ଚେକ୍ ବାଉନ୍ସ ମାମଲା: ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି
କଟକ: ଚେକ ବାଉନ୍ସ ମାମଲାରେ କଟକ ଜେଏମଏଫସି କୋର୍ଟ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି କରିଛନ୍ତି। ଆସନ୍ତା ଜୁନ ମାସ ୧୮ତାରିଖରେ ଏନବିଡବ୍ଲ୍ୟୁ କାର୍ଯ୍ୟକାରୀ କରିବା ପାଇଁ କୋର୍ଟ ଦୁଇ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ଜମି କାରବାର କରିବା ପାଇଁ ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନସ୍ଥ ଏୟାର ଫିଲ୍ଡ ଥାନା ଅଞ୍ଚଳର ଭବାନୀ ଶଙ୍କର ମହାନ୍ତି ଓ ସହିଦ ନଗର ଥାନା ଅଞ୍ଚଳର ଜିତେନ୍ଦ୍ର ନାଥ ପଲେଇ ୨୦୧୦, ନଭେମ୍ବର ମାସ ୩ତାରିଖରେ କଟକ ସହରର ଦେଉଳସାହି ଅଞ୍ଚଳର ନିର୍ମଳ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଠାରୁ ୨ଲକ୍ଷ ଟଙ୍କା ନେଇଥିଲେ। ଏହାପରେ ଭବାନୀ ଓ ଜିତେନ୍ଦ୍ର ୨୦୧୧, ଅଗଷ୍ଟ ମାସ ୩ତାରିଖରେ ଏକ ଚେକ ମାଧ୍ୟମରେ ଟଙ୍କା ଫେରସ୍ତ କରିଥିଲେ। ନିର୍ମଳ ଏହି ଚେକ ପାଇବା ପରେ ବ୍ୟାଙ୍କରେ ଜମା କରିଥିଲେ। କିନ୍ତୁ ଚେକ ବାଉନ୍ସ କରିଥିଲା। ଫଳରେ ନିର୍ମଳ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ଏହି ମାମଲାର ଶୁଣାଣି ସମୟରେ ଅଭିଯୁକ୍ତମାନେ କୋର୍ଟରେ ହାଜର ନହେବାରୁ କୋର୍ଟ ଜାମିନ ବିହୀନ ପରୱାନା ଜାରି କରି ଦୁଇ ଥାନା ଅଧିକାରୀଙ୍କୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ସିଦେ୍ଧଶ୍ୱର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।