ମୋଦୀଙ୍କ ମନ୍ତବ୍ୟରେ ଚୀନ୍‍ ଆନନ୍ଦିତ

0

ବେଜିଂ : ଶଙ୍ଗରୀ-ଲା ଆଲୋଚନାଚକ୍ରରେ ଭାରତ-ଚୀନ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ ଚୀନ୍‍ ସରକାର ଭୂୟସୀ ପ୍ରଶଂସା କରିଛନ୍ତି। ମୋଦୀଙ୍କ ମନ୍ତବ୍ୟରେ ଅନୁପ୍ରାଣିତ ହୋଇ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ନିମନ୍ତେ ଉଭୟ ରାଷ୍ଟ୍ରର ନେତୃବୃନ୍ଦ ସହମତି ଭିତ୍ତିରେ କାର୍ଯ୍ୟ କରିବାକୁ ଚୀନ୍‍ ସରକାର ଇଚ୍ଛା ପ୍ରକାଶ କରିଛନ୍ତି। ଗତ ସପ୍ତାହରେ ସିଙ୍ଗାପୁରଠାରେ ଅନୁଷ୍ଠିତ ଏସିଆର ପ୍ରତିରକ୍ଷା ଏବଂ ରଣକୌଶଳ ସମ୍ବନ୍ଧୀୟ ପ୍ରମୁଖ ସମ୍ମିଳନୀ ‘ଶଙ୍ଗରୀ-ଲା ଆଲୋଚନାଚକ୍ର’ରେ ମୋଦୀ କହିଥିଲେ, ଭାରତ ଏବଂ ଚୀନ ଯଦି ପରସ୍ପରର ଆବଶ୍ୟକତାକୁ ଗୁରୁତ୍ୱଦେଇ ଆସ୍ଥା ଏବଂ ବିଶ୍ୱାସର ସହିତ ମିିଳିତ ଭାବେ କାର୍ଯ୍ୟ କରନ୍ତି ତା’ହେଲେ ଏସିଆ ସମେତ ସମଗ୍ର ବିଶ୍ୱର ଭବିଷ୍ୟତ ଉନ୍ନତ ହେବ। ଦ୍ୱିପାକ୍ଷିକ ସମସ୍ୟାର ସମାଧାନ ତଥା ଉଭୟ ଦେଶର ସୀମାରେ ଶାନ୍ତି ପ୍ରତିଷ୍ଠା ଦିଗରେ ଭାରତ ଓ ଚୀନ ଅତ୍ୟନ୍ତ ବୁଦ୍ଧିମତା ଏବଂ ଉତ୍ତମ ଇଚ୍ଛାଶକ୍ତି ପ୍ରଦର୍ଶନ କରିଛନ୍ତି। ବିଶ୍ୱର ଦୁଇ ସବୁଠାରୁ ଜଳନବହୁଳ ଦେଶ ଦ୍ୱୟ ମଧ୍ୟରେ ସହଯୋଗିତା ବୃଦ୍ଧି ପାଇଛି ବୋଲି ସେ ଦର୍ଶାଇଥିଲେ। ଚୀନ୍‍ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ହୁଆ ଚୁନିଂ ଗଣମାଧ୍ୟମ ସମ୍ମୁଖରେ ମୋଦିଙ୍କ ଏହି ମନ୍ତବ୍ୟକୁ ପ୍ରଶଂସା କରିଛନ୍ତି। ୱୁହାନ୍‍ଠାରେ ୨୦୧୮ ଏପ୍ରିଲରେ ଅନୁଷ୍ଠିତ ବୈଠକରେ ମୋଦୀ ଏବଂ ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ ବହୁ ଅନ୍ତର୍ଜାତୀୟ ଏବଂ ଦ୍ୱିପାକ୍ଷିକ ପ୍ରସଙ୍ଗ ଉପରେ ଅ।।ଲୋଚନା କରି ସହମତିରେ ଉପନୀତ ହୋଇଥିଲେ। ଏଥିକ୍ରମେ ଉଭୟ ଦେଶ ମଧ୍ୟରେ ଥିବା ବାବଦୀୟ ପ୍ରସଙ୍ଗର ସମାଧାନ, ସୀମାରେ ଶାନ୍ତି ପ୍ରତିଷ୍ଠା ଏବଂ ଦ୍ୱିପାକ୍ଷିକ ସହଯୋଗିତା ବୃଦ୍ଧି କରିବା ଦିଗରେ ଭାରତ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଚୀନ୍‍ ସରକାର ଇଚ୍ଛୁକ ବୋଲି ସେ ଦର୍ଶାଇଛନ୍ତି।

Leave A Reply