ଜନନେତା ବୀରେନ୍‌ ମିତ୍ରଙ୍କ ଜନ୍ମ ଜୟନ୍ତୀ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବିଚକ୍ଷଣ ରାଜନେତା, ଓଡ଼ିଶାର ଭୂତପୂର୍ବ ଉପମୁଖ୍ୟମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଭଳି ପ୍ରମୁଖ ପଦପଦବୀ ମଣ୍ଡନ କରିଥିବା ବୀରେନ୍‌ ମିତ୍ରଙ୍କର ଆଜି ଜୟନ୍ତୀ ଉତ୍ସବ। ୧୯୧୭ ମସିହା ନଭେମ୍ବର ୨୬ ତାରିଖରେ କଟକରେ ଏକ ବଙ୍ଗୀୟ ପରିବାରରେ ଜନ୍ମଗ୍ରହଣ କରିଥିବା ବୀରେନ୍‌ ବାବୁ କିନ୍ତୁ ଥିଲେ ଖାଣ୍ଟି ଓଡ଼ିଆ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ଥିଲା ତାଙ୍କର ପ୍ରାଣବନ୍ତ ଭଲପାଇବା। ଜଣେ ବିପ୍ଲବୀ ଓ ନିର୍ଭୀକ ସଂଗ୍ରାମୀ ରୂପେ ନେତାଜୀ ସୁଭାଷ ବୋଷଙ୍କ ଅଭିଭାଷଣରେ ଅବିଭୂତ ହୋଇ ଛାତ୍ର ଜୀବନରୁ ସହପାଠୀମାନଙ୍କୁ ଏକାଠି କରି ଏକ ବିପ୍ଲବୀ ଗୋଷ୍ଠୀ ଗଠନ କରିଥିଲେ। ଇନ୍ଦିରା ଗାନ୍ଧୀଙ୍କ ସମବୟସ୍କ ଥିବା ବୀରେନ୍‌ ବାବୁ ୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ସାମିଲ ହୋଇ କାରାବାସ ଭୋଗିଥିଲେ। ୧୯୩୯ ମେଡିକାଲ ସ୍କୁଲ ଛାତ୍ର ଧର୍ମଘଟର ନେତୃତ୍ବ ତାଙ୍କୁ ଯୁବବସ୍ଥାରୁ ସମାଜସେବା କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିଥିଲା। ୧୯୫୨ ମସିହାରେ କଂଗ୍ରେସର ମୁଖ୍ୟ କାର୍ପେଟଦାର ହୋଇ କଟକରୁ ବିଧାନସଭା ସଦସ୍ୟ ରୂପେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀକାଳରେ କ୍ରମାଗତ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୬୦-୬୧ରେ ବିଜୁ ବାବୁ ଓ ମହତାବଙ୍କ ମତଭେଦ ହେବାରୁ ସେ ବିଜୁ ବାବୁଙ୍କ ନେତୃତ୍ବକୁ ଗ୍ରହଣ କରି ନିର୍ବାଚନ ପ୍ରଚାର କରି ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ଦଳ ଲାଗି ଆଣିପାରିଥିଲେ। ସେ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। କାମରାଜ ଯୋଜନାରେ ବିଜୁ ବାବୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଯୋଜନା ବୋର୍ଡ ଅଧ୍ୟକ୍ଷ ହେବାରୁ ୨ ଅକ୍ଟୋବର ୧୯୬୩ରୁ ୨୧ ଫେବୃୟାରୀ ୧୯୬୫ ପର୍ଯ୍ୟନ୍ତ ବୀରେନ୍‌ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହୋଇ ବି ସାଧାରଣ ଜନତାର ଅତି ନିକଟତର ରହିଥିଲେ ବୀରେନ୍‌। ତେବେ ଦଳୀୟ ଶୃଙ୍ଖଳା ଭଙ୍ଗକରି ସେ ଲୋକଙ୍କୁ ସାହାଯ୍ୟ କରିବାରୁ ଅକଳରେ ପଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୬୦ ବର୍ଷ ବୟସରେ ୧୯୭୮ ମେ ୨୫ ତାରିଖରେ ଇହଲୀଳା ସମ୍ବରଣ କରିଥିବା ଏହି ନିଃସ୍ବାର୍ଥପର ଜନନେତାଙ୍କୁ ଆଜି ଜନ୍ମଦିନରେ ପ୍ରଣିପାତ

kalyan agarbati

Comments are closed.