ଗଠନ ହେଲା କାବେରୀ ଜଳ ପରିଚାଳନା ପ୍ରାଧିକରଣ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର କାବେରୀ ଜଳ ପରିଚାଳନା ପ୍ରାଧିକରଣ(ସିଏମ୍‍ଏ) ଗଠନ କରିଛନ୍ତି। ଫେବୃୟାରୀ ୧୬ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ବଳରେ ତାମିଲନାଡୁ, କର୍ଣ୍ଣାଟକ, କେରଳ ଏବଂ ପୁଦୁଚେରୀ ମଧ୍ୟରେ ଜଳ ଆବଣ୍ଟନ ନେଇ ଥିବା ବିବାଦର ସମାଧାନ ପାଇଁ ଏହି ପ୍ରାଧିକରଣ ଗଠନ କରାଯାଇଛି। ୬ ସପ୍ତାହ ମଧ୍ୟରେ ସିଏମ୍‍ଏ ଗଠନ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ। ଏ ନେଇ ଜଳସଂପଦ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କାବେରୀ ଜଳ ବିବାଦ ଟ୍ରିବ୍ୟୁନାଲ୍‍ରେ ସଂଶୋଧନ ପାଇଁ ସର୍ବୋଚ୍ଚ ଅଦାଲତର ନିର୍ଦ୍ଦେଶ ବଳରେ ସିଏମ୍‍ଏ ଏବଂ କାବେରୀ ଜଳ ନିୟନ୍ତ୍ରଣ କମିଟି ଆଧାରରେ ଏହି ପ୍ରାଧିକରଣ ଗଠନ କରାଯାଇଛି। ଏହି ପ୍ରାଧିକରଣରେ ଜଣେ ଅଧ୍ୟକ୍ଷ ଓ ଜଣେ ସଚିବଙ୍କ ସମେତ ୮ ଜଣ ସଦସ୍ୟ ରହିବେ। କେନ୍ଦ୍ରସରକାରଙ୍କ ପକ୍ଷରୁ ଅଧ୍ୟକ୍ଷ ନିଯୁକ୍ତି ଦିଆଯିବ ଏବଂ ତାଙ୍କର କାର୍ଯ୍ୟକାଳ ୫ ବର୍ଷ ରହିବ। ୮ଜଣ ସଦସ୍ୟ ମଧ୍ୟରୁ ୪ ଜଣ ପୂର୍ଣ୍ଣକାଳୀନ ସଦସ୍ୟ ରହିବେ ଏବଂ ୪ରାଜ୍ୟରୁ ୪ଜଣ ସଦସ୍ୟ ରହିବେ। ଏହି ପ୍ରାଧିକରଣର କାର୍ଯ୍ୟକାରିତା ପାଇଁ କେନ୍ଦ୍ର ସରକାର ପ୍ରାଥମିକ ଅନୁଦାନ ଭାବେ ୨ କୋଟି ଟଙ୍କା ପ୍ରଦାନ କରିବେ।

ଅନ୍ୟପକ୍ଷରେ ତାମିଲନାଡୁ ସରକାର କାବେରୀ ଜଳ ପରିଚାଳନା ପ୍ରାଧିକରଣ ଗଠନ ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଇ.କେ. ପାଲାମିସ୍ୱାମୀ ଏହା ତାମିଲନାଡୁ ସରକାର ଓ କୃଷକମାନଙ୍କ ବିଜୟ ବୋଲି ଏକ ବାର୍ତ୍ତାରେ କହିଛନ୍ତି। ଏହି ନିଷ୍ପତ୍ତି ତାମିଲନାଡୁ ଓ ତା’ର କୃଷକମାନଙ୍କ ଜୀବନ ଜୀବିକାକୁ ଳାଭପ୍ରଦ କରାଇବ ବୋଲି ସେ କହିଛନ୍ତି।

Leave A Reply