ନିତ୍ୟାନନ୍ଦ ବିଦେଶ ପଳାଇଥିବା ଖବରକୁ ବୈଦେଶିକ ମନ୍ତ୍ରଣାଳୟର ଖଣ୍ଡନ

ବେଙ୍ଗାଲୁରୁ: ବିବାଦୀୟ ଧର୍ମଗୁରୁ ସ୍ବାମୀ ନିତ୍ୟାନନ୍ଦ ଫେରାର ହୋଇଯାଇଛନ୍ତି। ବେଙ୍ଗାଲୁରୁର ଜନାର୍ଦ୍ଦନ ଶର୍ମା ଓ ତାଙ୍କ ପତ୍ନୀ ସେମାନଙ୍କ ଦୁଇ ଝିଅ ଲୋପାମୁଦ୍ରା ଜନାର୍ଦ୍ଦନ ଶର୍ମା (୨୧) ଓ ନନ୍ଦିତା (୧୮)ଙ୍କୁ ଅହମ୍ମଦାବାଦସ୍ଥିତ ନିତ୍ୟାନନ୍ଦଙ୍କ ଆଶ୍ରମ ବିଦ୍ୟାଳୟ ‘ଯୋଗିନୀ ସର୍ବଜ୍ଞାପୀଠମ୍‌’ରେ ଛାଡ଼ିଥିବାବେଳେ ନିତ୍ୟାନନ୍ଦ ବଳପୂର୍ବକ ସେମାନଙ୍କୁ ରଖିଥିବା ଓ ସାକ୍ଷାତର ସୁ​‌ଯୋଗ ଦେଉ ନ ଥିବା ନେଇ ତିନି ଦିନ ପୂର୍ବେ ଗୁଜରାତ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ଏହା ପରଠାରୁ ନିତ୍ୟାନନ୍ଦଙ୍କର କୌଣସି ଖବର ମିଳୁ ନାହିଁ। ପୁଲିସ ତାଙ୍କର କୌଣସି ସନ୍ଧାନ ପାଉ ନାହିଁ। ଏହି ମାମଲାରେ ପୁଲିସ ସ୍କୁଲ ଅଧ୍ୟକ୍ଷଙ୍କ ସହ ଆଶ୍ରମର ଦୁଇ ସାଧ୍ବୀ ପ୍ରାଣପ୍ରିୟା ଓ ପ୍ରିୟାତତ୍ବଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ରହିଛି। ସମ୍ପ୍ରତି ଏକାଧିକ ଏଭଳି ନିର୍ଯାତନା ଅଭିଯୋଗ ଆସିବାରେ ଲାଗିଛି।
ନିତ୍ୟାନନ୍ଦଙ୍କ ଆଶ୍ରମରୁ ଶିଶୁ ଅଧିକାର ସମିତି ମାଧ୍ୟମରେ ଉଦ୍ଧାର ଜନାର୍ଦ୍ଦନଙ୍କ ଦୁଇ ଝିଅଙ୍କ ମଧ୍ୟରୁ ଜଣେ କହିବାନୁଯାୟୀ, ଆଶ୍ରମରେ ପ୍ରତ୍ୟହ ରାତିରେ ଭିଡିଓ ପ୍ରସ୍ତୁତ ହୁଏ। ନିତ୍ୟାନନ୍ଦଙ୍କ ପ୍ରଚାର ପ୍ରସାର ପାଇଁ ପ୍ରସ୍ତୁତ ହେଉଥିବା ଭିଡିଓରେ ସେମାନଙ୍କୁ ଜୋର୍‌ ଜବରଦସ୍ତ ଅଭିନୟ କରିବାକୁ ପଡ଼େ। ଏହା ମାଧ୍ୟମରେ ଲକ୍ଷ ଲକ୍ଷ ବା କୋଟି କୋଟି ଟଙ୍କାର ଚାନ୍ଦା ଆଦାୟ କରାଯାଏ। ଝିଅମାନଙ୍କୁ ଏଠାରେ ନାନା ମାନସିକ ନିର୍ଯାତନା ସହିବାକୁ ପଡ଼େ ବୋଲି ସେ କହିଛନ୍ତି।
ବୁଧବାର ନିତ୍ୟାନନ୍ଦଙ୍କ ନାମରେ ଏତଲା ଦାୟର ହେବା ପରେ ପୁରୁଣା ପାସପୋର୍ଟ ଜରିଆରେ ସେ ଦେଶ ବାହାରକୁ ଚାଲିଯାଇଥିବା ସନ୍ଦେହ କରାଯାଉଛି। ତାଙ୍କ ପାସପୋର୍ଟର ଅବଧି ୨୦୧୮ ସେପ୍ଟେମ୍ବରରେ ପୂର୍ଣ୍ଣ ହୋଇଥିଲେ ମଧ୍ୟ କୌଣସି ମତେ ସେ ଏହା ବଳରେ ନେପାଳ ଦେଇ ଇ‌େକ୍ବଡର ଚାଲିଯାଇଥିବା ପୁଲିସ ସୂଚନା ପାଇଛି। ତାଙ୍କ ବିରୋଧରେ ଆପରାଧିକ ମାମଲା ରହିଥିବାରୁ ପାସପୋର୍ଟ ନବୀକରଣ ହୋଇ ନ ଥିଲା; ତେବେ ସେ ବିଦେଶ ପଳାଇବା ନେଇ ବୈଦେଶିକ ମନ୍ତ୍ରଣାଳୟ ନିକଟରେ କିଛି ଖବର ନ ଥିବା ଏହାର ଜଣେ ଅଧିକାରୀ କହିଛନ୍ତି। ନିତ୍ୟାନନ୍ଦଙ୍କ ବିରୋଧରେ କର୍ଣ୍ଣାଟକରେ ପୂର୍ବରୁ ଅପହରଣ, ବଳାତ୍କାର ଭଳି ଏକାଧିକ ଆପରାଧିକ ମାମଲା ବିଚାରାଧୀନ ରହିଛି ଓ ସେ ପ୍ରାୟ ୪୦ଥର ଅଦାଲତରେ ହାଜର ହୋଇଛନ୍ତି। ୨୦୧୦ରେ ତାଙ୍କ ବିରୋଧରେ ଗୁରୁତର ଯୌନାଚାର ଅଭିଯୋଗ ଆସିଥିଲା। ପ୍ରଖ୍ୟାତ ତାମିଲ ଅଭିନେତ୍ରୀ ରଞ୍ଜିତାଙ୍କ ସହିତ ସେ ନିଜ ଆଶ୍ରମରେ ଯୌନାଚାରରେ ଲିପ୍ତ ଥିବାର ଭିଡିଓ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। ଏବେ ଏହି ମାମଲା ବିଚାରାଧୀନ ରହିଛି।

kalyan agarbati

Comments are closed.