ପ୍ଲେଅଫ୍‍ରେ କଲକାତା

0

ହାଇଦରାବାଦ : ଆଇପିଏଲ୍‍-୧୧ରେ ୩ୟ ଦଳ ଭାବେ ପ୍ଲେଅଫ୍‍ରେ ପହଞ୍ଚିଛି କଲକାତା ନାଇଟ ରାଇଡର୍ସ (କେକେଆର୍‍)। ଶନିବାର ୨ୟ ମ୍ୟାଚ୍‍ରେ ସନ୍‍ରାଇଜର୍ସ ହାଇଦରାବାଦକୁ ୫ ୱିକେଟରେ ହରାଇ କେକେଆର୍‍ ଏହି କୃତିତ୍ୱ ହାସଲ କରିଛି। ଶିଖର ଧାୱନଙ୍କ ଅର୍ଦ୍ଧଶତକ ବଳରେ କେକେଆର୍‍ ୯ ୱିକେଟରେ ୧୭୨ ରନ୍‍ କରିଥିଲା। ପରେ କ୍ରିସ୍‍ ଲିନ୍‍ଙ୍କ ଅର୍ଦ୍ଧଶତକ ଓ ରବିନ୍‍ ଉଥପ୍ପାଙ୍କ ଉପଯୋଗୀ ଇନିଂସ ବଳରେ ୨ଟି ବଲ୍‍ ବାକିଥାଇ କଲକାତା ୫ ୱିକେଟ ହରାଇ ଜିତିଥିଲା। ପୂର୍ବରୁ ପ୍ଲେଅଫ୍‍ରେ ପହଞ୍ଚି ସାରିଥିବା ସନ୍‍ରାଇଜର୍ସ ୧୪ଶ ମ୍ୟାଚ୍‍ରେ ୫ମ ପରାଜୟ ପରେ ମଧ୍ୟ ଶୀର୍ଷରେ ରହିଛି। କେକେଆର୍‍ ୧୪ଶ ମ୍ୟାଚ୍‍ରେ ୮ମ ବିଜୟରୁ ୧୬ ପଏଣ୍ଟ ପାଇ ୩ୟ ସ୍ଥାନରେ ରହି ପ୍ଲେଅଫ୍‍ ଖେଳିବା ନିଶ୍ଚିତ କରିଛି। ଆଉ ମାତ୍ର ଗୋଟିଏ ପ୍ଲେଅଫ୍‍ ସ୍ଥାନ ବାକିରହିଛି।
କଲକାତା ନାଇଟ ରାଇଡର୍ସ ଦୃଢ଼ତାର ସହ ୧୭୩ ରନ୍‍ର ପିଛା ଆରମ୍ଭ କରିଥିଲା। ୨୨ ବଲ୍‍ରୁ ଓପ୍‍ନିଂ ଯୋଡ଼ି ୫୨ ରନ୍‍ କରିବା ପରେ ଓପ୍‍ନର ସୁନୀଲ ନାରାୟଣ ଆଉଟ ହୋଇଥିଲେ। ୱେଷ୍ଟଇଣ୍ଡିଜ୍‍ର ଏହି ବାମହାତି ୧୦ ବଲ୍‍ରୁ ୨ଟି ଛକା ଓ ୪ଟି ଚୌକା ସହ ୨୯ ରନ୍‍ କରିଥିଲେ। ପରେ କ୍ରିସ୍‍ ଲିନ୍‍ ଓ ରବିନ୍‍ ଉଥପ୍ପା ଆକ୍ରମଣାତ୍ମକ ବ୍ୟାଟିଂକରି ଆବଶ୍ୟକ ରନ୍‍ହାରଠାରୁ ଅଧିକ ଗତିରେ ସ୍କୋର୍‍ କରି ଚାଲିଥିଲେ। ୨ୟ ୱିକେଟ ପାଇଁ ଦୁହେଁ ୯.୩ ଓଭରରେ ୬୭ ରନ୍‍ ଯୋଡ଼ିବା ପରେ ଲିନ୍‍ ଆଉଟ ହୋଇଥିଲେ। ଏହି ଅଷ୍ଟ୍ରେଲୀୟ ୪୩ ବଲ୍‍ରୁ ୩ଟି ଛକା ଓ ୪ଟି ଚୌକା ସହ ୫୫ ରନ୍‍ କରିଥିଲେ। ୨୨ ବଲ୍‍ରୁ ୨୪ ରନ୍‍ ଆବଶ୍ୟକ ଥିବା ବେଳେ ଉଥପ୍ପା ୩୪ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୫ ରନ୍‍କରି ଆଉଟ ହୋଇଥିଲେ। ଆନ୍ଦ୍ରେ ରସେଲ ୪ ରନ୍‍କରି ବିଦାୟ ନେଇଥିଲେ। ପରେ ଅଧିନାୟକ ଦିନେଶ କାର୍ତ୍ତିକ ଦଳକୁ ବିଜୟଲକ୍ଷ୍ୟରେ ପହଞ୍ଚାଇଥିଲେ। କାର୍ତ୍ତିକ ୨୨ ବଲ୍‍ରୁ ୨୬ ରନ୍‍କରି ଅପରାଜିତ ଥିଲେ। ସିଦ୍ଧାର୍ଥ କୌଲ ଓ ବ୍ରାଥ୍‍ୱେଟ୍‍ ୨ଟି ଲେଖାଏଁ ୱିକେଟ ପାଇଥିଲେ। କ୍ରିସ୍‍ ଲିନ୍‍ ମ୍ୟାନ୍‍ ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।
