କେନ୍ଦ୍ର ସଚିବସ୍ତରରେ ବ୍ୟାପକ ଅଦଳ ବଦଳ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ସଚିବସ୍ତରରେ ବ୍ୟାପକ ଅଦଳ ବଦଳ କରାଯାଇଛି। କେନ୍ଦ୍ର ସରକାର ଶୁକ୍ରବାର ୨୪ ଆଇଏସ୍‌ ଅଧିକାରୀଙ୍କ ବିଭାଗ ଅଦଳ ବଦଳ କରିଛନ୍ତି । ୧୯୮୫ ବ୍ୟାଚ ଝାଡଖଣ୍ଡ କ୍ୟାଡର ଆଇଏଏସ ଅମିତ ଖରେଙ୍କୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ନିଯୁକ୍ତ କରାଯାଇଛି। ସୂଚନାଯୋଗ୍ୟ ବିହାରରେ ଘଟିଥିବା ୯୫୦ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତିକୁ ଅମିତ ଲୋକଲୋଚନକୁ ଆଣିଥିଲେ ଯାହାଫଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ଆଜି ଜେଲଦଣ୍ଡ ଭୋଗୁଛନ୍ତି। ଅପରପକ୍ଷରେ ଅନୁପ ୱାଧାବନଙ୍କୁ ବାଣିଜ୍ୟ ସଚିବ ପଦରେ ନିଯୁକ୍ତ କରାଯାଇଛି। ଜୁଲାଇ ୩୧ରେ ରୀତା ତିଓତିଆ ଏହି ପଦରୁ ଅବସର ନେବାପରେ ଅନୁପ ନୂତନ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ବିନୋୟ କୁମାରଙ୍କୁ ଇସ୍ପାତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଏହାସହ କୁମାର ଜୁଲାଇ ୩୧ ପର୍ଯ୍ୟନ୍ତ ବାଣିଜ୍ୟ ବିଭାଗର ଆଇନଗତ ବିଶେଷ ସଚିବ ପଦର ଅତିରିକ୍ତ ଦାୟିତ୍ୱ ରହିବ । ସେ ଅଗଷ୍ଟ ୩୧ରେ କାର୍ଯ୍ୟକାଳ ପୂରା କରୁଥିବା ଅରୁଣ ଶର୍ମାଙ୍କ ନିକଟରୁ ଇସ୍ପାତ ସଚିବ ଦାୟିତ୍ୱ ଗ୍ରହଣ କରିବେ । କେନ୍ଦ୍ରୀୟ ସତର୍କତା ଆୟୋଗ ସଚିବ ନୀଲମ ସାହାନିଙ୍କୁ ସାମାଜିକ ନ୍ୟାୟ ଏବଂ ଅଧିକାରିତା ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ପୁଷ୍ପା ସୁବ୍ରମଣ୍ୟମଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟର ନୂଆ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଦୀପକ ଖାଣ୍ଡେକରଙ୍କୁ ଆଦିବାସୀ ମନ୍ତ୍ରଣାଳୟର ସଚିବ, ଜିସି ମୁର୍ମୁଙ୍କୁ ରାଜସ୍ୱ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ଦିଅଯାଇଛି । ମୁର୍ମୁ ରାଜସ୍ୱ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପଦରେ ଥିଲେ । ଡଃ ଏମ.ଏମ.କୁଟ୍ଟିଙ୍କୁ ପେଟ୍ରୋଲିୟମ ସଚିବ, ଅତନୁ ଚକ୍ରବର୍ତ୍ତୀଙ୍କୁ ବିନିଯୋଗ ଓ ସାଧାରଣ ସମ୍ପତ୍ତି ପରିଚାଳନା ସଚିବ ଓ ରୀନା ରାୟଙ୍କୁ ବିଦ୍ୟାଳୟ ଶିକ୍ଷା ଓ ସାକ୍ଷର ସଚିବ ଭାବେ ନିଯୁକ୍ତ କରାଯାଇଛି।

Leave A Reply