www.samajalive.in
Wednesday, December 10, 2025
15.1 C
Bhubaneswar

ଟ୍ବେଣ୍ଟି୨୦: ଭାରତଠାରୁ ବହୁତ ଆଗରେ ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ: ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍‌ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ପାଦଦେଇଛି। ଘରୋଇମାଟିରେ କ୍ରମାଗତ ୩ଟି ସିରିଜ୍ ଜିତି ନ୍ୟୁଜିଲାଣ୍ଡରେ ପହଞ୍ଚିଛି ଭାରତୀୟ ଦଳ। ପୂରା ଶକ୍ତି ସହ ଭାରତ ଆସିଥିବା ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍‌କୁ ୧୦ ୱିକେଟରେ ହାରିବା ପରେ ପରବର୍ତ୍ତୀ ୨ଟି ଦିନିକିଆ ମ୍ୟାଚ୍‌କୁ ସହଜରେ ଜିତି ସିରିଜ୍ ହାତେଇବା ବିରାଟ କୋହଲିଙ୍କ ଦଳର ମନୋବଳ ପାଇଁ ଟନିକ୍ ପରି କାମଦେବ। ତେବେ ସମ୍ମୁଖରେ ଘରୋଇ ନ୍ୟୁଜିଲାଣ୍ଡ ଦଳ। ଘରୋଇ ବାତାବରଣ ଓ ପିଚ୍‌ରେ ଏହା ଖେଳିବ। ବିଶ୍ବର ଶକ୍ତିଶାଳୀ ଦଳ ଏଠାରେ ଆସି ହାର ମାନି ଫେରି ଯାଇଛନ୍ତି। ପୁଣି ଘରୋଇମାଟିରେ ନ୍ୟୁଜିଲାଣ୍ଡ ଦଳର ରେକର୍ଡ ବହୁତ ଭଲ। ଏହାସହ ଟ୍ବେଣ୍ଟି୨୦ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ବହୁତ ଆଗରେ ରହିଛି। ଆସନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ବେଣ୍ଟି୨୦ ରେକର୍ଡ ଉପରେ ନଜର ପକାଇବା।

