ଡିସେମ୍ବର ପ୍ରଥମ ସପ୍ତାହରେ ଇଜିପ୍ଟରୁ ପହଁଞ୍ଚିବ ପିଆଜ

ନୂଆଦିଲ୍ଲୀ:ଦେଶରେ ପିଆଜ କିଲୋ ଶହେ ଟଙ୍କା ଛୁଇଁବା ପରେ ଏବେ ଉଭୟ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁଛି ।ଇଜିପ୍ଟରୁ ଡିସେମ୍ବର ପ୍ରଥମ ସପ୍ତାହରେ ପିଆଜ ଆସି ପହଁଞ୍ଚିବ । ​‌ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ନେଇ ତତ୍ପରତା ପ୍ରକାଶ ପାଇଛି । କେନ୍ଦ୍ର ଉପଭୋକ୍ତା ବ୍ୟାପାର ସଚିବ ଅବିନାଶ କେ. ଶ୍ରୀବାସ୍ତବ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ସେମାନଙ୍କ ରାଜ୍ୟରେ ପିଆଜର ଚାହିଦା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏଥିପୂର୍ବରୁ ଚଳିତମାସ ୨୩ରେ ସଚିବଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପତ୍ର ଲେଖାଯାଇଥିଲା।
ଏମଏମଟିସି ପକ୍ଷରୁ ଅର୍ଡର ଦିଆଯାଇଥିବା ୬୦୯୦ ମେଟ୍ରିକ ଟନ ପିଆଜ ଖୁବଶୀଘ୍ର ଇଜିପ୍ଟରୁ ଆସି ମୁମ୍ବଇର ଜବାହରଲାଲ ନେହରୁ ବନ୍ଦରରେ ପହଁଞ୍ଚିବ। ଏହା ଆସନ୍ତାମାସ ପ୍ରଥମ ସପ୍ତାହ ସୁଦ୍ଧା ଆସି ପହଁଚିଯିବ ବୋଲି ଆଶା କରାଯାଉଛି। ଏହାଛଡ଼ା ପିଆଜ ପୂର୍ବ-ମୁମ୍ବଇ ଦର ଅନୁସାରେ କିଲୋପ୍ରତି ୫୨ରୁ ୫୫ ଟଙ୍କା ଦରରେ ରପ୍ତାନି ଷ୍ଟକରୁ ସଂଗ୍ରହ କରି ବିକ୍ରି କରିବା ଲାଗି ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଉଛି। ସେହିପରି ପୂର୍ବ ଦିଲ୍ଲୀ ଦର କିଲୋପ୍ରତି ୬୦ ଟଙ୍କାରେ ପିଆଜ ଉପଲବ୍ଧ କରାଯାଉଛି। ରାଜ୍ୟ ସରକାରମାନେ ସେମାନଙ୍କ ସ୍ଥାନୀୟ ଷ୍ଟକରୁ ପିଆଜ ନେଇପାରିବେ। ସେମାନଙ୍କୁ ମଧ୍ୟ ନାଫେଡ ଜରିଆରେ ପରିବହନ ସୁବିଧାର ବିକଳ୍ପ ଦିଆଯାଉଛି। ବିଦେଶରୁ ଆମଦାନୀ ହେଉଥିବା ପିଆଜ ଡିସେମ୍ବର ପ୍ରଥମ ସପ୍ତାହଠାରୁ ଯୋଗାଇ ଦିଆଯିବ। ଦିଲ୍ଲୀରେ ମଦର ଡାଏରୀ, କେନ୍ଦ୍ରୀୟ ଭଣ୍ଡାର ଓ ଏନସିସିଏଫ ଏବଂ ନିଜସ୍ୱ ବିକ୍ରୟ କେନ୍ଦ୍ର ଜରିଆରେ ପିଆଜ ଯୋଗାଇ ଦେବାକୁ ନାଫେଡକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ହସ୍ତଗତ ମୋଟ ପିଆଜ ଚାହିଦା ୨୨୬୫ ମେଟ୍ରିକ ଟନ ରହିଛି, ଏଥିରେ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, କେରଳ ଓ ସିକ୍କିମ ସମେତ ଦିଲ୍ଲୀରେ ଯୋଗାଣ ପାଇଁ ନାଫେଡର ଆବଶ୍ୟକତା ସାମିଲ ରହିଛି। ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ସେମାନଙ୍କ ପିଆଜ ଚାହିଦା ସମ୍ପର୍କରେ ଯଥାଶୀଘ୍ର ଜଣାଇବା ପାଇଁ ଅନୁରୋଧ କରାଯାଇଛି, ଏହା ଫଳରେ କେନ୍ଦ୍ର ସରକାର ଏହାକୁ ପୂରଣ କରିବା ଦିଗରେ ପଦକ୍ଷେପ ନେଇପାରିବେ।

kalyan agarbati

Comments are closed.