ଚଣ୍ଡିଗଡ଼ : ପଞ୍ଜାବ ପୁଲିସ ରବିବାର ପାକିସ୍ତାନ ଏବଂ ଜର୍ମାନୀସ୍ଥିତ ଖଲିସ୍ତାନ ଜିନ୍ଦାବାଦ ଫୋର୍ସ (କେଜେଡଏଫ) ସମ୍ପର୍କିତ ୪ ଜଣ ସନ୍ଦିଗ୍ଧଙ୍କୁ ଚୋହଲା ସାହିବ ଗ୍ରାମରୁ ଗିରଫ କରିଛି।
ପଞ୍ଜାବ ଡିଜିପି ଦିନାକର ଗୁପ୍ତା କହିଛନ୍ତି ଯେ ଗିରଫ ସନ୍ଦିଗ୍ଧଙ୍କ ନାମରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି। ସେମାନେ ପାକିସ୍ତାନ ଏବଂ ଜର୍ମାନୀସ୍ଥିତ କେଜେଡଏଫ ଆତଙ୍କବାଦୀ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ। ଏକ ଧଳା ମାରୁତି ସ୍ୱିଫ୍ଟ କାର ଯୋଗେ ସେମାନେ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ନେଇ କେଉଁଆଡେ ଯାଉଥିବାବେଳେ ପୁଲିସ୍ ହାତରେ ଧରାପଡିଥିଲେ। ସେମାନଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ବନ୍ଧୁକ, ସାଟେଲାଇଟ ଫୋନ, ହାତ ଗ୍ରେନେଡ ଜବତ କରାଯାଇଛି। ପାକିସ୍ତାନ ଆଇଏସଆଇ ଦ୍ୱାରା ପରିଚାଳିତ ଖଲିସ୍ତାନ ଆତଙ୍କବାଦୀ ଗୋଷ୍ଠୀ ଏହି ସବୁ ଅସ୍ତ୍ରଶସ୍ତ୍ର ସନ୍ଦିଗ୍ଧଙ୍କୁ ଦେଇଥିବା ସନ୍ଦେହ କରାଯାଉଛି। ଏହି ଅସ୍ତ୍ରଶସ୍ତ୍ର ଡ୍ରୋନ ଯୋଗେ ସୀମାପାରରୁ ଆସୁଛି। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦ୍ର ସରକାର ବାୟୁ ସେନା ଏବଂ ବିଏସଏଫକୁ ନିର୍ଦେଶ ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି।



