ବୁଧବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କୁମାରସ୍ୱାମୀ

0

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଅଢେଇ ଦିନିଆ ବିଜେପି ସରକାର ଭାଙ୍ଗିଯିବା ପରେ ଏବେ କଂଗ୍ରେସ-ଜେଡିଏସ୍‌ ସରକାର ଗଠନ କରିବାକୁ ଯାଉଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଜେଡିଏସ୍‌-କଂଗ୍ରେସ ମେଣ୍ଟକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଛନ୍ତି । ପ୍ରଥମେ ସୋମବାର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି କୁହାଯାଉଥିଲା । ଏବେ ଏଥିରେ ପରିବର୍ତ୍ତନ କରାଯାଇ ବୁଧବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଅର୍ଥାତ ବୁଧବାର ଜେଡିଏସ୍‌ ନେତା ଏଚ.ଡି କୁମାରସ୍ୱାମୀ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରେ ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଟିଆରଏସ୍‌ ଅଧ୍ୟକ୍ଷ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଏନ. ଚନ୍ଦ୍ରବାବୁ ନାଇଡୁ,  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଟିଏମ୍‌ସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମେତ କଂଗ୍ରେସ, ଜେଡିଏସ୍‌ର ବରିଷ୍ଠ ନେତା, ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଯୋଗଦେବେ।  ଶନିବାର ରାଜ୍ୟପାଳଙ୍କ ସହ ସାକ୍ଷାତକାର ପରେ କୁମାରସ୍ୱାମୀ କହିଛନ୍ତି ଯେ ସେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ସୋନିଆ ଗାନ୍ଧିଙ୍କୁ ରବିବାର ସକାଳେ ଆମନ୍ତ୍ରଣ କରିବେ। ଏହାବାଦ୍ ସବୁ ଆଞ୍ଚଳିକ ନେତାଙ୍କୁ ବ୍ୟକ୍ତିଗତ ଭାବେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଫୋନ୍‌ କରିବେ । ଏହା ପୂର୍ବରୁ ମଇ ୧୭ରେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ତାଙ୍କୁ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ୧୫ ଦିନର ସମୟ ଦେଇଥିଲେ । ଏହା ବିରୋଧରେ କଂଗ୍ରେସ-ଜେଡିଏସ୍‌ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟ ବି.ଏସ୍‌. ୟେଦୁରପ୍ପାଙ୍କୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ପାଇଁ ମାତ୍ର ୨୮ ଘଣ୍ଟା ଅର୍ଥାତ ଶନିବାର ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ । ଏହି କ୍ରମରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହାସହ କର୍ଣ୍ଣାଟକର ଅଢେଇ ଦିନିଆ ବିଜେପି ସରକାରର ଅନ୍ତ ଘଟିଛି । ଇସ୍ତଫା ପୂର୍ବରୁ ୟେଦୁରପ୍ପା ବିଧାନସଭାରେ ଭାବବିହ୍ୱଳ ବକ୍ତବ୍ୟ ଦେଇ  କହିଛନ୍ତି, ଏହା ମୋର ଅଗ୍ନି ପରୀକ୍ଷା ଥିଲା। ରାଜ୍ୟବାସୀ ବିଜେପିକୁ ୧୦୪ ପରିବର୍ତ୍ତେ ୧୧୩ ଆସନରେ ବିଜୟ ପ୍ରଦାନ କରିଥିଲେ ରାଜ୍ୟକୁ ସେ ଏକ ସ୍ୱର୍ଗରେ ପରିଣତ କରିପାରି ଥାଆନ୍ତେ। ୟେଦୁରପ୍ପାଙ୍କ ଇସ୍ତଫା ପରେ ଜେଡିଏସ୍‌ ନେତା କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ ।

Leave A Reply