ମାଲ୍ୟା, ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଭାରତର ନିବେଦନ 

0

ନୂଆଦିଲ୍ଲୀ: ଅର୍ଥନୈତିକ ଅପରାଧରେ ସମ୍ପୃକ୍ତ ଥାଇ ଲଣ୍ଡନରେ ବସବାସ କରୁଥିବା ଭାରତୀୟ ବ୍ୟବସାୟୀ ବିଜୟ ମାଲ୍ୟା, ଲଳିତ ମୋଦୀଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଭାରତ ସରକାର ବ୍ରିଟେନ୍‍କୁ ନିବେଦନ କରିଛନ୍ତି। ଏହାଛଡ଼ା ହୀରା ବ୍ୟବସାୟୀ ନିରବ ମୋଦୀକୁ ଠାବ କରିବାରେ ସହାୟତା ପାଇଁ ମଧ୍ୟ ସରକାର ନିବେଦନ କରିଛନ୍ତି। ନିରବ ସମ୍ପ୍ରତି ବ୍ରିଟେନ୍‍ରେ ରାଜନୈତିକ ଆଶ୍ରୟ ନେବାକୁ ଉଦ୍ୟମ କରୁଥିବା ସୂଚନା ମିଳିଛି। ବୁଧବାର ଭାରତ-ବ୍ରିଟେନ୍‍ ମଧ୍ୟରେ ଅନୁଷ୍ଠିତ ତୃତୀୟ ସ୍ୱରାଷ୍ଟ୍ର ବିଭାଗ ଅଧିକାରୀଙ୍କ ବୈଠକରେ ଭାରତ ପକ୍ଷରୁ ବ୍ରିଟେନ୍‍ ଅଧିକାରୀଙ୍କ ନିକଟରେ ଏ ନେଇ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାଛଡ଼ା ବ୍ରିଟେନ୍‍ ମାଟିରେ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ କାଶ୍ମୀର ବିଚ୍ଛିନ୍ନତାବାଦୀ ଓ ଖଲିସ୍ତାନ ସପକ୍ଷବାଦୀଙ୍କୁ ସୁଯୋଗ ନଦେବାକୁ ମଧ୍ୟ ଭାରତ ନିବେଦନ କରିଛି। ପୁନଶ୍ଚ ଭାରତୀୟ ନାଗରିକ, ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଭିସା ସମସ୍ୟାର ସମାଧାନ କରିବାକୁ ମଧ୍ୟ ନିବେଦନ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଓ ବ୍ରିଟେନ୍‍ ପ୍ରତିପକ୍ଷ ପାଟ୍‍ସି ୱିଲକିନ୍‍ସନଙ୍କ ନେତୃତ୍ୱରେ ଉଭୟ ପକ୍ଷରୁ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ଦ୍ୱିପାକ୍ଷିକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଅନ୍ୟାନ୍ୟ ପ୍ରସଙ୍ଗ ମଧ୍ୟରେ ସାଇବର ସୁରକ୍ଷା ଓ ମହିଳା ସୁରକ୍ଷା, ସଂଗଠିତ ଅପରାଧ, ଆତଙ୍କବାଦୀଙ୍କୁ ପାଣ୍ଠିଯୋଗାଣ, ଗୁଇନ୍ଦା ସୂଚନା ଆଦାନପ୍ରଦାନ ଇତ୍ୟାଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ ୨୦୧୬ ନଭେମ୍ବରରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ତେରୋସା ମେ’ଙ୍କ ଭାରତ ଗସ୍ତ ଅବସରରେ ଉଭୟ ଦେଶର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟସ୍ତରୀୟ ଆଲୋଚନା ପାଇଁ ନିଷ୍ପତ୍ତି ହୋଇଥିଲା।

Leave A Reply