ଗୁଗୁଲ୍, ଫେସ୍ବୁକ୍, ୟାହୁ ଓ ହ୍ବାଟ୍ସଆପ୍କୁ ଜୋରିମାନା
ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଅଶ୍ଲୀଳ ଭିଡିଓ ଓ ବଳାତ୍କାରର ଭିଡିଓ ପ୍ରସାରଣକୁ ରୋକିବାରେ ବିଫଳ ହୋଇଥିବାରୁ ଗୁଗୁଲ୍, ଫେସ୍ବୁକ୍, ୟାହୁ ଓ ହ୍ବାଟ୍ସଆପ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।
ବିଭିନ୍ନ ସୋସିଆଲ୍ ସାଇଟ୍ରେ ଅଶ୍ଲୀଳ ଓ ବଳାତ୍କାର ଭିଡିଓ ପ୍ରସାରଣକୁ ନିଷିଦ୍ଧ କରିବା ପାଇଁ ‘ପ୍ରଜାୱାଲା’ ନାମକ ଏକ ଏନ୍ଜିଓ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲା। ଏହି ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟ ନିଜ ତରଫରୁ ଏକ ମାମଲା ରୁଜୁ କରିଥିଲେ। ମାମଲାର ପରିଚାଳନା ପାଇଁ ଅପର୍ଣ୍ଣା ଭଟ୍ଟଙ୍କୁ ଆମିକସ୍ କ୍ୟୁରି ଭାବେ ନିଯୁକ୍ତି ଦେଇଥିଲେ।
ଅଶ୍ଲୀଳ ଭିଡିଓ ଓ ବଳାତ୍କାର ଭିଡିଓ ପ୍ରସାରଣ ବନ୍ଦ କରିବା ପାଇଁ ଉପରୋକ୍ତ ସଂସ୍ଥାଗୁଡ଼ିକ କଣ ପଦକ୍ଷେପ ନେଇଛନ୍ତି ସେ ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ ବିଚାରପତି ମଦନ ବି ଲୋକୁର ଓ ଉଦୟ ଉମେଶ ଲଲିତ୍ଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ଗତ ଏପ୍ରିଲ୍ ୧୬ ତାରିଖରେ ନିର୍ଦେଶ ଦେଇଥିଲେ। କିନ୍ତୁ ସଂସ୍ଥା ପକ୍ଷରୁ ସତ୍ୟପାଠ ଦାଖଲ ହୋଇନଥିବାରୁ ଖଣ୍ଡପୀଠ ବିରକ୍ତି ପ୍ରକାଶ କରିବା ସହିତ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ପୈଠ ପାଇଁ ନିର୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁନ୍ ୧୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଆସନ୍ତା ଶୁଣାଣି ବେଳେ ଉପରୋକ୍ତ ସଂସ୍ଥା ଜୋରିମାନା ପୈଠ କରିବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ ସତ୍ୟପାଠ ଦାଖଲ କରି ଅତିରିକ୍ତ ସୋଲିସିଟର ଜେନେରାଲ୍ ମନୀନ୍ଦ୍ର ସିଂହ ଖଣ୍ଡପୀଠଙ୍କୁ କହିଥିଲେ ଯେ ଅଶ୍ଲୀଳ ଓ ବଳାତ୍କାର ଭିଡିଓ ପ୍ରସାରଣ ବିରୋଧରେ ଅନ୍ଲାଇନ୍ ଅଭିଯୋଗ ଦାଖଲ ପାଇଁ କେନ୍ଦ୍ର ସରକାର ଇତିମଧ୍ୟରେ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ଲାଇନ୍ରେ ଆବେଦନ କରିବା ମାତ୍ରେ ତାହା ପ୍ରତି ରାଜ୍ୟର ପୁଲିସ୍ ବିଭାଗର ସାଇବର ସେଲ୍ ସହିତ ଯୋଡ଼ି ହୋଇଯାଉଛି। ଏହାଦ୍ୱାରା ତ୍ୱରିତ କାର୍ଯ୍ୟାନୁଷ୍ଠାନ ସମ୍ଭବ ହୋଇପାରୁଛି।