ପୁନଃ କାର୍ଯ୍ୟକ୍ଷମ ହେବ ନନ୍ଦନକାନନ ରୋପୱେ

0

ନନ୍ଦନକାନନ : ପରିବେଶ ପାଇଁ ଅଟକିଛି ନନ୍ଦନକାନନ ରୋପ୍ୱେ। ଏହାକୁ ପୁନଃ କାର୍ଯ୍ୟକ୍ଷମ ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଚଳିତ ମାସ ୧୮ ତାରିଖରେ ନନ୍ଦନକାନନ ହାଇସ୍କୁଲ ପରିସରରେ ଏ ନେଇ ଜନ ଶୁଣାଣି ହେବ।
ପ୍ରାଣୀ ଉଦ୍ୟାନରେ ରୋପୱେ କାର୍ଯ୍ୟକ୍ଷମ ହେଲେ ନନ୍ଦନକାନନର ଶୋଭା ବୃଦ୍ଧି ପାଇବା ସହିତ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିବ। ଏହାକୁ ଏକ ଆଦର୍ଶ ଚିଡିଆଖାନାରେ ପରିଣତ କରିବା ଲକ୍ଷ୍ୟନେଇ ସରକାର ୧୯୯୪ ମସିହାରେ ପ୍ରଥିମ କରି ନନ୍ଦନକାନନ-ବଟାନିକାଲ ଗାର୍ଡେନକୁ ରୋପୱେରେ ସଂଯୋଗ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଚ୍ଚନାୟକ ଏହାକୁ ଉଦ୍ଘାଟନ କରିଥିଲେ। ସେହିଦିନ ଠାରୁ ଏକ ଘରୋଇ ସଂସ୍ଥାକୁ ୨୫ ବର୍ଷିୟା ଲିଜରେ ଦାୟିତ୍ୱ ଦିଆଯାଇଥିଲା। ୨୦୧୧ ମସିହା ଜାନୁଆରୀ ମାସ ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ସୂଚାର ରୂପେ ରୋପୱେ ଚଳାଇ ଆସିଥିଲେ। ୨୦୧୦ ଅକ୍ଟୋବର ୨୪ ତାରିଖରେ ରୋପ ୱେ ହଠାତ୍ ଛିଡି ପଡିଥିଲା। ଫଳରେ ୧୩ଜଣ ପର୍ଯ୍ୟଟକ ପ୍ରାୟ ୪ ଘଣ୍ଟାକାଳ ନନ୍ଦନକାନନ କାଞ୍ଜିଆ ହ୍ରଦ ମଝିରେ ଝୁଲି ରହିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ପରେ କର୍ତ୍ତୃପକ୍ଷ ରୋପୱେକୁ ଅସୁରକ୍ଷିତ ଘୋଷଣା କରି କିଛିଦିନ ପାଇଁ ବନ୍ଦ ରଖିଥିଲେ। ପରବର୍ତ୍ତୀ ସମୟରେ କର୍ତ୍ତୃପକ୍ଷ ମରାମତି କଲାପରେ ୨୦୧୦ ଡିସେମ୍ବର ମାସରେ ପୁନଃ କାର୍ଯ୍ୟକ୍ଷମ କରିଥିଲେ। ହେଲେ କିଛିଦିନ ଠିକ୍ଠାକ୍ ଚାଲିବାପରେ ପୁଣିଥରେ ରୋପୱେରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ୨୦୧୧ ରୋପୱେକୁ ଯାଞ୍ଚକରି କର୍ତ୍ତୃପକ୍ଷ ପୁନର୍ବାର ଅସୁରକ୍ଷିତ ଘୋଷଣା କରିଥିଲେ। ଫଳରେ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇନପାରି ବନ୍ଦ ରହିଛି।
ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଥିବା ବେଳେ ରାଜସ୍ୱ ଉପରେ ପ୍ରଭାବ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୧୬ ଜୁଲାଇ ୨୯ତାରିଖରେ ରୋପୱେକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଟେଣ୍ଡର ଜରିଆରେ କଲକାତାର ଦାମୋଦର ରୋପ ୱେ ଆଣ୍ଡ ଇନ୍ଫ୍ରା ଲିମିଟେଡ୍ ନାମକ ଘରୋଇ ସଂସ୍ଥାକୁ ମନୋନୀତ କରିଥିଲେ। ଏନେଇ ସଂପୃକ୍ତ ସଂସ୍ଥା ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା; କିନ୍ତୁ ପରିବେଶ ମଞ୍ଜୁୁରୀ ପାଇଁ ଅଟକିଛି ରୋପୱେ। କେନ୍ଦ୍ରୀୟ ପରିବେଶ ପାଇଁ ରାଜ୍ୟ ସରକାର ଚଳିତ ମାସ ୧୮ ତାରିଖରେ ନନ୍ଦନକାନନ ହାଇସ୍କୁଲ ପରିସରରେ ଜନଶୁଣାଣି କରିବେ ବୋଲି ଜଣାପଡିଛି। ଏହି ଜନ ଶୁଣାଣିରେ ସ୍ଥାନୀୟ ଅଞ୍ଚଳବାସୀ ଯୋଗଦେଇ ନିଜ ନିଜର ମତ ରଖିବା ସହିତ ସମସ୍ତ ବିଭାଗର ପଦାଧିକାରୀ ସମେତ ଦାମୋଦର ରୋପୱେ ଆଣ୍ଡ ଇନ୍ଫ୍ରା ଲିମିଟେଡ ଅଧିକାରୀ ଯୋଗ ଦେବେ ବୋଲି ନନ୍ଦନକାନନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ନନ୍ଦନକାନନରେ ବାଘ, ସିଂହ, ଭାଲୁ ଓ ତୃଣ ଭୋଜି ସଫାରି ପୁନଃ କାର୍ଯ୍ୟକ୍ଷମ ପାଇଁ ଦୁଇଥର ଟେଣ୍ଡର ଡକାଯାଇଥିଲା, ହେଲେ ଚୁକ୍ତି ନାମାରେ ଅଟକିଛି ଚାରି ସଫାରୀ। ସେହିପରି ୨୦୧୪ ଅଗଷ୍ଟ ୨୦ତାରିଖ ଠାରୁ ବନ୍ଦ ହୋଇ ପଡିରହିଥିବା ଶିଶୁ ରେଳଗାଡି ପୁନଃ କାର୍ଯ୍ୟକ୍ଷମ ହେବାପାଇଁ ଜନଶୁଣାଣିରେ ଆଲୋଚନା କରାଯିବ କି ନାହିଁ ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି।

Leave A Reply