ଆଇପିଏଲ୍‍ ବେଟିଂ: ସନ୍ଦେହଘେରରେ ୭ ବଲିଉଡ୍‍ ବ୍ୟକ୍ତିତ୍ୱ

0

ମୁମ୍ବଇ : ଆଇପିଏଲ୍‍ରେ ବେଟିଂ ମାମଲାରେ ଦେଶର ପ୍ରମୁଖ ବୁକି ଯଥା ଡି-ଗ୍ୟାଙ୍ଗ୍‍ର ସୋନୁ ଜଲାନ୍‍ ଓରଫ ସୋନୁ ମଲାଡ଼ ଗିରଫହେବା ପରେ ଦିନକୁ ଦିନ ନୂଆନୂଆ ତଥ୍ୟ ପଦାକୁ ଆସୁଛି। କେବଳ ବଲିଉଡ୍‍ ଅଭିନେତା ତଥା ପ୍ରଯୋଜକ ଅର୍‍ବାଜ ଖାଁ ସୋନୁ ଜରିଆରେ ବେଟିଂ କରୁନଥିଲେ; ବଲିଉଡ୍‍ର ଆଉ ୭ ଜଣ ବ୍ୟକ୍ତିତ୍ୱ ମଧ୍ୟ ବେଟିଂରେ ଜଡ଼ିତ ଥିଲେ ଏବଂ ସୋନୁର ଅତି ଘନିଷ୍ଠ ଥିଲେ। ଥାନେ ପୁଲିସ ସୂତ୍ରରୁ ଏହା ଜାଣିବାକୁ ମିଳିଛି। ତେବେ ଏହି ୭ ବଲିଉଡ୍‍ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ୨ଟି ନାମ ସାମ୍‍ନାକୁ ଆସିଛି। ସେଦୁହେଁ ହେଲେ ଦୁଇ ବଲିଉଡ୍‍ ପ୍ରଯୋଜକ ପରାଗ ସାଙ୍ଗ୍‍ୱି ଓ ମୁରାଦ୍‍ ଖୈତାନ୍‍। ବାକି ୫ ଜଣଙ୍କ ନାମ ଜଣା ପଡ଼ିନାହିଁ। କ୍ରିକେଟ ବେଟିଂରେ ସାଙ୍ଗ୍‍ୱି ହିଁ ସୋନୁର ପାର୍ଟନର ଥିଲା। ପୁଣି ମୁମ୍ବଇର ଜଣେ ନାମୀ ବିଲ୍‍ଡର ଦିଲୀପ ଲୁଧାନିଙ୍କ ପୁଅ ମଧ୍ୟ ସୋନୁ ସହ ବେଟିଂ କାରବାରରେ ସମ୍ପୃକ୍ତ ଥିଲା।
ଶନିବାର କେବଳ ଅର୍‍ବାଜ୍‍ ଖାଁଙ୍କୁ ଡାକି ଥାନେ ପୁଲିସ ପଚରାଉଚୁରା କରିଥିବା ବେଳେ ଆଗକୁ ଆଉ କିଛି ବଲିଉଡ ବ୍ୟକ୍ତିତ୍ୱ ଓ ବ୍ୟବସାୟୀ ମଧ୍ୟ ପୁଲିସ ନିକଟରେ ହାଜର ହେବାର ସମ୍ଭାବନା ରହିଛି। କାରଣ ସୋନୁ ଜଲାନ୍‍ ଘରୁ ଜବତ ହୋଇଥିବା ତା’ର ଡାଏରୀରେ ଏକାଧିକ ବଲିଉଡ୍‍ ବ୍ୟକ୍ତିତ୍ୱଙ୍କ ନାମ ରହିଛି। ଥାନେ ପୁଲିସ ସୂତ୍ରରୁ ପ୍ରକାଶ ଯେ ଉପରୋକ୍ତ ୭ ଜଣ ବଲିଉଡ୍‍ ବ୍ୟକ୍ତିତ୍ୱଙ୍କୁ ସୋନୁଙ୍କ ସହ ଅର୍‍ବାଜ ଖାଁ ହିଁ ପରିଚିତ କରାଇଥିଲେ। ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ମଧ୍ୟ ଜଣାପଡ଼ିଛି ଯେ ତା’ର ବେଟିଂ କାରବାରରେ ତା’କୁ ସାହାଯ୍ୟ କରିବା ଲାଗି ଦୁଇ ବାର୍‍ ନର୍ତ୍ତକୀ କୋମଲ ଓ ଗାୟତ୍ରୀଙ୍କୁ ସୋନୁ ବେଟିଂ ସିଣ୍ଡିକେଟ୍‍ରେ ପାର୍ଟନର କରିଥିଲା। ସୋନୁ ସହ ମିଶିବାର ୨ ବର୍ଷ ପରେ ଅର୍‍ବାଜ ଖାଁ ଜାଣି ପାରିଥିଲେ ଯେ ସୋନୁ ଗୋପନ ଭାବେ ସମସ୍ତ ବୈଠକର ଭିଡିଓ ରେକର୍ଡିଂ କରୁଥିଲା। ଏପରିକରି ଜଣେ ସରକାରୀ ଅଧିକାରୀଙ୍କୁ ସୋନୁ କିଛିମାସ ବ୍ଲାକ୍‍ମେଲ ମଧ୍ୟ କରିଥିଲା। କିଛି ନାମୀଦାମୀ ବ୍ୟକ୍ତିତ୍ୱଙ୍କ ସହ ସୋନୁର ସମ୍ପର୍କ ଥିଲା; ଯାହାଙ୍କ ଜରିଆରେ ସେ ଅନ୍ୟ ସେଲିବ୍ରିଟିଙ୍କ ସହ ସମ୍ପର୍କ ଯୋଡ଼ୁଥିଲା। ଏହିପରି ସୋନୁର ଜାଲରେ ପଡ଼ିଥିଲେ ଅର୍‍ବାଜ୍‍। ଥାନେ ପୁଲିସ ଆହୁରି ମଧ୍ୟ ସୂଚନା ଦେଇଛି ଯେ ସୋନୁର ବେଟିଂ ସିଣ୍ଡିକେଟ୍‍ରେ ପ୍ରାୟ ୧୨୦୦ ଗରାଖ ଥିଲେ; ଯିଏ ନିୟମିତ ଭାବେ କ୍ରିକେଟ ମ୍ୟାଚ୍‍ରେ ବେଟିଂ କରୁଥିଲେ। ଭାରତରେ ଏହି ସିଣ୍ଡିକେଟ୍‍ର ମୁଖ୍ୟ ହେଉଛି ଜୁନିୟର କଲକାତା। ତା’ ତଳକୁ ସିଣ୍ଡିକେଟ୍‍ରେ ଦେଶର ୨ ନମ୍ବର ହେଉଛି ସୋନୁ ଜଲାନ୍‍। ସୋନୁ ଗିରଫ ହେବା ପରେ ଜୁନିୟର କଲକାତା ଦେଶ ଛାଡ଼ି ଚାଲିଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ତେବେ ମୁମ୍ବଇ ପୁଲିସ ସହ ମିଶି ଥାନେ ପୁଲିସ ତଦନ୍ତକୁ ଜୋର୍‍ଦାର କରିଛି। କେବଳ ବେଟିଂ ନୁହେଁ; ମ୍ୟାଚ୍‍ ଫିକ୍ସିଂ ଦିଗର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଏହା କେବଳ ଆରମ୍ଭ ମାତ୍ର। ଆଗକୁ ବହୁ ନାମୀ ଦାମୀ ବ୍ୟକ୍ତିତ୍ୱଙ୍କ ନାମ ସାମ୍‍ନାକୁ ଆସିବ ବୋଲି ଅନୁମାନ କରାଯାଉଛି।

Leave A Reply