ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

0

ଭୁବନେଶ୍ୱର:ଖାରବେଳନଗର ଥାନା ଅଧୀନ ଜନପଥରେ ଥିବା ବ୍ଲାକବେରୀ ଶୋ-ରୁମରେ ରବିବାର ରାତିରେ ଅଗ୍ନିକାଣ୍ଡ ଘଟିଛି । ଶୋ-ରୁମରେ ଜନଗହଳି ଥିବା ସମୟରେ ଏହାର ତୃତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିଲା । କର୍ମଚାରୀମାନେ ଧୂଆଁ ବାହାରୁଥିବା ଦେଖିବା ପରେ ଗ୍ରାହକମାନଙ୍କୁ ତୁରନ୍ତ ବାହାରକୁ ଚାଲିଯିବାକୁ କହିଥିଲେ। ଏ ସମ୍ପର୍କରେ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଶୋ-ରୁମରେ ନିଆଁ ଲାଗିଥିବା ଖବର ବ୍ୟାପିଯିବାରୁ ଆଖପାଖ ଶୋ-ରୁମ ମଧ୍ୟ ବନ୍ଦ ହୋଇଯାଇଥିଲା। ଶତାଧିକ ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଯିବାରୁ ଜନପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅଗ୍ନିଶମ ବିଭାଗର ୫ଟି ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲା। ଉପର ମହଲାରେ ନିଆଁ ଲାଗିଥିବାରୁ ଅଗ୍ନିଶମ ବିଭାଗର ବ୍ରୋଣ୍ଟୋସ୍କାଏ ଗାଡିକୁ ମଧ୍ୟ ନିଆଁ ଲିଭାଇବା ପାଇଁ ନିୟୋଜିତ କରାଯାଇଥିଲା। ଅଗ୍ନିକାଣ୍ଡରେ ଶୋ-ରୁମର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଉଛି।
ରାତି ପ୍ରାୟ ୯ଟା ୮ମିନିଟରେ ଶୋ-ରୁମରେ ତୃତୀୟ ମହଲାରୁ ଧୂଆଁ ବାହାରୁଥିବା ନେଇ କାର୍ଯ୍ୟରତ କର୍ମଚାରୀ ଦେଖିବାକୁ ପାଇଥିଲେ। ଉପର ମହଲାରେ ଶୋ-ରୁମର ଆସବାବପତ୍ର ଏବଂ କପଡାରେ ନିଆଁ ଲାଗିବା ଫଳରେ ଧୂଆଁମୟ ହୋଇଯାଇଥିଲା। କର୍ମଚାରୀମାନେ ତୁରନ୍ତ ବିଦ୍ୟୁତ ସଂଯୋଗ କାଟିଦେଇଥିଲେ। ଶୋ-ରୁମ ଅନ୍ଧାର ହୋଇଯିବାରୁ କେହି ଉପରକୁ ଯିବାକୁ ସାହସ କରିନଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଉପରକୁ ଯାଇ ନିଆଁ ଲିଭାଇଥିଲେ। ପ୍ରାୟ ଦେଢ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଘଟଣାସ୍ଥଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବାରୁ ପୁଲିସକୁ ଯାନବାହନ ଚଳାଚଳ ସ୍ୱାଭାବିକ କରିବାକୁ ନାକେଦମ ହେବାକୁ ପଡିଥିଲା। ଏହି ଘଟଣାରେ ଉକ୍ତ ଶୋ-ରୁମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଥିଲା କି ନାହିଁ ସେ ନେଇ ଅଗ୍ନିଶମ ବିଭାଗ ତଦନ୍ତ କରିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗତ କିଛି ମାସ ପୂର୍ବେ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ନେଇ ବିଭିନ୍ନ ହୋଟେଲ ଏବଂ ମଲକୁ ନୋଟିସ ଜାରି କରାଯାଇ ଯାଞ୍ଚ କରାଯାଇଥିଲା। ଏହି ଶୋ-ରୁମରେ ନିରାପତ୍ତା ବ୍ୟବସ୍ଥା ନଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି। ଶୋ-ରୁମର କେତେଜଣ କର୍ମଚାରୀ କହିବା ମୁତାବକ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଥିଲେ ମଧ୍ୟ ଅଗ୍ନିକାଣ୍ଡ ସମୟରେ ଏହା ବ୍ୟବହାର କରାଯାଇପାରିନଥିଲା। ଅନେକ ସମୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଉପଯୁକ୍ତ ବ୍ୟବହାର କର୍ମଚାରୀମାନେ ଜାଣିନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି ବୋଲି ମତପ୍ରକାଶ ପାଇଛି।

Leave A Reply