ଦିଲ୍ଲୀଠୁ ହାରି ବିଦାୟ ନେଲା ମୁମ୍ବଇ

0

ନୂଆଦିଲ୍ଲୀ : ଆଇପିଏଲ୍‍-୧୧ରୁ ଗତବର୍ଷର ଚମ୍ପିଆନ୍‍ ମୁମ୍ବଇ ଇଣ୍ଡିଆନ୍‍ସ ବିଦାୟ ନେଇଛି। ରବିବାର ପ୍ରଥମ ମ୍ୟାଚ୍‍ରେ ମୁମ୍ବଇକୁ ୧୧ ରନ୍‍ରେ ଦିଲ୍ଲୀ ଡେୟାରଡେଭିଲ୍‍ସ ପରାସ୍ତକରି ଏହାକୁ ବିଦାୟର ରାସ୍ତା ଦେଖାଇଛି। ଋଷଭ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଦିଲ୍ଲୀ ଡେୟାରଡେଭିଲ୍‍ସ ୪ ୱିକେଟ ହରାଇ ୧୭୪ ରନ୍‍ କରିଥିଲା। ପରେ ଦିଲ୍ଲୀର ଦୁଇ ଲେଗ୍‍ସ୍ପିନର ସନ୍ଦୀପ ଲାମିଛାନେ ଓ ଅମିତ ମିଶ୍ର ୩ଟି ଲେଖାଏଁ ୱିକେଟ ନେବାରୁ ମୁମ୍ବଇ ଇଣ୍ଡିଆନ୍‍ସ ୩ଟି ବଲ୍‍ ବାକିଥାଇ ୧୬୩ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ୧୪ଶ ମ୍ୟାଚ୍‍ରେ ୮ମ ପରାଜୟ ପରେ ମୁମ୍ବଇ ପ୍ଲେଅଫ୍‍ ଦୌଡ଼ରୁ ବାଦ୍‍ପଡ଼ିଛି। ପୂର୍ବରୁ ପ୍ଲେଅଫ୍‍ରୁ ବାଦ୍‍ ପଡ଼ି ସାରିଥିବା ଦିଲ୍ଲୀ ୫ମ ବିଜୟ ପରେ ୧୦ ପଏଣ୍ଟ ସହ ତା’ର ଅଭିଯାନ ଶେଷକରିଛି।
ସମ୍ମୁଖରେ ୧୭୫ ରନ୍‍ର ଲକ୍ଷ୍ୟ ଥିବା ବେଳେ ପ୍ରଥମ ୨ଟି ବଲ୍‍ରୁ ଚୌକା ଓ ଛକାମାରି ଇନିଂସ ଆରମ୍ଭ କରିଥିଲେ ମୁମ୍ବଇ ଇଣ୍ଡିଆନ୍‍ସର ଓପ୍‍ନର ସୂର୍ଯ୍ୟକୁମାର ଯାଦବ। ତେବେ ୪ର୍ଥ ବଲ୍‍ରେ ୧୨ ରନ କରି ସୂର୍ଯ୍ୟକୁମାର ଆଉଟ ହୋଇ ଯାଇଥିଲେ। ପରେ ଅନ୍ୟ ଓପ୍‍ନର ଏଭିନ୍‍ ଲୁଇସ୍‍ ଚମତ୍କାର ବ୍ୟାଟିଂ କରିଥିଲେ। ହେଲେ ଈଶାନ୍‍ କିଷନ୍‍ ବଲ୍‍କୁ ଟାଇମିଂ କରିନପାରି ୧୩ ବଲ୍‍ରୁ ୫ ରନ୍‍କରି ବିଦାୟ ନେଇଥିଲେ। ପରେ ୨୧ ରନ୍‍ରେ ୪ଟି ୱିକେଟ ପଡ଼ିଯିବାରୁ ମୁମ୍ବଇ ଚିନ୍ତାରେ ପଡ଼ି ଯାଇଥିଲା। ଏଭିନ୍‍ ଲୁଇସ୍‍ ୩୧ ବଲ୍‍ରୁ ୪ଟି ଛକା ଓ ୩ଟି ଚୌକା ସହ ୪୮ ରନ୍‍ କରିଥିଲେ। ପରବର୍ତ୍ତୀ ଓଭରରେ କୈରନ୍‍ ପୋଲାର୍ଡ (୭) ଓ କ୍ରୁନାଲ ପାଣ୍ଡ୍ୟା (୪)ଙ୍କୁ ଆଉଟ୍‍ କରି ଦେଇଥିଲେ ନେପାଳର ୧୭ ବର୍ଷ ବୟସ୍କ ଲେଗ୍‍ସ୍ପିନର ସନ୍ଦୀପ ଲାମିଛାନେ। ୭୮ ରନ୍‍ରେ ୫ଟି ୱିକେଟ ପଡ଼ିଯିବା ପରେ ଅଧିନାୟକ ରୋହିତ ଶର୍ମା ଓ ହାର୍ଦିକ ପାଣ୍ଡ୍ୟା ୪୩ ରନ୍‍ ଯୋଡ଼ିଥିଲେ। ତେବେ ଅଳ୍ପ ବ୍ୟବଧାନରେ ଦୁହେଁ ଆଉଟ ହୋଇଯିବା ମୁମ୍ବଇ ପାଇଁ କାଳ ହୋଇଥିଲା। ରୋହିତ ୧୧ ବଲ୍‍ରୁ ୧୩ ରନ୍‍ କରିଥିଲେ। ହାର୍ଦିକ ୧୭ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‍ କରିଥିଲେ। ୩ ଓଭରରେ ୩୮ ରନ୍‍ ଆବଶ୍ୟକ ଥିବା ବେଳେ ବେନ୍‍ କଟିଙ୍ଗ୍‍ ପ୍ରହାର ଆରମ୍ଭ କରିଥିଲେ। ଶେଷ ଓଭରରେ ୧୮ ରନ୍‍ ଆବଶ୍ୟକ ଥିବା ବେଳେ ପ୍ରଥମ ବଲ୍‍ରେ ଛକାମାରି କଟିଙ୍ଗ୍‍ ୨ୟ ବଲ୍‍ରେ ଆଉଟ ହୋଇ ଯାଇଥିଲେ। କଟିଙ୍ଗ୍‍ ୨୦ ବଲ୍‍ରୁ ୩ଟି ଛକା ଓ ୨ଟି ଚୌକା ସହ ୩୭ ରନ୍‍ କରିଥିଲେ। ଅମିତ ମିଶ୍ର ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ପ୍ରବଳ ଗରମରେ ଖେଳା ଯାଇଥିବା ମ୍ୟାଚ୍‍ରେ ଟସ୍‍ ଜିତି ଘରୋଇ ଦିଲ୍ଲୀ ଡେୟାରଡେଭିଲ୍‍ସ ବ୍ୟାଟିଂ ନେଇଥିଲା। ୩ ଓଭରରେ ଦିଲ୍ଲୀର ଓପ୍‍ନିଂ ଯୋଡ଼ି ୩୦ ରନ୍‍ କରିବା ପରେ ବେପରୁଆ ଭାବେ ପୃଥ୍ୱୀ ସ’ ରନ୍‍ଆଉଟ ହୋଇ ଯାଇଥିଲେ। ଏହି ଯୁବ ଓପ୍‍ନର ୨ଟି ଚୌକା ସହ ୧୨ ରନ୍‍ କରିଥିଲେ। ଶେଷ ମ୍ୟାଚ୍‍ରେ ପ୍ରଥମଥର ପାଇଁ ବ୍ୟାଟିଂ ଓପନ୍‍ କରିବାର ସୁଯୋଗ ପାଇଥିବା ଗ୍ଲେନ୍‍ ମ୍ୟାକ୍ସୱେଲ ଏହାର ଫାଇଦା ଉଠାଇ ପାରିନଥିଲେ। ଏହି ଅଷ୍ଟ୍ରେଲୀୟ ୧୮ ବଲ୍‍ରୁ ୪ଟି ଚୌକା ସହ ୨୨ ରନ୍‍ କରିଥିଲେ। ଅଧିନାୟକ ଶ୍ରେୟାସ ଆୟର ୧୦ଟି ବଲ୍‍ରୁ ୬ ରନ୍‍କରି ଛକା ମାରିବା ପ୍ରୟାସରେ ଆଉଟ ହୋଇଥିଲେ। ମ୍ୟାଚ୍‍ର ୫ମ ଓଭରରୁ ଆରମ୍ଭ ହୋଇଥିଲା ‘ଋଷଭ ପନ୍ତ ସୋ’। ଏହି ବାମହାତି ୧୨ ଓଭରରୁ ଅଧିକ ସମୟ କ୍ରିଜ୍‍ରେ ରହିଥିଲେ ଏବଂ ପଡ଼ିଆର ଚାରିଆଡ଼କୁ ସଟ୍‍ ମାରି ଚାଲିଥିଲେ। ବିଜୟ ଶଙ୍କର ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ପନ୍ତ୍‍-ଶଙ୍କର ୪୭ ବଲ୍‍ରୁ ୬୪ ରନ୍‍ ଯୋଡ଼ିଥିଲେ। ବାମହାତି ଋଷଭ ପନ୍ତ୍‍ ମାତ୍ର ୪୪ ବଲ୍‍ରୁ ୪ଟି ଲେଖାଏଁ ଛକା ଓ ଚୌକା ସହ ୬୪ ରନ୍‍ କରିଥିଲେ। ଏହି ଇନିଂସକୁ ମିଶାଇ ସର୍ବାଧିକ ୬୮୪ ରନ୍‍ରେ ପହଞ୍ଚି ଋଷଭ ଅରେଞ୍ଜ୍‍ କ୍ୟାପ୍‍ ଲାଭ କରିଛନ୍ତି। ଶେଷ ୧୯ ବଲ୍‍ରୁ ତାମିଲନାଡ଼ୁର ଅଲ୍‍ରାଉଣ୍ଡର ବିଜୟ ଶଙ୍କର ଓ ୧୭ ବର୍ଷ ବୟସ୍କ ଅଭିଷେକ ଶର୍ମା ୩୫ ରନ୍‍ ଯୋଗ କରିଥିଲେ। ଅଭିଷେକ ୧୦ ବଲ୍‍ରୁ ଗୋଟିଏ ଛକା ସହ ୧୫ ରନ୍‍କରି ଅପରାଜିତ ଥିଲେ। କ୍ରମାଗତ ୨ୟ ମ୍ୟାଚ୍‍ରେ ଉପଯୋଗୀ ଇନିଂସ ଖେଳି ବିଜୟ ଶଙ୍କର ୩୦ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୩ ରନ୍‍କରି ଅପରାଜିତ ଥିଲେ। ଯଶପ୍ରୀତ ବୁମ୍‍ରା ଓ କ୍ରୁନାଲ ପାଣ୍ଡ୍ୟା ମୁମ୍ବଇର ଦୁଇ ସଫଳ ବୋଲର ଥିଲେ।

Leave A Reply