ଅସୁରକ୍ଷିତ କ୍ୟାପିଟାଲ ହସ୍ପିଟାଲ
ଦିନରେ ଦଲାଲ ରାତିରେ ମାତାଲ
ଭୁବନେଶ୍ବର: ଏବେ ବି ଦିନରେ ବୁଲୁଛନ୍ତି ଦଲାଲ ଏବଂ ରାତିରେ ପରିସରରେ ଜମୁଛି ମଦମାଂସର ଆସର। ଏଭଳି ପରିବେଶରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି କ୍ୟାପିଟାଲ ହସ୍ପିଟାଲ। କେବଳ ଏତିକି ନୁହେଁ, କିଛି ବସ୍ତି ପିଲା ଓ ଅସାମାଜିକ ହସ୍ପିଟାଲ୍ରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି। କ୍ୟାପିଟାଲ୍ ହସ୍ପିଟାଲ ଏକ ରେଫରାଲ୍ ହସ୍ପିଟାଲ୍। ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏଠାରେ ଉପଲବ୍ଧ। ତେଣୁ ପ୍ରତିଦିନ ହଜାର ହଜାର ରୋଗୀ ଏଠାକୁ ଆସୁଛନ୍ତି। ‘ମୋ ସରକାର’ ଶୁଭାରମ୍ଭ ପୂର୍ବରୁ ଅଳିଆ ହଟାଇବା ଭଳି ୫ ଜଣ ଦଲାଲ୍ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଥିଲା। ହେଲେ କିଛି ଦିନ ପରେ ପୁଣି ସେହି ଅବସ୍ଥା। ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ ସେମାନେ ଏନେଇ ବାରମ୍ବାର ପୁଲିସକୁ ଜଣାଉଛନ୍ତି ହେଲେ ଏହାର କୌଣସି ସୁଫଳ ମିଳୁନାହିଁ। ଯାହାକୁ ନେଇ ବର୍ତ୍ତମାନ ହସ୍ପିଟାଲ୍ର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ହସ୍ପିଟାଲ୍ ପରିସରରେ କାର୍ ଭିତରେ ନିଶା ସେବନ କରୁଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା। ୪ ଜଣଙ୍କୁ ଥାନାକୁ ନେଇଥିଲା। ସେହିପରି ପ୍ରାୟ ସମୟରେ ଆଖପାଖ ବସ୍ତିର ପିଲାମାନେ ଏଠାରେ ନିଶାସକ୍ତ ଅବସ୍ଥାରେ ପଇଁତରା ମାରୁଛନ୍ତି। ହସ୍ପିଟାଲ୍ ଆଖପାଖରେ ଅନେକ ଛିନ୍ତାଇ ଅଭିଯୋଗ ଆସୁଛି।
ରୋଗୀଙ୍କ ସମ୍ପର୍କୀୟ ହୋଇଥିବେ ଭାବି କେହି ବି ସେମାନଙ୍କୁ ପଚାରିବାକୁ ସାହସ କରୁନାହାନ୍ତି। ଏହାର ସୁଯୋଗ ନେଇ ସେମାନେ ସେଠାରେ ନିଶାସେବନ କରୁଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହସ୍ପିଟାଲ ପରିସରରେ ଏକ ଫାଣ୍ଡି ରହିଛି। ତଥାପି ସେମାନେ ଏହାକୁ ଖାତିର କରୁନାହାନ୍ତି। ସନ୍ଧ୍ୟାରେ ରୋଗୀଙ୍କ ସଂଖ୍ୟା କିଛି ମାତ୍ରାରେ କମିଯାଉଥିବାରୁ ଏହା ଅସାମାଜିକଙ୍କ ପାଇଁ ଏକ ପ୍ରକାର ମଉକା ହୋଇଥାଏ। କ୍ୟାପିଟାଲ ହସ୍ପିଟାଲ ପାଇଁ ଯେତିକି ସୁରକ୍ଷା କର୍ମୀ ଆବଶ୍ୟକ ତା’ତୁଳନାରେ ବହୁ କମ୍ ଅଛନ୍ତି। ଆଇପିଡି ଏବଂ ଓପିଡି ପାଇଁ ସୁରକ୍ଷାକର୍ମୀ ଅଭାବ ପଡୁଥିବାବେଳେ ବାହାରେ ସୁରକ୍ଷାକର୍ମୀ ନିୟୋଜିତ ହେବା ସମ୍ଭବପର ହେଉନାହଁି। ହସ୍ପିଟାଲ କର୍ତ୍ତୃପକ୍ଷ କ୍ୟାମ୍ପସ ପରିସରରେ ବ୍ୟାରିକେଡ କରିବା ସତ୍ତ୍ବେ ସ୍ଥିତିରେ କୌଣସି ପରିବର୍ତ୍ତନ ହେଉନାହିଁ। ପୁଣି ଦଲାଲମାନେ ହସ୍ପିଟାଲ୍ରେ ଭିଡ଼ ଜମାଇଲେଣି। କିଛି ଡାକ୍ତର ମଧ୍ୟ ଅତ୍ୟନ୍ତ ସନ୍ତର୍ପଣରେ ରୋଗୀଙ୍କୁ ଘରୋଇ କ୍ଲିନିକ୍କୁ ସେମାନଙ୍କ ସହଯୋଗରେ ପଠାଉଥିବା ଜଣାପଡ଼ିଛି। ବିଶେଷ କରି ଚକ୍ଷୁ, ଆଶୁ ଚିକିତ୍ସା କେନ୍ଦ୍ର ଏବଂ ସ୍ତ୍ରୀ ଓ ପ୍ରସୂତି ବିଭାଗ ନିକଟରେ କିଛି ଦଲାଲ ସକ୍ରିୟଭାବେ ପୂର୍ବ ଭଳି କାର୍ଯ୍ୟ କରୁଛନ୍ତି। କେତେକ ନିଜକୁ ମେଡିସିନ୍ ରିପ୍ରେଜେେଣ୍ଟଟିଭ ବୋଲି ପରିଚୟ ଦେଉଛନ୍ତି। ହସ୍ପିଟାଲ୍ ପରିସରରେ ଫାଣ୍ଡି ଥିବା ସତ୍ତ୍ବେ ଏସବୁ ଘଟୁଥିବାରୁ ଏହାକୁ ନେଇ ଡାକ୍ତର ଏବଂ କର୍ମଚାରୀମାନେ ପ୍ରଶ୍ନ ଉଠାଉଛନ୍ତି। କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟେକ ଦିନ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ପିସିଆର ଆଣୁଛି। ଏହାବ୍ୟତୀତ ଦିନରାତି ଫାଣ୍ଡି ପୁଲିସ ପହରା ଦେଉଛନ୍ତି। ତଥାପି ସୁରକ୍ଷା ଉପରେ ପ୍ରଶ୍ନ?
Comments are closed.