ଅଦ୍ୟାବଧି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ ୪ଟି ଦ୍ବିପାକ୍ଷିକ ସିରିଜ୍ ଖେଳାଯାଇଛି। ଏଥିରୁ ନ୍ୟୁଜିଲାଣ୍ଡ ୩ଟି ଜିତିଥିବା ବେଳେ ଭାରତ ମାତ୍ର ଗୋଟିଏ ସିରିଜ୍ ଜିତିଛି। ୨୦୦୯ରେ ନ୍ୟୁଜିଲାଣ୍ଡରେ ଖେଳା ଯାଇଥିବା ୨ ମ୍ୟାଚ୍‌ର ଟ୍ବେଣ୍ଟି୨୦ ସିରିଜ୍‌କୁ ଘରୋଇ ଦଳ ୨-୦ରେ ଜିତି ନେଇଥିଲା। ଉଭୟ ମ୍ୟାଚ୍‌ରେ ବ୍ରେଣ୍ଡନ୍ ମ୍ୟାକ୍‌କଲମ୍ ଭାରତୀୟ ବୋଲରଙ୍କୁ ପ୍ରବଳ ପ୍ରହାର କରିଥିଲେ। ୨୦୧୨ରେ ଭାରତରେ ଉଭୟ ଦଳଙ୍କ ମଧ୍ୟରେ ୨ୟ ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ସିରିଜ୍ ଖେଳା ଯାଇଥିଲା। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ଯାଇଥିବା ବେଳେ ୨ୟ ମ୍ୟାଚ୍‌ରେ ବ୍ରେଣ୍ଡନ୍ ମ୍ୟାକ୍‌କଲମ୍ ୫୫ ବଲ୍‌ରୁ ୯୧ ରନ୍‌ କରିବାରୁ ନ୍ୟୁଜିଲାଣ୍ଡ ୧ ରନ୍‌​‌େ​‌ର ଜିତିଥିଲା। ବିରାଟ କୋହଲି ୪୧ ବଲ୍‌ରୁ ୭୦ ରନ୍ କରିଥିଲେ ହେଁ ଏହା ବେକାର ହୋଇଥିଲା। ୨୦୧୭ରେ ଭାରତରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଦ୍ବିପାକ୍ଷିକ ଟ୍ବେଣ୍ଟି୨୦ ସିରିଜ୍ ଖେଳା ଯାଇଥିଲା। ୩ ମ୍ୟାଚ୍‌ର ଏହି ସଂଘର୍ଷପୂର୍ଣ୍ଣ ସିରିଜ୍‌କୁ ଭାରତ ୨-୧ରେ ଜିତି ନେଇଥିଲା। ପ୍ରଥମ ମ୍ୟାଚ୍‌ରେ ଦୁଇ ଓପ୍‌ନର ରୋହିତ ଶର୍ମା ଓ ଶିଖର ଧାୱନ୍ ୮୦ ରନ୍ ଲେଖାଏଁ କରିଥିଲେ। ୨ୟ ମ୍ୟାଚ୍‌ରେ କଲିନ୍ ମନ୍‌ରୋଙ୍କ ବିସ୍ଫୋରକ ଅପରାଜିତ ଶତକରେ ନ୍ୟୁଜିଲାଣ୍ଡ ଜିତିଥିଲା। ୩ୟ ମ୍ୟାଚ୍‌ ୮ ଓଭର ହୋଇଥିବା ବେଳେ ଭାରତ ଏହାକୁ ଜିତି ନେଇଥିଲା। ଗତବର୍ଷ ଫେବୃୟାରୀରେ ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ଯାଇଥିଲା। ଏହି ସିରିଜ୍‌ରେ ଟ୍ବେଣ୍ଟି୨୦ ସିରିଜ୍‌କୁ ନ୍ୟୁଜିଲାଣ୍ଡ ୨-୧​‌ରେ ଜିତି ନେଇଥିଲା। ପ୍ରଥମ ମ୍ୟାଚ୍‌ରେ ଟିମ୍ ସୈଫର୍ଟଙ୍କ ବିସ୍ଫୋରକ ଇନିଂସ ବଳରେ ନ୍ୟୁଜିଲାଣ୍ଡ ବିପୁଳ ବିଜୟ ହାସଲ କରିିଥିଲା। ୨ୟ ମ୍ୟାଚ୍‌ରେ କ୍ରୁନାଲ ପାଣ୍ଡ୍ୟାଙ୍କ ଘାତକ ବୋଲିଂ ବଳରେ ଭାରତ ଜିତିଥିଲା। ୩ୟ ମ୍ୟାଚ୍‌ରେ କଲିନ୍ ମନ୍‌ରୋଙ୍କ ବିସ୍ଫୋରକ ଇନିଂସ ବଳରେ ନ୍ୟୁଜିଲାଣ୍ଡ ୪ ରନ୍‌ରେ ଜିତିଥିଲା।

- Advertisement -

ମୋଟଉପରେ ଉଭୟ ଦଳଙ୍କ ମଧ୍ୟରେ ଅଦ୍ୟାବଧି ୧୧ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳାଯାଇଛି। ସେଥିରୁ ନ୍ୟୁଜିଲାଣ୍ଡ ୮ଟି ମ୍ୟାଚ୍ ଜିତିଥିବା ବେଳେ ଭାରତ ୩ଟି ମ୍ୟାଚ୍ ଜିତିପାରିଛି। ବର୍ତ୍ତମାନ ଖେଳୁଥିବା ଭାରତୀୟ ଖେଳାଳିଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି ରୋହିିତ ଶର୍ମା (୯ଟି ମ୍ୟାଚ୍‌ରୁ ୧୯୮ ରନ୍)। ତେବେ ନ୍ୟୁଜିଲାଣ୍ଡର ବର୍ତ୍ତମାନର ଖେଳାଳିଙ୍କ ମଧ୍ୟରୁ ଭାରତ ବିପକ୍ଷରେ ସର୍ବାଧିକ ଟ୍ବେଣ୍ଟି୨୦ ସ୍କୋର୍ କରିଛନ୍ତି କଲିନ୍ ମନ୍‌ରୋ (୭ଟି ମ୍ୟାଚ୍‌ରୁ ୨୪୮ ରନ୍‌)। ଏବେ ଭାରତୀୟ ଦଳରେ ଥିବା ବୋଲରଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ସର୍ବାଧିକ ୱିକେଟ ନେଇଛନ୍ତି ଯଶପ୍ରୀତ ବୁମ୍‌ରା (୪ଟି ମ୍ୟାଚ୍‌ରୁ ୪ଟି ୱିକେଟ)। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ପାଇଁ ଲେଗ୍‌ ସ୍ପିନର ଇସ୍ ସୋଢ଼ି ୭ଟି ମ୍ୟାଚ୍‌ରୁ ସର୍ବାଧିକ ୧୧ଟି ୱିକେଟ ନେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories