୧୨ ହଜାର ହେକ୍ଟର ସଂରକ୍ଷିତ ଜଙ୍ଗଲରେ ବୁଲୁଛି ଚିତା ବାଘ
ଟିଟିଲାଗଡ଼: ଟିଟିଲାଗଡ ବନବିଭାଗ ଅନ୍ତର୍ଗତ ପ୍ରାୟ ୧୨ ହଜାର ହେକ୍ଟର ପରିମିତ ଜଙ୍ଗଲରେ ନିର୍ଭୟରେ ଚିତା ବାଘ ବିଚରଣ କରୁଥିବା ଅନେକ କୌତୁକିଆ ଦୃଶ୍ୟ ସମ୍ମୁଖକୁ ଆସିଛି। ବନ ବିଭାଗ ପକ୍ଷରୁ ବାଘର ଗତିବିଧି ଉପରେ ନଜର ରଖିବା ପାଇଁ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯାଇଥିବା ବେଳେ ନିତ୍ୟ ଟ୍ରାକ ଚାଲିଛି। ବିଶେଷ କରି ଜନବସତି ଅଂଚଳକୁ ବାଘ ପ୍ରବେଶ କରିବା ନେଇ ସ୍ଥାନୀୟ ଅଂଚଳରେ ଲୋକଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି। ସୂଚନା ଯେ ଟିଟିଲାଗଡ ବନ ବିଭାଗ ଅନ୍ତର୍ଗତ ବଡମାଲ, ସିକେର, ବେଲଗାଁ ତଥା ଟିଟିଲାଗଡ ଅଂଚଳରେ ୧୦୦୩୬ ହେକ୍ଟର ବର୍ଣ୍ଣେଇ ସଂରକ୍ଷିତ ଜଙ୍ଗଲ, ୧୧୪.୯୮ ହେକ୍ଟର କୁଟ୍ରା ସଂରକ୍ଷିତ ଜଙ୍ଗଲ, ୨୪୪.୩୬ ହେକ୍ଟର ଶିଶକେଲା ସଂରକ୍ଷିତ ଜଙ୍ଗଲ, ୯୪୧.୦୧ ବଡତିଖାରି ସଂରକ୍ଷିତ ଜଙ୍ଗଲ, ୩୧୦.୭୪ ହେକ୍ଟର ସାନ ତିଖାରି ସଂରକ୍ଷିତ ଜଙ୍ଗଲ ସମେତ ଅନେକ ଗ୍ରାମ୍ୟ ତଥା ପତ୍ରା ଜଙ୍ଗଲ ରହିଛି। ସେ ମଧ୍ୟରୁ ୧୨୫୧ ହେକ୍ଟର ସଂରକ୍ଷିତ ଜଙ୍ଗଲ ଗୋଳାବାରୁଦ କାରଖାନାର ସୁଉଚ୍ଚ ପାଚେରି ଘେରରେ ନିରାପଦ ରହିଛି। ଏନେଇ ଏଅଂଚଳରେ ବିଭିନ୍ନ ବନ୍ୟ ଜୀବଜନ୍ତୁଙ୍କ ସଂଖ୍ୟା ବୃଦ୍ଧିରେ ଅନୁକୂଳ ପରିବେଶ ସୃଷ୍ଟି କରିଛି। ତେବେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ନେଇ ଜଙ୍ଗଲସମ୍ପଦ ହାନୀ, ବଣଜଙ୍ଗଲ ଘେରରେ ରହିଥିବା ଗ୍ରାମ ଗୁଡିକୁ ଆନୁସାଙ୍ଗିକ ସୁବିଧା ଯୋଗାଇବା ନେଇ ସରକାରଙ୍କ ପକ୍ଷରୁ ନିର୍ମାଣ କାର୍ୟ୍ୟ, ଅନେକ ସ୍ଥାନରେ ଚାଷ କାର୍ୟ୍ୟ ଉଦ୍ଦେଶ୍ୟରେ ଜଙ୍ଗଲ ସମ୍ପଦ ଧ୍ୱଂସ ବୃଦ୍ଧି ପାଇଚାଲିଛି। ଏହାକୁ ନେଇ ବନ୍ୟଜନ୍ତୁଙ୍କ ଆସ୍ଥାନ ଦିନକୁ ଦିନ ସଂକୁଚିତ ହୋଇ ସେମାନେ ଜନବସତି ମୁହାଁ ହୋଇ ଅନେକ ସମୟରେ ମୃତ୍ୟୁ ମୁଖରେ ପଡୁଛନ୍ତି। ଏନେଇ ଏଅଂଚଳରେ ଅନେକ ବିରଳ ପ୍ରଜାତିର ବନ୍ୟଜନ୍ତୁ ଲୋପ ପାଇଥିବା ବେଳେ ଜଙ୍ଗଲର ରାଜା ବାଘର ଶେଷ ସନ୍ତକ ଚିତା ବାଘ କିଛି ରହିଛନ୍ତି। ଏନେଇ ଉଭୟ ସାଧାରଣ ଜନତା ତଥା ବନ୍ୟଜନ୍ତୁଙ୍କ ସୁରକ୍ଷା ନେଇ ବନବିଭାଗ ହରଡଘଣାରେ ପଡିଥିବା ଆଲୋଚନା ହୋଇଛି। ଖୋଦ ବଲାଙ୍ଗିର ଡିଏଫଓଙ୍କ ତତ୍ୱାବଧାନରେ ଜଙ୍ଗଲରେ ଚିତା ବାଘ ଟ୍ରାକ ସହ ଧରିବା ପ୍ରୟାସ ଆରମ୍ଭ ହୋଇଛି। ଏନେଇ ବନବିଭାଗର ସ୍ୱତନ୍ତ୍ର ଟିମ ଜଙ୍ଗଲ ଅଂଚଳରେ ଅହୋରାତ୍ର ପଇଁତରା ମାରୁଥିବା ଦେଖାଯାଇଛି। ହରିଶଙ୍କରରୁ ଯନ୍ତା ଆଣି ଚିତା ବାଘ ଧରିବା ପ୍ରୟାସ ଆରମ୍ଭ ହୋଇଛି। ଉଭୟ ସ୍ଥାନୀୟ ଲୋକଙ୍କ ଧନଜୀବନ ସୁରକ୍ଷା ଏବଂ ଚିତା ବାଘକୁ ଟ୍ରାକ କରି ସୁରକ୍ଷିତ ଭାବରେ ସ୍ଥାନାନ୍ତର ନେଇ ବନବିଭାଗ ସତର୍କ ରହିଥିବା ଟିଟିଲାଗଡ ରେଞ୍ଜ ଅଧିକାରୀ ଜିତେନ୍ଦ୍ରୀୟ ନନ୍ଦ ଏନେଇ ନିଜ ପ୍ରତିକ୍ରୀୟାରେ କହିଛନ୍ତି।
Comments are closed.