ନିଆରା ଲୋକନୃତ୍ୟ ଗଭରୀ; ୪୦ ଦିନ ଯାଏଁ ସ୍ନାନ କରନ୍ତି ନାହିଁ କଳାକାର

0

ଯଦି ଆପଣଙ୍କୁ ଗୋଟିଏ ଦିନ ସ୍ନାନ ନକରିବାକୁ କୁହାଯିବ, ତେବେ କିପରି ଅନୁଭବ କରିବେ । ହୁଏତ ଅସହଜ ମନେ କରି ପାରନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ​‌ ଦେଶରେ ଏଭଳି ଏକ ସମ୍ପ୍ରଦାୟର ଲୋକ ଅଛନ୍ତି, ଯେଉଁମାନେ ଏକ ପୂଜାର୍ଚ୍ଚନା ପାଇଁ ୪୦ ଦିନ ସ୍ନାନ କରନ୍ତି ନାହିଁ । କେବଳ ସେତିକି ନୁହେଁ ଦିନକୁ ଏକ ଓଳି ଭୋଜନ କରନ୍ତି ।

ରାଜସ୍ଥାନର ଭୀଲୱାଡାରେ ଏହି ପର୍ବ ଅନୁଷ୍ଠିତ ହୁଏ । ଭୀଲୱାଡାର ଭୀଲ ସମ୍ପ୍ରଦାୟର ଲୋକେ ଗୌରଜ୍ୟା ମାତା (ମାତା ଗୌରୀ)ଙ୍କ ସ୍ଥାପନା କରନ୍ତି । ଏହି ଅବସରରେ ଗଭରୀ ଲୋକନୃତ୍ୟ ପରିବେଷଣ କରିବାର ପରମ୍ପରା ରହିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଏହି ଲୋକନୃତ୍ୟରେ ପ୍ରାୟ ୧୫୦ କଳାକାର ସାମିଲ ହୁଅନ୍ତି । ଏଥିରେ ସାମିଲ ହୋଇଥିବା ସମସ୍ତ କଳାକାରମାନେ କଡା ନୀତି ନିୟମ ମଧ୍ୟରେ ରହିଥାଆନ୍ତି । ସେମାନେ ୪୦ ଦିନ ପର୍ଯ୍ୟନ୍ତ ସ୍ନାନ କରନ୍ତି ନାହିଁ । ଏହା ସହ ଆମିଷ ଓ ନିଶାଦ୍ରବ୍ୟ ସେବନ କରନ୍ତି ନାହିଁ । ଦିନରେ କେବଳ ଗୋଟିଏ ଓଳି ଭୋଜନ ଗ୍ରହଣ କରିଥାଆନ୍ତି । ୪୦ ଦିନ ପର୍ଯ୍ୟନ୍ତ ଖାଲି ପାଦରେ ବୁଲିବା ସହ ଘରକୁ ଯାଆନ୍ତି ନାହିଁ । ମନ୍ଦିରରେ ରୁହନ୍ତି ଏବଂ ଚଟାଣରେ ଶୁଅନ୍ତି । ଏଥିରେ କେବଳ ପୁରୁଷ କଳାକାର ସାମିଲ ହୋଇଥାଆନ୍ତି । ସେମାନଙ୍କ ମଧ୍ୟରୁ କେତେକ ପୁରୁଷ ମହିଳାଙ୍କ ବେଶରେ ନୃତ୍ୟ ପରିବେଷଣ କରିଥାଆନ୍ତି । ୪୦ ଦିନ ପରେ ରାଜକୀୟ ଶୋଭାଯାତ୍ରାରେ ମାତାଙ୍କ ବିସର୍ଜନ କରାଯାଏ ।

ମାନ୍ୟତା ଅନୁଯାୟୀ, ଗୌରଜ୍ୟା ମାତାଙ୍କ ପୂଜା କରିବା ଦ୍ବାରା କଳି-ଝଗଡା ହୁଏ ନାହିଁ । ଆୟୋଜକଙ୍କ କହିବା ଅନୁଯାୟୀ, ଗୌରଜ୍ୟା ମାତା ପାର୍ବତୀଙ୍କ ଭଉଣୀ । ଗୌରଜ୍ୟା ମାତା ପାର୍ବତୀଙ୍କୁ ଭେଟିବା ପାଇଁ କୈଳାଶ ପର୍ବତକୁ ଆସନ୍ତି । ଏହି ଘଟଣାକୁ ସାର୍ବଜନୀନ କରିବା ପାଇଁ ମେୱାଡରେ କେତେକ ସ୍ଥାନରେ ଗଭରୀ ନୃତ୍ୟର ଆୟୋଜନ କରାଯାଏ । ବିଶ୍ବାସ ରହିଛି ଯେ, ଗୌରଜ୍ୟା ମାତା ଶ୍ରଦ୍ଧାଳୁଙ୍କ ଦୁଃଖ ଦୁର୍ଦଶା ଦୂର କରନ୍ତି ।

Leave A Reply