ମାଣତ୍ରୀ ମନ୍ଦିର ହୁଣ୍ଡିରୁ ଚୋରି:ଅଭିଯୁକ୍ତ ଗିରଫ
ବଡ଼ସାହି: ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା କଖାରୁଆ ବୈଦନାଥଙ୍କ ମନ୍ଦିର ପାର୍ବତୀଙ୍କ ପାଖରେ ଥିବା ହୁଣ୍ଡି ବାକ୍ସରୁ ଭେଟି ତଥା ଦାନ ଟଙ୍କା ଚୋରି କରିଥିବା ଅଭିଯୋଗରେ ବୈଶିଙ୍ଗା ପୁଲିସ୍ ମଙ୍ଗଳବାର ମୁଖ୍ୟ ଅଭିଯୁକ୍ତ ଜଣଙ୍କୁ ଗିରଫ କରିଥିବା ବେଳେ ସହଯୋଗୀ ନାବାଳକକୁ ଅଟକ ରଖିଛି। ମୁଖ୍ୟ ଅଭିଯୁକ୍ତ ଜଣଙ୍କ ହେଲେ ବୈଶିଙ୍ଗା ଥାନା ଅଧୀନ ଅଁଳା-ହରିପୁର ଗ୍ରାମର ଭଗ ବେହେରାଙ୍କ ପୁଅ ଦେବୁ(୨୦)। ସେ ମନ୍ଦିର ନିକଟରେ ଥିବା କୁଣ୍ଡିସାହିରେ ଜଣକଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ସହଯୋଗୀ ନାବାଳକ ପିଲା ସହିତ ମିଶି ସୋମବାର ସନ୍ଧ୍ୟାରେ ଉପରୋକ୍ତ କାଣ୍ଡ ଭିଆଇଥିଲେ। ମଙ୍ଗଳବାର ସକାଳେ ଘଟଣା ଜଣାପଡ଼ିବା ପରେ ପରିଚ୍ଛା ପ୍ରଦୀପ କୁମାର ପଣ୍ଡା ଥାନାରେ ଅଭିଯୋଗ କରିଥିଲେ। ମନ୍ଦିର ସିସିଟିଭି କେମେରାରୁ ଚୋରଙ୍କୁ ଠାବ କରାଯିବା ପରେ ତାଙ୍କ ଠାରୁ ୫ହଜାର୨୧୦ଟଙ୍କାର ୫/୧୦ଟଙ୍କିଆ କଏନ ଜବତ କରାଯାଇଛି। ଭକ୍ତଗଣ ହୁଣ୍ଡିରେ ବିଭିନ୍ନ ପ୍ରକାରର କଏନ, ନୋଟ ଓ ଅଳଙ୍କାର ଦାନ କରୁଥିବା ବେଳେ କେବଳ ୫/୧୦ଟଙ୍କିଆ କଏନ ଜବତ ତଦନ୍ତ ସାପେକ୍ଷ। ଅଟକ ନାବାଳକ ଜଣଙ୍କ ଏହି ଘଟଣା ପୂର୍ବରୁ ଅନୁରୂପ ଚୋରିରେ ଜଡ଼ିତ ଥିବା ସ୍ୱୀକାର କରିଛି। ମନ୍ଦିର ଖୋଲା ଥିବା ବେଳେ ଭିତରକୁ ଅବାଧ ପ୍ରବେଶ ରୋକିବାକୁ ସାଧାରଣରେ ଦାବି ହେଉଛି। ବୈଶିଙ୍ଗା ଥାନାରେ ଏକ ଚୋରି ମାମଲା ରୁଜୁ ସାଙ୍ଗକୁ ମୁଖ୍ୟ ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯିବାକୁ ଥିବା ବେଳେ ନାବାଳକ ଜଣଙ୍କୁ ବିଚାରପତିଙ୍କ ନିକଟରେ ହାଜର କରାଯିବ ବୋଲି ଥାନାଧିକାରୀ କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି।
Comments are closed.