ବିଜେପିର ଚାନ୍ଦା ୯ ଗୁଣ ବଢ଼ିଛି

0

ନୂଆଦିଲ୍ଲୀ: ୨୦୧୬-୧୭ ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୭ଟି ରାଜନୈତିକ ଦଳ ଚାନ୍ଦା ଆକାରରେ ପାଇଛନ୍ତି ୫୮୯.୩୮ କୋଟି ଟଙ୍କା। ସେଥିମଧ୍ୟରୁ କେବଳ ବିଜେପି ପାଇଛି ୫୩୨.୨୭ କୋଟି ଟଙ୍କା। ୧,୧୯୪ଟି ସଂସ୍ଥାରୁ ଦଳ ଏହି ଚାନ୍ଦା ସଂଗ୍ରହ କରିଛି। ଅନ୍ୟ ଦଳ ତୁଳନାରେ କେବଳ ବିଜେପିର ଚାନ୍ଦା ପରିମାଣ ବହୁ ଗୁଣ ବଢ଼ିଛି। ରାଜନୈତିକ ଦଳମାନଙ୍କ ଘୋଷଣାନାମା ବା ସ୍ୱୀକାରୋକ୍ତିରେ ପ୍ରକାଶିତ ତଥ୍ୟ ଆଧାରରେ ଏହା ଜଣାପଡ଼ିଛି।
ଏଡିଆର ଓ ନ୍ୟାଶ୍‍ନାଲ୍‍ ଇଲେକ୍ସନ୍‍ ୱାଚ୍‍ ନାମକ ସଂସ୍ଥାର ତଥ୍ୟ ଅନୁଯାୟୀ ୨୦୧୫-୧୬ ତୁଳନାରେ ରାଜନୈତିକ ଦଳଗୁଡ଼ିକର ମୋଟ ଚାନ୍ଦା ସଂଗ୍ରହ ପରିମାଣ ବୃଦ୍ଧି ପାଇଛି। ୨୦୧୬-୧୭ ଆର୍ଥିକ ବର୍ଷରେ ଅଦୃଶ୍ୟ ଉତ୍ସରୁ ସେମାନଙ୍କର ମୋଟ ଆୟ ଥିଲା ୭୧୦.୮୦ କୋଟି ଟଙ୍କା। ଚାନ୍ଦାବାବଦ ୫୮୯.୩୮ କୋଟି ଟଙ୍କା ବାଦ୍‍ ଦେଲେ ବାକି ଟଙ୍କା କେଉଁଠାରୁ ଆସିଛି ସେ ସମ୍ପର୍କରେ ଉଲ୍ଲେଖ ନାହିଁ। ଏହି ବର୍ଷ କଂଗ୍ରେସ ୫୯୯ଟି ସଂସ୍ଥାରୁ ମାତ୍ର ୪୧,୯୦ କୋଟି ଟଙ୍କା ସଂଗ୍ରହ କରିପାରିଛି।
ବିଜେପି ୨୦୧୫-୧୬ରେ ୭୬.୮୫ କୋଟି ଟଙ୍କା ଚାନ୍ଦା ସଂଗ୍ରହ କରିଥିବା ବେଳେ ୨୦୧୬-୧୭ରେ ୫୩୨.୨୭ କୋଟି ଟଙ୍କା ସଂଗ୍ରହ କରିଛି। ଅନ୍ୟାନ୍ୟ ଦଳ ମଧ୍ୟରେ ବିଏସ୍‍ପି କୌଣସି ସଂସ୍ଥାରୁ କିଛି ବି ଚାନ୍ଦା ସଂଗ୍ରହ କରି ନାହିଁ। ରାଜ୍ୟଭିତ୍ତିକ ଚାନ୍ଦା ହିସାବରେ ଦିଲ୍ଲୀରୁ ସର୍ବାଧିକ ୨୯୦.୯୦ କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ମହାରାଷ୍ଟ୍ରରୁ ୧୧୨.୩୧ କୋଟି ଟଙ୍କା, ଉତ୍ତର ପ୍ରଦେଶରୁ ୨୦.୨୨ କୋଟି ଟଙ୍କା ମିଳିଛି।

Leave A Reply