ସିଲଂ ପୁଣି ଅଶାନ୍ତ; କେନ୍ଦ୍ର ପଠାଇଲା ୧୮ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ

0

ସିଲଂ : ମେଘାଳୟ ରାଜଧାନୀ ସିଲଂରେ ଦୁଇ ଗୋଷ୍ଠୀ ମଧ୍ୟରେ ଚାରି ଦିନ ଧରି ଲାଗି ରହିଥିବା ହିଂସାକାଣ୍ଡ ରବିବାର ସାମାନ୍ୟ ଥମି ଥିଲାବେଳେ ସୋମବାର ପୁନର୍ବାର ଉଗ୍ରରୂପ ଧାରଣ କରିଛି। ସୈନ୍ୟବାହିନୀ ସିଲଂ ସହରରେ ଫ୍ଲାଗମାର୍ଚ୍ଚ କରିଥିବାବେଳେ ହିଂସାକାଣ୍ଡ ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ୧୮କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଯବାନ ପହଞ୍ଚିଛନ୍ତି। ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଆରପିଏଫ୍‍ଙ୍କ ସହିତ ଆଇଟିବିପି ଯବାନଙ୍କୁ ନିୟୋଜିତ କରାଯାଇଛି।
ରବିବାର ରାତିରେ ମୋଲାଇ ସେତୁ ନିକଟରେ ପ୍ରାୟ ୪୦୦ ବିକ୍ଷୋଭକାରୀ ସିଆରପିଏଫ୍‍ ଶିବିର ଓ ଯବାନଙ୍କ ଉପରେ ଆକ୍ରମଣ କରିବା ପରେ ପରିସ୍ଥିତି ପୁନର୍ବାର ବିଗିଡ଼ି ଯାଇଛି। ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ଫାଙ୍କା ଗୁଳିଚାଳନା କରିଥିଲା। ସହରର କେତେକ ଅଞ୍ଚଳରେ ରବିବାର ସାମାନ୍ୟ କୋହଳ କରାଯାଇଥିବା କର୍ଫ୍ୟୁ ଏହି ଘଟଣା ପରେ ପୁନର୍ବାର ଜାରି କରାଯାଇଛି। ଏଥିନେଇ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି। ସିଆରପିଏଫ୍‍ ଆଇଜି ପ୍ରକାଶ ଡନ୍‍ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିକ୍ଷୋଭକାରୀଙ୍କୁ ନିବେଦନ କରିବା ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ସମ୍ଭବ ବୋଲି କହିଛନ୍ତି। ରାଜ୍ୟ ଗୃହମନ୍ତ୍ରୀ ଜେମ୍ସ ସାଙ୍ଗମା ମଧ୍ୟ ଶାନ୍ତି ରକ୍ଷା ପାଇଁ ନିବେଦନ କରିଛନ୍ତି। ଏହା ଏକ ସାଧାରଣ ସ୍ଥାନୀୟ ମାମଲା ଓ କିଛି ନ୍ୟସ୍ତସ୍ୱାର୍ଥ ଲୋକେ ଏହାକୁ ତେଜାଇବା ସହ ଏହାକୁ ସାମ୍ପ୍ରଦାୟିକ ରୂପ ଦେବାରେ ଲାଗିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କନ୍‍ରାଡ ସାଙ୍ଗମା ପୂର୍ବରୁ କହିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‍ ଅମରିନ୍ଦର ସିଂହ ମଧ୍ୟ ସମସ୍ୟାର ସମାଧାନ ପାଇଁ ୪ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ସିଲଂ ପଠାଇଥିବା ଜଣାପଡ଼ିଛି।
ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ସହରର ପଞ୍ଜାବୀ ଲାଇନ୍‍ରେ ସ୍ଥାନୀୟ ଖାସୀ ସମ୍ପ୍ରଦାୟ ଓ ପଞ୍ଜାବୀଙ୍କ ମଧ୍ୟରେ ସାଧାରଣ ଘଟଣାକୁ ନେଇ ଗଣ୍ଡଗୋଳ ଘଟିଥିଲା। ପଞ୍ଜାବୀ ବସ୍‍ କଣ୍ଡକ୍ଟର ଜଣେ ଖାସୀ ଯୁବକକୁ ପିଟିବା ଘଟଣା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା ଓ ଦୁଇ ଗୋଷ୍ଠୀ ଭୟଙ୍କର ହିଂସାକାଣ୍ଡରେ ଲିପ୍ତ ହୋଇଥିଲେ। କ୍ରମଶଃ ହିଂସା ସହରର ୧୪ଟି ସ୍ଥାନକୁ ବ୍ୟାପି ଥିଲା। ମୱଖର, ମିଶନ କମ୍ପାଉଣ୍ଡ, ମୋତଫ୍ରାନ୍‍, କାଣ୍ଟନମେଣ୍ଟ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦୦ ପଞ୍ଜାବୀ ପରିବାର ସେନା ଶିବିରରେ ଆଶ୍ରୟ ନେଇଛନ୍ତି। ଏହି ଘଟଣାରେ ପୁଲିସ କର୍ମଚାରୀଙ୍କ ସମେତ ପ୍ରାୟ ୧୦ଜଣ ଆହତ ହୋଇଥିଲାବେଳେ ପୁଲିସ ଜଣଙ୍କୁ ମାତ୍ର ଗିରଫ କରିଛି।

Leave A Reply