ରାଜସ୍ଥାନରେ ମେଣ୍ଟର ଅବଶ୍ୟକତା ନାହିଁ : ସଚିନ
![](https://samajalive.in/wp-content/uploads/2018/06/Sachin-Pilot-1.jpg)
ନୂଆଦିଲ୍ଲୀ : ସର୍ବଭାରତୀୟସ୍ତରରେ କଂଗ୍ରେସ ବିଭିନ୍ନ ଆଞ୍ଚଳିକ ଦଳ ସହିତ ମେଣ୍ଟ ପାଇଁ ସଜବାଜ ହେଉଥିବାବେଳେ ରାଜସ୍ଥାନ ପ୍ରଦେଶ କଂଗ୍ରେସ ମୁଖ୍ୟ ସଚିନ୍ ପାଇଲଟ ଏଥିରେ ଭିନ୍ନ ମତ ପୋଷଣ କରିଛନ୍ତି। ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ିବ; ଦଳର କାହା ସହିତ ମେଣ୍ଟ କରିବା ଆବଶ୍ୟକ ନାହିଁ ବୋଲି ସେ ରବିବାର ଏକ ସାକ୍ଷାତକାରରେ କହିଛନ୍ତି। ସଚିନ କହିଛନ୍ତି ଯେ ଭିନ୍ନଭିନ୍ନ ରାଜ୍ୟର ରାଜନୈତିକ ପରିସ୍ଥିତି ଭିନ୍ନ। କେଉଁଠି ଆଞ୍ଚଳିକ ଦଳଗୁଡ଼ିକ ଶକ୍ତିଶାଳୀ ଥିବାବେଳେ କେଉଁଠି ଉତ୍ସାହୀ ଅଛନ୍ତି। କେଉଁ ରାଜ୍ୟରେ କାହା ସହିତ ମେଣ୍ଟ କଲେ ସଫଳତା ମିଳିବ ତାହା ବିଚାର କରାଯାଇ ନିଷ୍ପତ୍ତି ନିଆଯିବ। ନିକଟରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ୧୭ଟି ଦଳର ନେତାଙ୍କୁ ନେଇ ଆଲୋଚନା କରିଥିଲେ। ଏହାର ସଫଳତା ଉତ୍ତରପ୍ରଦେଶ ଭଳି ରାଜ୍ୟରେ ମିଳିଛି। କଂଗ୍ରେସ ହେଉଛି ଜାତୀୟସ୍ତରରେ ସଂଖ୍ୟାଗରିଷ୍ଠ ଦଳ ଓ ଏହା ବିଜେପି ପ୍ରତି ଆହ୍ୱାନ ସୃଷ୍ଟିକରି ପାରିବ। କଂଗ୍ରେସ ସହିତ ବିଜେପି ବିରୋଧୀ ମେଣ୍ଟ ପାଇଁ ଅନ୍ୟ ଦଳଗୁଡ଼ିକୁ କିଛିଟା ସ୍ୱାର୍ଥ ତ୍ୟାଗ କରିବାକୁ ପଡ଼ିବ ବୋଲି ସଚିନ କହିଛନ୍ତି। ରାଜସ୍ଥାନ ପ୍ରସଙ୍ଗରେ ସେ କହିଛନ୍ତି ଯେ ଏଠାରେ ବସ୍ତୁତଃ ଦୁଇଟି ଦଳର ଉପସ୍ଥିତି ରହିଛି। ତୃତୀୟ ଦଳର ସ୍ଥିତି ନଥିଲାବେଳେ ମେଣ୍ଟର ପ୍ରଶ୍ନ କେଉଁଠି ଉଠୁଛି ବୋଲି ସେ ପ୍ରଶ୍ନ କରିଛନ୍ତି। ନିକଟରେ ଅନୁଷ୍ଠିତ ଉପନିର୍ବାଚନ ଗୁଡ଼ିକରେ କଂଗ୍ରେସ କାହାର ବିନା ସହାୟତାରେ ସଫଳତା ହାସଲ କରିଛି। ରାଜ୍ୟରେ ଦଳ ବିଶେଷ ଭାବେ ଓବିସି ଭୋଟରଙ୍କ ଉପରେ ନିର୍ଭରଶୀଳ ଥିବାବେଳେ ଏହି ବର୍ଗର ସମର୍ଥନ ମଧ୍ୟ ମିଳୁଛି ବୋଲି ସେ ଦର୍ଶାଇଛନ୍ତି।