କାର୍ଗିଲ ଯୁଦ୍ଧ ବନ୍ଦ ପାଇଁ ବୁଝାମଣାକୁ ଗ୍ରହଣ କରି ନ ଥିଲା ଭାରତ

0

ଇସଲାମାବାଦ : କାର୍ଗିଲ ଯୁଦ୍ଧ ବନ୍ଦ କରିବାକୁ ଭାରତ-ପାକିସ୍ତାନ ମଧ୍ୟରେ ବୁଝାମଣା ହୋଇଥିଲା; ମାତ୍ର ଏହି ବୁଝାମଣାକୁ ଭାରତ ଗ୍ରହଣ କରି ନ ଥିଲା ବୋଲି ପାକିସ୍ତାନ ସାମ୍ବାଦିକ ନସିମ୍‍ ଜେହରା ତାଙ୍କର ଏକ ପୁସ୍ତକରେ ଲେଖିଛନ୍ତି। ନସିମଙ୍କ ଦ୍ୱାରା ଲିଖିତ ପୁସ୍ତକ ‘ଫ୍ରମ୍‍ କାର୍ଗିଲ ଟୁ ଦ କୁପ୍‍: ଇଭେଣ୍ଟସ୍‍ ଦ୍ୟାଟ୍‍ ସୁକ୍‍ ପାକିସ୍ତାନ’ ଗତ ସପ୍ତାହରେ ପ୍ରକାଶ ପାଇଛି। ପୁସ୍ତକରେ ସେ ଲେଖିଛନ୍ତି ଯେ ୧୯୯୯ କାର୍ଗିଲ ଯୁଦ୍ଧର ବନ୍ଦ ପାଇଁ ଜୁନ୍‍ ମାସ ଶେଷ ଭାଗରେ ଏକ ବୁଝାମଣା ହୋଇଥିଲା। କୂଟନୈତିକ ଚାନେଲ ମାଧ୍ୟମରେ ଏହି ବୁଝାମଣା ହୋଇଥିଲା; ମାତ୍ର ଭାରତ ଏହାକୁ ଗ୍ରହଣ କରି ନଥିଲା। କାରଣ ଭାରତ ଦୃଢନିଶ୍ଚିତ ଥିଲା ଯେ ଆମେରିକାର ଚାପରେ ପାକିସ୍ତାନ ପଛଘୁଞ୍ଚା ଲାଗି ବାଧ୍ୟ ହେବ। ୧୯୯୯ ମେ ମାସରେ ଆରମ୍ଭ ହୋଇଥିବା କାର୍ଗିଲ ଯୁଦ୍ଧ ଜୁଲାଇ ମାସରେ ଶେଷ ହୋଇଥିଲା। ଯୁଦ୍ଧ ବନ୍ଦ ପାଇଁ ଜୁନ୍‍ରେ ବୁଝାମଣା ହୋଇଥିଲା। ପାକିସ୍ତାନ ସେନା ଅନୁପ୍ରବେଶ କରିଥିବା ଭାରତ ସୀମା ମଧ୍ୟରୁ ହଟିବା ପରେ ଏହି ଯୁଦ୍ଧ ବନ୍ଦ ହୋଇଥିଲା। ଆମେରିକା ଚାପ ଆଗରେ ମୁଣ୍ଡ ନୁଆଁଇ ପାକିସ୍ତାନ ନିଜର ସୈନ୍ୟକୁ ପ୍ରତ୍ୟାହାର କରିଥିଲା। ନସିମ୍‍ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ ଯୁଦ୍ଧର ନେତୃତ୍ୱ ନେଉଥିବା ତତ୍କାଳୀନ ପାକିସ୍ତାନର ସେନାମୁଖ୍ୟ ପରଭେଜ ମୁଶରଫ ଏହି ପଛଘୁଞ୍ଚାକୁ ନାପସନ୍ଦ କରିଥିଲେ। ମୁଶରଫ କହିଥିଲେ ଯେ ପାକିସ୍ତାନ ରାଜନେତାମାନେ ଆମେରିକା ଚାପ ଆଗରେ ମୁଣ୍ଡ ନୁଆଁଇ ସେନ୍ୟ ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ। ଅନ୍ୟଥା ପାକିସ୍ତାନ ତାର ଲକ୍ଷ୍ୟ ହାସଲରେ ସଫଳ ହୋଇଥାନ୍ତା। ନସିମ୍‍ ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ କାର୍ଗିଲ ଯୁଦ୍ଧ ପରେ ପାକିସ୍ତାନ ଅନେକ କ୍ଷେତ୍ରରେ ବିଫଳ ହୋଇଥିଲା। ପରମାଣୁ ପରୀକ୍ଷା ଓ ଲାହୋର ସମିତି ପରେ ପାକିସ୍ତାନ ଆନ୍ତର୍ଜାତିକସ୍ତରରେ ଯେଉଁ ସଫଳତା ହାସଲ କରିଥିଲା ତାହା କାର୍ଗିଲ ଯୁଦ୍ଧ ପରେ କ୍ଷୁଣ୍ଣ ହୋଇଥିଲା।

Leave A Reply