ପାକିସ୍ତାନ ଗୁଳିରେ ୨ ଯବାନ ସହିଦ
ଜମ୍ମୁ: ସୀମାରେ ଶାନ୍ତି ପାଇଁ ସହମତି ପରେ ପାକିସ୍ତାନର ବିଶ୍ୱାସଘାତକତାର ଦୃଷ୍ଟାନ୍ତ ପୁଣି ଥରେ ଦେଖିବାକୁ ମିଳିଛି। ଜମ୍ମୁ ନିକଟ ଆନ୍ତର୍ଜାତିକ ସୀମାରେ ପାକିସ୍ତାନ ପଟୁ ଗୁଳି ବର୍ଷଣରେ ଦୁଇ ଜଣ ସୀମା ସୁରକ୍ଷା ବଳ ଯବାନ ସହିଦ ହୋଇଛନ୍ତି। ଜମ୍ମୁର ଆଖନୁର ସେକ୍ଟରରେ ପାକିସ୍ତାନ ପଟୁ ଆଜି ସକାଳୁ ଗୁଳିବର୍ଷଣ ହୋଇଥିଲା। ଏଥିରେ ଦୁଇ ବିଏସ୍ଏଫ୍ ଯବାନଙ୍କ ସହିତ ଜଣେ ଆସିଷ୍ଟାଣ୍ଟ ସବ୍ଇନ୍ସପେକ୍ଟର ଗୁରୁତର ହୋଇଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଦୁଇ ଯବାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହାପରେ ଭାରତ ପଟୁ ପାଲଟା ଗୁଳିଚାଳନା କରାଯାଇଛି। ଗୁଳିଚାଳନା ଜାରି ରହିଥିବାରୁ ସୀମା ପୁଣି ଅଶାନ୍ତ ହୋଇପଡ଼ିଛି।
ମେ’ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ପାକିସ୍ତାନ ପଟୁ ପ୍ରବଳ ଗୁଳିଗୋଳା ବର୍ଷଣ ଜାରି ରହିଥିଲା। ଏଥିରେ ୨ ଜଣ ବିଏସ୍ଏଫ୍ ଯବାନ ଓ ଜଣେ ୮ ବର୍ଷର ଶିଶୁ ସମେତ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଗତ ମେ’ ୨୯ ତାରିଖରେ ଭାରତର ଡିଜିଏମ୍ଓ ଲେଫ୍ଟନାଣ୍ଟ ଅନିଲ୍ ଚୌହ୍ୱାନ ଓ ପାକିସ୍ତାନର ମେଜର ଜେନେରାଲ୍ ସମ୍ସାଦ୍ ମିର୍ଜାଙ୍କ ମଧ୍ୟରେ ସୀମାରେ ଶାନ୍ତି ପାଇଁ ଆଲୋଚନା ହୋଇଥିଲା। ୨୦୦୩ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଲେଟର ଆଣ୍ଡ ସ୍ପିରିଟ୍ ଅନୁଯାୟୀ ଅସ୍ତ୍ରବିରତି ପାଇଁ ଆଲୋଚନା ବେଳେ ସହମତି ହୋଇଥିଲା। କିନ୍ତୁ ଆଜି ପାକିସ୍ତାନ ଚୁକ୍ତି ଉଲ୍ଲଂଘନ କରିଛି।