ମହିଳା ଏସିଆ କପ୍‍ ଟ୍ୱେଣ୍ଟି୨୦: ଭାରତର ୨ୟ ବିଜୟ

0

କୁଆଲା ଲୁମ୍ପୁର : ଅଧିନାୟିକା ହରମନପ୍ରୀତ କୌରଙ୍କ ଅଲରାଉଣ୍ଡ ସଫଳତାକୁ ଆଧାର କରି ଭାରତ ଏଠାରେ ଚାଲିଥିବା ମହିଳା ଏସିଆ କପ୍‍ ଟ୍ୱେଣ୍ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ସୋମବାର ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ୬୬ ରନରେ ଥାଇଲାଣ୍ଡକୁ ପରାସ୍ତ କରିଛି।
ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୩୨ ରନ କରିଥିଲା। ୧୩୩ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଥାଇଲାଣ୍ଡ ୭ ରନରେ ଓପନର ନାତ୍ତାକାମ୍‍ ଚାନ୍‍ତାମ୍‍ଙ୍କ (୫) ୱିକେଟ ହରାଇଥିଲା। ତେବେ ନାରୁଇମଲ ଚାଇୱାଇ ଓ ନାତାୟା ବୁଚାଥାମ୍‍ ୨ୟ ୱିକେଟ ପାଇଁ ୩୧ ରନ ଯୋଗକରି ସ୍ଥିତିକୁ କିଛିମାତ୍ରାରେ ସୁଧାରିଥିଲେ। ଏହି ଯୋଡି କ୍ରିଜ୍‍ରେ ଜମି ଆସୁଥିବା ବେଳେ ଚାଇୱାଇଙ୍କୁ (୧୪) ଆଉଟ କରି ହରମନପ୍ରୀତ କୌର ଭାରତ ପାଇଁ ଦ୍ୱିତୀୟ ସଫଳତା ଅର୍ଜନ କରିଥିଲେ। ଥାଇଲାଣ୍ଡର ତିନିଜଣ ମଧ୍ୟକ୍ରମ ବ୍ୟାଟସମ୍ୟାନ ବିଫଳ ହୋଇଥିଲେ। ତେବେ ବୁଚାଥାମ୍‍ ୨୧ ଓ ଶେଷଆଡକୁ ଚାନିଦା ସୁଥିରୁଆଙ୍ଗ୍‍ ୧୨ ରନ କରିବା ଫଳରେ ଥାଇଲାଣ୍ଡ ୨୦ ଓଭରରେ ୮ ୱିକେଟ ହରାଇ ୬୬ ରନ କରିପାରିଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସର୍ବାଧିକ ୩ଟି ଓ ଦିପ୍ତୀ ଶର୍ମା ୨ଟି ୱିକେଟ ଅକ୍ତିଆର କରିଥିବାବେଳେ ପୂଜା ବସ୍ତ୍ରକର ଓ ପୁନମ ଯାଦବ ପ୍ରତ୍ୟେକ ଗୋଟିଏ ୱିକେଟ ପାଇଥିଲେ। ଥାଇଲାଣ୍ଡ ଅଧିନାୟିକା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ। ଦୁଇ ଓପନର ମୋନା ମେସ୍ରାମ ଓ ସ୍ମୃତି ମାନ୍ଧାନା ପ୍ରଥମ ୱିକେଟ ପାଇଁ ୫୩ ରନ ଯୋଗକରିଥିଲେ। ମୋନା ବ୍ୟକ୍ତିଗତ ୩୨ ରନ କରି ପ୍ରଥମ ଖେଳାଳିଭାବେ ଆଉଟ ହୋଇଥିଲେ। ତେବେ ମାନ୍ଧାନା ୨୯, ଭେଦା କ୍ରିଷ୍ଣାମୂର୍ତ୍ତି ୧୧, ଅନୁଜା ପାଟିଲ ୨୨ ଓ ହରମନପ୍ରୀତଙ୍କ ଅପରାଜିତ ୨୭ ରନ ବଳରେ ଭାରତ ୨୦ ଓଭରରେ ୪ ୱିକେଟ ବିନିମୟରେ ୧୩୨ ରନ କରିଥିଲା। ଥାଇଲାଣ୍ଡ ପକ୍ଷରୁ ଉଙ୍ଗ୍‍ପାକା ଲିଏଙ୍ଗ୍‍ପ୍ରସେତ୍‍ ୨ଟି ଓ ରତନାପର୍ନ ପାଦୁଙ୍ଗ୍‍ଲେର୍ଦ, ନାତାୟା ବୁଚାଥାମ୍‍ ପ୍ରତ୍ୟେକ ଗୋଟିଏ ୱିକେଟ ଅକ୍ତିଆର କରିଥିଲେ। ହରମନପ୍ରୀତ ‘ପ୍ଲେୟାର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଛନ୍ତି। ଏହି ବିଜୟ ଫଳରେ ଭାରତ ଦୁଇଟି ମ୍ୟାଚରୁ ୪ ପଏଣ୍ଟ ହାସଲ କରିଛି। ଆସନ୍ତା ବୁଧବାର ଭାରତ ତାହାର ପରବର୍ତ୍ତୀ ମ୍ୟାଚରେ ବାଂଲାଦେଶକୁ ଭେଟିବ। ସୋମବାର ଖେଳାଯାଇଥିବା ଅନ୍ୟ ମ୍ୟାଚରେ ବାଂଲାଦେଶ ୭ ୱିକେଟରେ ପାକିସ୍ତାନକୁ ଓ ଶ୍ରୀଲଙ୍କା ୯୦ ରନରେ ମାଲେସିଆକୁ ପରାସ୍ତ କରିଛି।

Leave A Reply