କୁମାରସ୍ୱାମୀଙ୍କ ଶପଥ ଗ୍ରହଣ ବିରୋଧୀ ମାମଲା : ଜରୁରୀ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ : ବିଜେପିକୁ କ୍ଷମତାଠାରୁ ଦୂରେଇ ରଖିବା ଲାଗି କଂଗ୍ରେସ ଯେଉଁଭଳି ନ୍ୟାୟପାଳିକାର ଆଶ୍ରୟ ନେଇଥିଲା ଏବେ ତାହା କଂଗ୍ରେସ-ଜେଡିଏସ୍‍ ମେଣ୍ଟ ପାଇଁ ବୁମେରାଂ ହୋଇଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଜେଡିଏସ୍‍ ନେତା ଏଚ୍‍. ଡି. କୁମାରସ୍ୱାମୀ ବୁଧବାର ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏହାକୁ ବିରୋଧ କରି ଅଖିଳ ଭାରତ ହିନ୍ଦୁ ମହାସଭା (ଏପିଏଚ୍‍ଏମ୍‍) ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛି। କିନ୍ତୁ ଏପିଏଚ୍‍ଏମ୍‍ର ଆବେଦନ ଉପରେ ଜରୁରୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମଙ୍ଗଳବାର ମନା କରିଦେଇଛନ୍ତି। ଏପିଏଚ୍‍ଏମ୍‍ ପକ୍ଷରୁ ଆଇନଜୀବୀ ବରୁଣ କୁମାର ସିହ୍ନାଙ୍କ ଦ୍ୱାରା ସୁପ୍ରିମକୋର୍ଟରେ ସୋମବାର ଏହି ଆବେଦନ କରାଯାଇଛି। କଂଗ୍ରେସ ଏବଂ ଜେଡିଏସ୍‍ର ମେଣ୍ଟ ଅସାମ୍ବିଧାନିକ ବୋଲି ଉକ୍ତ ଆବେଦନରେ ଦର୍ଶାଯାଇଛି। ଏଥିସହିତ ରାଜ୍ୟରେ ସରକାର ଗଠନ ନିମନ୍ତେ କୁମାରସ୍ୱାମୀଙ୍କୁ ରାଜ୍ୟପାଳ ବାଜୁ ଭାଇ ବାଲାଙ୍କ ଆମନ୍ତ୍ରଣ ରଦ୍ଦ କରିବାକୁ ଏପିଏଚ୍‍ଏମ୍‍ ନିବେଦନ କରିଛି। କର୍ଣ୍ଣାଟକର ୨୨୪ ବିଧାନସଭା ଆସନ ମଧ୍ୟରୁ ୨୨୨ଟିରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ବିଜେପି ୧୦୪ ଆସନରେ ଜିତିଥିବା ବେଳେ କଂଗ୍ରେସ ୭୮ ଏବଂ ଜେଡିଏସ୍‍ ୩୭ ଆସନରେ ବିଜୟୀ ହୋଇଥିଲା। କିନ୍ତୁ ଫଳ ଘୋଷଣା ପରେ ତୁରନ୍ତ କଂଗ୍ରେସ ଜେଡିଏସ୍‍କୁ ନିଃସର୍ତ୍ତ ସମର୍ଥନ ପ୍ରଦାନ କରି ସରକାର ଗଢିବାକୁ ଯୋଜନା କରିଥିଲା। ମାତ୍ର ରାଜ୍ୟପାଳ ବିଜେପିକୁ ସରକାର ଗଠନ ନିମନ୍ତେ ଆମନ୍ତ୍ରଣ କରିବାରୁ କଂଗ୍ରେସ ଏହି ନିଷ୍ପତ୍ତି ବିରୋଧରେ ରାତିଅଧିଆ ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଥିଲା।

Leave A Reply