିନିଧୀ ମଣ୍ଡଳୀ ଗଠନ କରାଯିବ। ଏହା ଏକ ଲମ୍ବା ପ୍ରକ୍ରିୟା। ତେଣୁ ଆବଶ୍ୟକ ହେଲେ ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ପୂର୍ବରୁ ଲୋକଙ୍କ ପ୍ରସ୍ତାବ ଓ ମତାମତ ଉପରେ ପୂନର୍ବାର ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀ ମନ୍ଦିରରେ ଯୁଗ ଯୁଗ ଧରି ଚାଲି ଆସିଥିବା ପରମ୍ପରା ବନ୍ଦ ପେଯରି ପ୍ରଭାବିତ ନହୁଏ କିମ୍ବା ନୀତିକାନ୍ତି ସମୟରେ ପରିବର୍ତ୍ତନ ନହୁଏ, ସେଥିପାଇଁ ଦୃଷ୍ଟି ଦେବାକୁ ବୈଠକରେ ମତପ୍ରକାଶ ପାଇଥିଲା। ସେହିପରି ରଥଯାତ୍ରା, ଚନ୍ଦନ ଯାତ୍ରା, ଦୋଳ କିମ୍ବା ଅନ୍ୟ ସମୟରେ କୌଣସି କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ କରିବା ସମୟରେ ପରମ୍ପରା ଓ ବିଧିବିଧାନ ରକ୍ଷା ପ୍ରତି ସରକାର ଗୁରୁତ୍ବ ଦେବା ଆବଶ୍ୟକ ବୋଲି ବୈଠକରେ ବରିଷ୍ଠ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ସେହିପରି ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଡିଜାଇନ୍ ପ୍ରସ୍ତୁତ ସମୟରେ ଉତ୍କଳୀୟ କଳା ସଂସ୍କୃତିକୁ ସେଥିରେ ସ୍ଥାନ ଦେବା ପାଇଁ କାମ ନେଇଥିବା ଠିକା ସଂସ୍ଥାକୁ କୁହାଯାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ଶ୍ରୀ ଦିବ୍ୟସିଂହ ଦେବ କହିଥିଲେ ଯେ ୭୫ ମିଟର ମଧ୍ୟରେ ଏବେ ଯେଉଁ ଐତିହ୍ୟ କରିଡର୍ କାମ ଚାଲିଛି, ତାହା ଶ୍ରୀ ମନ୍ଦିରର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବ। ଏହା ଆରମ୍ଭ ସମୟ ଏବଂ ଆଗକୁ ଆବଶ୍ୟକ ସ୍ଥଳେ ଡିଜାଇନ୍ରେ ପରିବର୍ତ୍ତନ କରାଯାଇପାରିବ।
ସୂଚନା ଅନୁସାରେ ,ମନ୍ଦିର ନିକଟରେ ଏକ ବିଶାଳ ଭୋଜନାଳୟ ନିର୍ମାଣ ହେବ, ଯେଉଁଠାରେ ଏକ ସଙ୍ଗରେ ୫୦୦୦ ଶ୍ରଦ୍ଧାଳୁ ଏକାଠି ବସି ମହାପ୍ରସାଦ ସେବନ କରିପାରିବେ। ଐତିହ୍ୟ କରିଡର୍ରେ ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ଯଜ୍ଞ ମଣ୍ଡପ ଓ ସଂକୀର୍ତ୍ତନ ସ୍ଥଳ ନିର୍ମାଣ କରିବା ପାଇଁ ଗଜପତି ପ୍ରସ୍ତାବ ଦେଇଥିଲେ। ଅପରପକ୍ଷେ ରଥଖଳାକୁ ନେଇ ମଧ୍ୟ ଆଜି ବୈଠକରେ ଆଲୋଚନା ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ସାଂସଦ ତଥା ପଦ୍ମବିଭୂଷଣ ରଘୁନାଥ ମହାପାତ୍ର କହିଥିଲେ ଯେ, ପ୍ରକଳ୍ପର ଡ୍ରାଫ୍ଟ ପ୍ଲାନ୍ରେ ଉତ୍କଳୀୟ ପରମ୍ପରାର ଝଲକ ଦେଖିବାକୁ ମିଳୁନାହିଁ। ତେଣୁ ଏଥିପ୍ରତି ଦୃଷ୍ଟି ଦେବାକୁ ପ୍ରସ୍ତାବ ଦିଆଯାଇଛି। ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର କହିଥିଲେ ଯେ ଐତିହ୍ୟ କରିଡର ପାଇଁ ହୋଇଥିବା ଆଲୋଚନା ଫଳପ୍ରଦ ହେବ। ପ୍ରକଳ୍ପକୁ ନେଇ ଯାହା କିଛି ସମସ୍ୟା ରହିଛି ତାହା ଆଲୋଚନା ହୋଇଥିଲା। ବୈଠକର ପ୍ରାରମ୍ଭରେ ଐତିହ୍ୟ କରିଡର୍ ପ୍ରକଳ୍ପ କାମ ନେଇଥିବା ବେଙ୍ଗାଲୁରୁର ଠିକା ସଂସ୍ଥା ଭିଡିଓ ଚିତ୍ର ଜରିଆରେ ପ୍ରକଳ୍ପର କାର୍ଯ୍ୟକାରୀତା ଉପସ୍ଥାପନ କରିଥିଲେ।
Comments are closed.