ରାଜସ୍ଥାନଠାରୁ ହାରି ଆର୍‌ସିବି ବିଦା

0

ଜୟପୁର : ଆଇପିଏଲ୍‌-୧୧ରୁ ବିଦାୟ ନେଇଛି ବିରାଟ କୋହଲିଙ୍କ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)। ଶ୍ରେୟାସ ଗୋପାଳଙ୍କ ୪ ୱିକେଟ ଦଖଲ ଫଳରେ ରାଜସ୍ଥାନ ରୟାଲ୍‌ସ ୩୦ ରନ୍‌ରେ ଆର୍‌ସିବିକୁ ହରାଇ ଏହାର ଯାତ୍ରା ସମାପ୍ତ କରିଛି। ଓପ୍‌ନର ରାହୁଲ ତ୍ରିପାଠୀଙ୍କ ଅପରାଜିତ ୮୦ ରନ୍‌ ବଳରେ ପ୍ରଥମ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୫ ୱିକେଟ ହରାଇ ୧୬୪ ରନ୍‌ କରିଥିଲା। ପରେ ଏବି ଡି’ଭିଲିଅର୍ସଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ୪ଟି ବଲ୍‌ ବାକିଥାଇ ଆର୍‌ସିବି ୧୩୪ ରନ୍‌କରି ଅଲ୍‌ଆଉଟ ହୋଇ ଯାଇଥିଲା। ୧୪ଶ ମ୍ୟାଚ୍‌ରେ ୮ମ ପରାଜୟ ପରେ ଆର୍‌ସିବି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ୧୪ଶ ମ୍ୟାଚ୍‌ରେ ୭ମ ବିଜୟ ପରେ ରାଜସ୍ଥାନ ପ୍ଲେଅଫ୍‌ ଖେଳିବାର କ୍ଷୀଣ ଆଶା ବଜାୟ ରଖିଛି।
ସମ୍ମୁଖରେ ୧୬୫ ରନ୍‌ର ଲକ୍ଷ୍ୟ ଥିବା ବେଳେ ୨ୟ ଓଭରରେ ଆର୍ଚରଙ୍କୁ ୨ଟି ଛକାମାରି ପାର୍ଥିବ ପଟେଲ ତାଙ୍କର ତଥା ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୬୫ ରନ୍‌ ଲକ୍ଷ୍ୟକୁ ଜଲ୍‌ଦି ହାସଲକରି ନେଟ୍‌ ରନ୍‌ରେଟ୍‌ ବଢ଼ାଇବାକୁ ଚାହୁଁଥିଲା। ତେବେ ୩ୟ ଓଭରରେ ଅଧିନାୟକ ବିରାଟ କୋହଲି ୪ ରନ୍‌କରି ଗୌତମଙ୍କ ବଲ୍‌ରେ ବୋଲ୍‌ଡହେବା ଆର୍‌ସିବି ପାଇଁ ଶକ୍ତ ଧକ୍କା ଥିଲା। ତେବେ ଫର୍ମରେ ଥିବା ଏବି ଡି’ଭିଲିଅର୍ସ କ୍ରିଜ୍‌କୁ ଆସିବା ମାତ୍ରେ ଚମ୍ପିଆନ୍‌ଙ୍କ ପରି ବ୍ୟାଟିଂ କରିଥିଲେ ଏବଂ ବାଉଣ୍ଡରୀ ମାରି ଚାଲିଥିଲେ। ଅନ୍ୟ ପଟେ ପାର୍ଥିବ ପଟେଲ ମଧ୍ୟ ତାଳଦେଇ ଚମତ୍କାର ଷ୍ଟ୍ରୋକ୍‌ମାନ ଖେଳିଥିଲେ। ଫଳରେ ୨ୟ ୱିକେଟ ପାଇଁ ପାର୍ଥିବ-ଡି’ଭିଲିଅର୍ସ ୩୪ ବଲ୍‌ରୁ ୫୫ ରନ୍‌ ଯୋଗକରି ଦଳକୁ ବିଜୟ ଆଡ଼କୁ ନେଇ ଯାଉଥିଲେ। ହେଲେ ଏହିଠାରୁ ବିପର୍ଯ୍ୟୟ ଆରମ୍ଭ ହୋଇଥିଲା ଏବଂ ୩୩ ରନ୍‌ରେ ଆର୍‌ସିବି ୭ଟି ୱିକେଟ ହରାଇବା ପରେ ଏହାର ପରାଜୟ ନିଶ୍ଚିତ ହୋଇ ଯାଇଥିଲା। ରାଜସ୍ଥାନର ସ୍ପିନ୍‌ ଜାଲରେ ଛନ୍ଦି ହୋଇ ଯାଇଥିଲା ଆର୍‌ସିବି। ବାମହାତି ପାର୍ଥିବ ୨୧ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୩ ରନ୍‌କରି ଆଉଟ ହୋଇଥିଲେ। ପରେ ମୋଇନ୍‌ ଅଲୀ ୧ ଓ ମନଦୀପ ସିଂହ ୩ ରନ୍‌କରି ବିଦାୟ ନେଇଥିଲେ। ୮୫ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ କଲିନ୍‌ ଡି ଗ୍ରାଣ୍ଡହୋମ୍‌ ୨ ଓ ସର୍ଫରାଜ ଖାଁ ୭ ରନ୍‌କରି ବିଦାୟ ନେଇଥିଲେ। ତେବେ ନିର୍ଣ୍ଣାୟକ ହୋଇଥିଲା ଡି’ଭିଲିଅର୍ସଙ୍କ ୱିକେଟ। ୩୫ ବଲ୍‌ରୁ ୭ଟି ଚୌକା ସହ ଡି’ଭିଲିଅର୍ସ ୫୩ ରନ୍‌ କରିଥିଲେ। ଲେଗ୍‌ସ୍ପିନର ଶ୍ରେୟାସ ଗୋପାଳ ମାତ୍ର ୧୬ ରନ୍‌ଦେଇ ୪ଟି ଏବଂ ବେନ୍‌ ଲାଘ୍‌ଲିନ୍‌ ଓ ଜୟଦେବ ଉନାଦ୍‌କତ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଗୋପାଳ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ।
ରାଜସ୍ଥାନ ରୟାଲ୍‌ସ ଟସ୍‌ ଜିତି ବ୍ୟାଟିଂ ନେଇଥିଲା। ଇନିଂସରେ ଗୋଟିଏ ପଟେ ରାହୁଲ ତ୍ରିପାଠୀ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ। ଇନିଂସ ଓପନ୍‌ କରିଥିବା ଜୋଫ୍ରା ଆର୍ଚର ଖାତା ଖୋଲି ପାରିନଥିଲେ। ପରେ ରାହୁଲ ତ୍ରିପାଠୀ ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ ୨ୟ ୱିକେଟ ପାଇଁ ପରବର୍ତ୍ତୀ ୧୧.୩ ଓଭରରେ ୯୯ ରନ୍‌ର ଭାଗିଦାରୀ କରି ଇନିଂସକୁ ଦୃଢ଼ତା ଦେଇଥିଲେ। ଏହି ଭାଗିଦାରୀରେ ଆଶା ଅନୁସାରେ ରାହୁଲ ତ୍ରିପାଠୀ ହିଁ ପ୍ରାଧାନ୍ୟ ବିସ୍ତାର କରିଥିଲେ। ରାହାଣେ ୩୧ ବଲ୍‌ରୁ ୩ଟି ଚୌକା ସହ ୩୩ ରନ୍‌କରି ଆଉଟ ହୋଇ ଯାଇଥିଲେ। ସଞ୍ଜୁ ସାମ୍‌ସନ ଆସି ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ହେନ୍‌ରିଚ କ୍ଲାସେନ୍‌ ତାଙ୍କର ସର୍ବାଧିକ ଆଇପିଏଲ୍‌ ସ୍କୋର୍‌ କରି ପାରିଥିଲେ। ଦକ୍ଷିଣ ଆଫ୍ରିକାର ଏହି ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍‌ ୪ର୍ଥ ୱିକେଟ ପାଇଁ ରାହୁଲ ତ୍ରିପାଠୀଙ୍କ ସହ ୩୪ ବଲ୍‌ରୁ ୪୮ ରନ୍‌ ଯୋଗ କରିଥିଲେ। ଏହି ଭାଗିଦାରୀରେ କ୍ଲାସେନ୍‌ ପ୍ରାଧାନ୍ୟ ବିସ୍ତାର କରିଥିଲେ ଏବଂ ଇନିଂସର ଶେଷଆଡ଼କୁ ତ୍ରିପାଠୀ ଧିମେଇ ଯାଇଥିଲେ। କ୍ଲାସେନ୍‌ ୨୧ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୩୨ ରନ୍‌ କରିଥିଲେ। ଶେଷ ଓଭରରେ କୃଷ୍ଣପ୍ପା ଗୌତମ ଲାଗଲାଗ ୨ଟି ଛକାମାରି ୫ ବଲ୍‌ରୁ ୧୪ ରନ୍‌ କରିବାରୁ ରାଜସ୍ଥାନ ୧୬୪ ରନ୍‌ରେ ପହଞ୍ଚି ପାରିଥିଲା। ଚଳିତ ଆଇପିଏଲ୍‌ରେ କ୍ରମାଗତ ୧୦ଟି ମ୍ୟାଚ୍‌ରେ ବିଫଳ ହେବା ପରେ ଅର୍ଦ୍ଧଶତକ ମାରିଥିଲେ ରାହୁଲ ତ୍ରିପାଠୀ। ମହାରାଷ୍ଟ୍ରର ଏହି ଓପ୍‌ନର ୫୮ ବଲ୍‌ରୁ ୩ଟି ଛକା ଓ ୫ଟି ଚୌକା ସହ ୮୦ ରନ୍‌ କରିଥିଲେ। ଉମେଶ ଯାଦବ ୩ଟି ୱିକେଟ ନେଇଥିଲେ। ଜୋସ୍‌ ବଟ୍‌ଲର ଓ ବେନ୍‌ ଷ୍ଟୋକ୍‌ସଙ୍କ ଅନୁପସ୍ଥିତି ଯୋଗୁଁ ରାଜସ୍ଥାନର ବ୍ୟାଟିଂ ଦୁର୍ବଳ ହୋଇଥିଲା।

Leave A Reply