ସୋନିଆ ଓ ରାହୁଲଙ୍କୁ ଭେଟିଲେ କୁମାରସ୍ୱାମୀ

0

ନୂଆଦିଲ୍ଲୀ : କର୍ଣ୍ଣାଟକର ଭାବି ମୁଖ୍ୟମନ୍ତ୍ରୀ ତଥା ଜେଡି(ଏସ୍‍) ସଭାପତି ଏଚ୍‍.ଡି କୁମାରସ୍ୱାମୀ ସୋମବାର ସନ୍ଧ୍ୟାରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିଛନ୍ତି। ଧାର୍ଯ୍ୟ ସମୟର ଦୀର୍ଘ ୪ଘଣ୍ଟା ବିଳମ୍ବରେ ସେ ଦିଲ୍ଲୀରେ ପହଞ୍ଚିଥିବାବେଳେ ରାହୁଲ ଗାନ୍ଧିଙ୍କ ବାସଭବନରେ ସେମାନଙ୍କ ମଧ୍ୟରେ ମେଣ୍ଟ ସରକାର ଗଠନ ସଂକ୍ରାନ୍ତରେ ୨୦ ମିନିଟ ଧରି ଆଲୋଚନା ହୋଇଥିଲା। ମେଣ୍ଟ ଦଳ ମଧ୍ୟରେ କ୍ଷମତା ଭାଗବଣ୍ଟା ନେଇ କୌଣସି ମୂଲଚାଲ ନହୋଇ ସୌହାର୍ଦ୍ଦ୍ୟଜନକ ଭାବେ ସରକାର ଗଠନ ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏହାଛଡ଼ା ସରକାର ଗଠନ ନେଇ କାର୍ଯ୍ୟଧାରା ଚୂଡ଼ାନ୍ତ ହୋଇଛି।
ବିଶେଷକରି ଦ୍ୱିତୀୟ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତି, କୁମାରସ୍ୱାମୀ ଏକା କିମ୍ବା ତାଙ୍କ ସହିତ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଶପଥ ନେବେ ସେ ନେଇ ଆଲୋଚନା ହୋଇଛି। କଂଗ୍ରେସ ନେତା ଡି.କେ ପରମେଶ୍ୱର ଓ ଏମ୍‍.ବି ପାଟିଲ କିମ୍ବା ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବା ନେଇ ଆଲୋଚନା ହୋଇଛି। ତା’ଛଡ଼ା ଶପଥ ଗ୍ରହଣର ୨୪ଘଣ୍ଟା ମଧ୍ୟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ କୁମାରସ୍ୱାମୀ ଯେଉଁ ପ୍ରସ୍ତୁତି ଚଳାଇଛନ୍ତି ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି। ଏହି ବୈଠକ ପରେ କୁମାରସ୍ୱାମୀ ବହୁଜନ ସମାଜ ପାର୍ଟି ନେତ୍ର ମାୟାବତୀଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି।

Leave A Reply