ସନ୍‍ରାଇଜର୍ସ ହାଇଦରାବାଦ ଟସ୍‍ ଜିତି ବ୍ୟାଟିଂର ନିଷ୍ପତ୍ତି ନେବା ପରେ ଏହାର ଓପ୍‍ନିଂ ଯୋଡ଼ି ୯ମ ଓଭରରେ ୭୯ ରନ୍‍ର ଭାଗିଦାରୀ କରିଥିଲେ। ସନ୍‍ରାଇଜର୍ସ ଇନିଂସରେ ୨ଟି ପର୍ଯ୍ୟାୟ ଦେଖିବାକୁ ମିଳିଥିଲା। ୧୩ ଓଭରରେ ସନ୍‍ରାଇଜର୍ସ ମାତ୍ର ୨ଟି ୱିକେଟ ହରାଇ ୧୨୮ ରନ୍‍ କରିଥିବା ବେଳେ ଶେଷ ୭ ଓଭରରୁ ମାତ୍ର ୪୪ ରନ୍‍ ଯୋଗକରି ୭ଟି ୱିକେଟ ହରାଇଥିଲା। ୭୯ ରନ୍‍ର ଭାଗିଦାରୀ ପରେ ଚଳିତ ସଂସ୍କରଣରେ ପ୍ରଥମ ମ୍ୟାଚ୍‍ ଖେଳିଥିବା ଶ୍ରୀବତ୍ସ ଗୋସ୍ୱାମୀ ୨୬ ବଲ୍‍ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ଦ୍ରୁତ ୩୫ ରନ୍‍ କରିଥିଲେ। ପରେ ଅଧିନାୟକ କେନ୍‍ ୱିଲିୟମ୍‍ସନ୍‍ କ୍ରିଜ୍‍କୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତେବେ ୱିଲିୟମ୍‍ସନ୍‍ ମାତ୍ର ୪ ଓଭର କ୍ରିଜ୍‍ରେ ରହି ୨ୟ ୱିକେଟ ପାଇଁ ଶିଖର ଧାୱନଙ୍କ ସହ ୨୫ ବଲ୍‍ରୁ ୪୮ ରନ୍‍ ଯୋଗ କରିଥିଲେ। ୧୭ ବଲ୍‍ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୬ ରନ୍‍କରି ୱିଲିୟମ୍‍ସନ ଆଉଟ ହୋଇଥିଲେ। ୧୬ଶ ଓଭରରେ ଆଉଟ ହୋଇଥିବା ଶିଖର ଧାୱନ ୩୯ ବଲ୍‍ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୦ କରିଥିଲେ। ମନୀଷ ପାଣ୍ଡେ ଶେଷ ଓଭର ପର୍ଯ୍ୟନ୍ତ କ୍ରିଜ୍‍ରେ ଥିଲେ ହେଁ ଦ୍ରୁତ ରନ୍‍ ସ୍କୋର୍‍ କରି ପାରିନଥିଲେ। ପାଣ୍ଡେ ୨୨ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୫ ରନ୍‍ କରିଥିଲେ। ୟୁସୁଫ୍‍ ପଠାନ୍‍ (୨) ଓ କାର୍ଲୋସ ବ୍ରାଥ୍‍ୱେଟ୍‍ (୩) ବିଫଳ ହୋଇଥିବା ବେଳେ ସାକିବ୍‍ ଅଲ୍‍ ହାସନ୍‍ ୧୦ ରନ୍‍ କରିଥିଲେ। ମାତ୍ର ୪୫ ରନ୍‍ରେ ସନ୍‍ରାଇଜର୍ସ ଶେଷ ୮ଟି ୱିକେଟ ହରାଇଥିଲା। ପେସ୍‍ ବୋଲର ପ୍ରସିଦ୍ଧ କୃଷ୍ଣ ୪ଟି ୱିକେଟ ନେଇଥିଲେ।

Leave A Reply