କର୍ଣ୍ଣାଟକ ବିଧାନସଭା ନିର୍ବାଚନ : ଅନିୟମିତତା ଅଭିଯୋଗରେ ଇସିଙ୍କୁ ୟେଦୁରପ୍ପାଙ୍କ ଚିଠି

0

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ସଦ୍ୟ ଇସ୍ତଫା ଦେଇଥିବା ବିଜେପି ନେତା ବି. ଏସ୍‍. ୟଦୁରପ୍ପା ବିଧାନସଭା ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣି ନିର୍ବାଚନ କମିସନ (ଇସି)ଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ନିର୍ବାଚନ ସଂକ୍ରାନ୍ତ ବିଭିନ୍ନ ପ୍ରସଙ୍ଗରେ ଅନିୟମିତତା ନେଇ ଇସି ଏବଂ ତୃଣମୂଳ ସ୍ତରରେ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପୂର୍ବରୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ସେ ଉକ୍ତ ଚିଠିରେ ଦର୍ଶାଇଛନ୍ତି। ବିଜୟପୁର ଜିଲା ଅନ୍ତର୍ଗତ ମନଗୁଲି ଗ୍ରାମ ନିକଟସ୍ଥ ଏକ ବୁଦାମୂଳରୁ କେତେକ ଭିଭିପ୍ୟାଟ୍‍ ମେସିନ୍‍ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏଥିରୁ ଗତ ବିଧାନସଭା ନିର୍ବାଚନରେ ଅନିୟମିତତାର ଆଭାସ ମିଳୁଛି। ଏହି ପ୍ରସଙ୍ଗରେ ଇସି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ୟେଦୁରପ୍ପା ଦୃଢ ଆଶା ବ୍ୟକ୍ତ କରିଛନ୍ତି। ମେ’ ୧୨ରେ ମତଦାନ ପୂର୍ବରୁ ୯୭୪୬ଟି ଭୋଟର୍‍ ପରିଚୟ ପତ୍ର ବେଙ୍ଗାଲୁରୁସ୍ଥିତ ଏକ କୋଠରିରୁ ଉଦ୍ଧାର କରାଯାଇଥିଲା। ଏହି ଭୋଟର୍‍ ପରିଚୟ ପତ୍ରଗୁଡିକ ଯଥାର୍ଥ ବୋଲି ଇସି ପ୍ରକାଶ କରିବା ପରେ ଏ ନେଇ ଏକ ଏଫ୍‍ଆଇଆର୍‍ ରୁଜୁ କରାଯାଇଥିଲା। କର୍ଣ୍ଣାଟକରେ ମେ’୧୨ରେ ମତଦାନ ଅନୁଷ୍ଠିତ ହୋଇଥିବା ବେଳେ ମେ’ ୧୫ରେ ଭୋଟ୍‍ ଗଣତି ହୋଇଥିଲା। ବିଜେପି ସର୍ବାଧିକ ଆସନରେ ଜିତିଥିଲେ ମଧ୍ୟ ବହୁମତ ଯୋଗାଡ କରିପାରି ନ ଥିଲା। ଫଳରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ଅଢେଇ ଦିନ ପରେ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା।

Leave A Reply