ମୋଦୀଙ୍କୁ ଭେଟିଲେ ମମତା :ଋଣଛାଡ଼, ରାଜ୍ୟ ନାମ ପରିବର୍ତ୍ତନ ଲାଗି ଲୋଡ଼ିଲେ ସହଯୋଗ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଥିବା ଭେଟ ପରେ ମମତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାଜ୍ୟ ଋଣଭାରରେ ବୁଡି ରହିଥିବାରୁ କେନ୍ଦ୍ର ସରକାର ଋଣଛାଡ଼ ଲାଗି ପଶ୍ଚିମବଙ୍ଗୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମମତା ଅନୁରୋଧ କରିଥିବା ଜଣାପଡିଛି। କେବଳ ସେତିକି ନୁହେଁ; ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ କରିବା ଲାଗି ପୂର୍ବରୁ ବିଧାନସଭାରେ ବିଧେୟକ ଗୃହୀତ ହୋଇଥିବାରୁ ଏହାକୁ କେନ୍ଦ୍ରରେ ସ୍ବୀକୃତି ଦେବାକୁ ମମତା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅନୁରୋଧ କରିଛନ୍ତି। ପଶ୍ଚିମବଙ୍ଗର ନାମକୁ ‘ବାଂଲା’ ରେ ପରବର୍ତ୍ତନ କରିବା ଲାଗି ମମତା ପୂର୍ବରୁ ଘୋଷଣା କରି ଏନେଇ ନିଷ୍ପତ୍ତି ଓ ବିଧାନସଭାର ଅନୁମୋଦନ ଲାଭ କରିସାରିଛନ୍ତି।
ବୁଧବାର ଉଭୟଙ୍କ ମଧ୍ୟରେ ବହୁଚର୍ଚ୍ଚିତ ଭେଟଘାଟକୁ ନେଇ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଥିଲା। ତେବେ ‘ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ ଏକ ସାମ୍ବିଧାନିକ ସୌଜନ୍ୟତା ଓ ଏହା ସମ୍ପୂର୍ଣ୍ଣ ଭାବେ ରାଜନୀତିରହିତ ଥିଲା। ପଶ୍ଚିମବଙ୍ଗର ନାମ ପରିବର୍ତ୍ତନ ଓ ରାଜ୍ୟର ବିକାଶ ପ୍ରସଙ୍ଗରେ ଆମ ମଧ୍ୟରେ ଆଲୋଚନା ହୋଇଥିଲା। ରାଜ୍ୟର ନାମ ‘ବାଂଲା’ ରଖିବା ସମ୍ପର୍କରେ କିଛି କରିବେ ବୋଲି ମୋଦୀ ସମ୍ମତି ଦେଇଛନ୍ତି। ରାଜ୍ୟର ଅର୍ଥନୈତିକ ବିକାଶ ସମ୍ପର୍କରେ ମଧ୍ୟ ଆମେ କଥା ହୋଇଥିଲୁ। ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଆଲୋଚନା ହୋଇଥିଲା। ସାକ୍ଷାତ ସମ୍ପୂର୍ଣ୍ଣ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ଏହା ଦ୍ବାରା କେନ୍ଦ୍ର ସରକାରଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ ହୋଇପାରିଛି। ମୁଁ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ଗାପୂଜା ଅବସରରେ କଲକାତା ଆସିବା ପାଇଁ ନିମନ୍ତ୍ରଣ କରିଛି’ ବୋଲି ଗଣମାଧ୍ୟମକୁ ବୈଠକ ପରେ କହିଛନ୍ତି ମମତା।
ଲୋକସଭା ନିର୍ବାଚନ ସମୟରୁ ମମତା ଓ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସାକ୍ଷାତ ହୋଇ ନାହିଁ। ମୋଦୀଙ୍କ ଶପଥଗ୍ରହଣ ଉତ୍ସବକୁ ମଧ୍ୟ ମମତା ଆସି ନ ଥିଲେ। ନିର୍ବାଚନ ସମୟରେ ମମତାଙ୍କ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଆରମ୍ଭ ହୋଇଥିବା ତୀବ୍ର ଶତ୍ରୁତା ଅଦ୍ୟାବଧି ବଜାୟ ରହିଛି। ଉଭୟ ପରସ୍ପରକୁ ତୀବ୍ର ସମାଲୋଚନା କରିଆସିଛନ୍ତି। ଏମିତି କି ଦୁଇ ଦଳର ସମ୍ପର୍କ ରକ୍ତରଞ୍ଜିତ ହୋଇଛି। ଅପରପକ୍ଷରେ ଶାରଦା ଚିଟ୍ଫଣ୍ଡ ଦୁର୍ନୀତିକୁ ନେଇ ଅକଳରେ ପଡ଼ିଛନ୍ତି ମମତା। ଏହି ପରିପ୍ରେକ୍ଷୀରେ ସେ ମୋଦୀଙ୍କୁ ଭେଟିବା ପଛରେ ବଡ଼ ରାଜନୀତି ଥାଇପାରେ ବୋଲି ଆଲୋଚନା ହେଉଥିଲେ ମଧ୍ୟ ମମତା ଏହାକୁ ଅସ୍ବୀକାର କରିଛନ୍ତି। ଏନ୍ଆରସି ପ୍ରସଙ୍ଗରେ ମମତା କହିଛନ୍ତି ଯେ ତାଙ୍କ ସରକାରଙ୍କ ପକ୍ଷରୁ ପଶ୍ଚିମବଙ୍ଗରେ ଏହାର ପ୍ରବର୍ତ୍ତନ ନେଇ କୌଣସି ପ୍ରସ୍ତାବ ନାହିଁ। ମୋଦୀଙ୍କ ପରେ ମମତା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।
ମୋଦୀଙ୍କୁ ଭେଟିବା ପାଇଁ ମମତା ମଙ୍ଗଳବାରଠାରୁ ଦିଲ୍ଲୀରେ ପହଞ୍ଚିଥିଲେ। ସିବିଆଇ କବଳରୁ ନିଜର ଅତି ବିଶ୍ବସ୍ତ ଅଫିସର ରାଜୀବ କୁମାରଙ୍କୁ ରକ୍ଷା କରିବା ପାଇଁ ସେ ମୋଦୀଙ୍କୁ ସାକ୍ଷାତ କରୁଥିବା ଓ ଏହା ମମତାଙ୍କ ‘କୁଲିଂ ମିଶନ୍’ (କ୍ରୋଧୀ ମମତାଙ୍କ ଶୀତଳ ଅଭିଯାନ) ବୋଲି ବିଜେପି ପକ୍ଷରୁ କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ମୋଦୀ ଓ ମମତାଙ୍କ ମଧ୍ୟରେ ୨୦୧୮ ମଇରେ ଶାନ୍ତିନିକେତନ ଉତ୍ସବରେ ଶେଷ ସାକ୍ଷାତ ହୋଇଥିଲା।