ଚିକିତ୍ସା ପାଇଁ ମୁମ୍ବଇରେ ଲାଲୁ
ମୁମ୍ବଇ: ୬ସପ୍ତାହ ପାଇଁ ଜାମିନରେ ମୁକୁଳି ଥିବା ଲାଲୁ ପ୍ରସାଦ ଯାଦବ ଆଜି ଚିକିତ୍ସା ପାଇଁ ମୁମ୍ବଇ ଗ୍ରସ୍ତ କରିଛନ୍ତି। ଲାଲୁଙ୍କ ହୃଦପିଣ୍ଡ ଜନିତ ଅସୁସ୍ଥତାର ଚିକିତ୍ସା ପାଇଁ ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ୍ରେ ଭର୍ତ୍ତି ହେବେ। ଏହି ଡାକ୍ତରଖାନାରେ ଲାଲୁଙ୍କ ହୃଦପିଣ୍ଡର ୨୦୧୪ରେ ବାଇପାସ ସର୍ଜରୀ ହୋଇଥିଲା। ଏହା ବ୍ୟତୀତ ବେଙ୍ଗାଲୁରୁରେ ଲାଲୁ ତାଙ୍କ ଆଣ୍ଡୁ ଗଣ୍ଠି ବାତର ଚିକିତ୍ସା କରାଇବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।
ଲାଲୁଙ୍କ ଶରୀରରେ ବ୍ଲଡ଼ ପ୍ରେସର ଓ ସୁଗରର ମାତ୍ରା ଅସନ୍ତୁଳିତ ଥିବା ଘରୋଇ ଚିକିତ୍ସକ ଏସକେ ସିହ୍ନା ସୂଚନା ଦେଇଛନ୍ତି। ଲାଲୁଙ୍କ ଶରୀରରେ ଅଚାନକ ସର୍କରାର ମାତ୍ରା ବୃଦ୍ଧି ପାଇଛି। ଶନିବାର ପାଟନା ସ୍ଥିତ ଇନ୍ଦିରା ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସରେ ଲାଲୁ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କୁ ଉକ୍ତ ଡାକ୍ତରଖାନାରୁ ଡିସଚାର୍ଜ କରାଯିବା ସହ ଅଧିକ ଚିକିତ୍ସା ପାଇଁ ମୁମ୍ବଇ ଏସିଆନ ହାର୍ଟ ଇନ୍ସଟିଚ୍ୟୁଟ୍ରେ ଭର୍ତ୍ତି ହେବାକୁ ପରାମର୍ଶ ଦିଆଯାଇ ଥିଲା।
ନିକଟରେ ଲାଲୁ ଗୋ-ଖାଦ୍ୟ ଦୁର୍ନୀତି ପାଇଁ ଚାଲିଥିବା ୪ଟି ମାମଲାରେ ଅଭିଯୁକ୍ତ ପ୍ରମାଣିତ ହେବା ପରେ ତାଙ୍କୁ ୨୭.୫ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇ ଥିଲା। ରାଞ୍ôଚର ବିରସା ମୁଣ୍ଡା ଜେଲରେ ଦଣ୍ଡାଦେଶ ଭୋଗୁଥିବାବେଳେ ଅସୁସ୍ଥତା ହେତୁ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇ ଥିଲା। ଅଧିକ ଚିକିତ୍ସା ପାଇଁ ଲାଲୁ କୋର୍ଟରେ ଜାମିନ ଆବେଦନ କରିଥିବାବବେଳେ ୧୧ମେରେ କୋର୍ଟ ତାଙ୍କୁ ଅଧିକ ଚିକିତ୍ସା ପାଇଁ ୬ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛି।