ଦଲାଲଙ୍କ କବଜାରେ ସମ୍ବଲପୁର ଆରଟିଓ କାର୍ଯ୍ୟାଳୟ

0

ସମ୍ବଲପୁର : ନୂତନ ମୋଟରଯାନ ନିୟମକୁ ରାଜ୍ୟରେ ପରିବହନ ଓ ପୁଲିସ ପ୍ରଶାସନ କଡା କରି ଲାଗୁ କରିବା ପରେ ଏବେ ସମସ୍ତଙ୍କର ମନରେ ଛନକା ପଶିଯାଇଛି। ରାଜ୍ୟ ପୁଲିସ ସବୁ ଏକ ପ୍ରକାରରେ କାମ ଧନ୍ଦା ଛାଡି ଯାନବାହାନ ଚେକିଂ କରି ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଆଦାୟ କରିବାରେ ବ୍ୟସ୍ତ। ଏଣୁ ରାଜ୍ୟ ସରକାର ଜନଅସନ୍ତୋଷକୁ ଧ୍ୟାନରେ ରଖି ଏହି ନିୟମକୁ ତିନି ମାସ ପାଇଁ କୋହଳ କରିବା ସହିତ ଏହି ସମୟ ମଧ୍ୟରେ ସମସ୍ତ ଯାନବାହାନ ଓ ଚାଳକ ମାନଙ୍କର କାଗଜପତ୍ର ଠିକ କରିନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏଣୁ ଏବେ ଲୋକେ କାମଧନ୍ଦା ଛାଡି ହଜାର ହଜାର ଟଙ୍କା ଜରିମାନ ତଣ୍ଡ ଗଣିବା ଅପେକ୍ଷା ସବୁ କାଗଜପତ୍ର ଗୁଡିକୁ ଠିକ କରିନେବା ପାଇଁ ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ସକାଳୁ ରାତି ଯାଏ ପଡିରହୁଛନ୍ତି। ତେବେ ରାଜ୍ୟର ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଚାଲି ଆସୁଥିବା ଦଲାଲ ରାଜରୁ ସମ୍ବଲପୁର ଆରଟିଓ କାର୍ଯ୍ୟାଳୟ ଅଛୁଆଁ ନୁହେଁ। ଲୋକେ ପ୍ରାଣ ବିକଳରେ ସମ୍ବଲପୁର ଆରଟିଓ କାର୍ଯ୍ୟାଳୟକୁ ଧାଉଁ ଥିବା ବେଳେ କାର୍ଯ୍ୟାଳୟରେ ଚାଲି ଆସୁଥିବା ଦଲାଲପ୍ରେମୀ ବ୍ୟବସ୍ଥା ଦ୍ୱାରା ବହୁ ହଇରାଣ ହରକତ ହେବା ପରେ ଘୂରି ଘୂରି ଦଲାଲଙ୍କ ନିକଟକୁ ଯିବା ପାଇଁ ବାଧ୍ୟ ହେଉଛନ୍ତି।

prayash

ସରକାରଙ୍କ ତରଫରୁ ମାଗଣାରେ ପରିବହନର ବିଭିନ୍ନ ସେବା ପାଇଁ ଆବେଦନପତ୍ର ଗୁଡିକ ପ୍ରଦାନ କରାଯାଇଥାଏ। କିନ୍ତୁ କୌଣସି ଆବେଦନ ଫର୍ମ ମାଗିଲେ ଏକ ନିର୍ଦ୍ଦିଷ୍ଟ ଦୋକାନରେ ଏହା ମିଳିବ ବୋଲି ଉତ୍ତର ମିଳୁଛି। ସରକାର ଲୋକଙ୍କ ମାନଙ୍କ ପାଇଁ କୌଣସି ସହାୟତା କେନ୍ଦ୍ର ଖୋଲି ନ ଥିବା କିନ୍ତୁ କାର୍ଯ୍ୟାଳୟ ପରିସର ମଧ୍ୟରେ ଦଲାଲ ମାନେ ଛାଉଣି କରି ସେମାନଙ୍କ ଟେବୁଲ, ଚୌକି, ଲାପଟପ ଆଦି ଲଗାଇ ସେମାନଙ୍କ କାର୍ଯ୍ୟାଳୟ ଚଳାଇ ଆସୁଛନ୍ତି। ବ୍ୟବସ୍ଥାରେ ତ୍ରୃଟି ହେଉ କି ସରକାରୀ କର୍ମଚାରୀଙ୍କ ଦଲାଲ ପ୍ରେମ ହେଉ, ଲୋକେ ଶେଷରେ ବାଧ୍ୟ ହୋଇ ସରକାରୀ ଫିସରୁ ପ୍ରାୟ ୪ ଗୁଣା ଦେଇ ଡ୍ରାଇଭିଂ ଲାଇସେନ୍ସ, ଗାଡିର ପଞ୍ଜିକରଣ ନବୀକରଣ ଆଦି କାର୍ଯ୍ୟ କରାଇବା ପାଇଁ ବାଧ୍ୟ ହେଉଛନ୍ତି।

ଏ ସର୍ମ୍ପକରେ ଜଣେ ଦଲାଲ  କହିଛନ୍ତି , ଆମର ଏହା ରୋଜଗାରର ଏକମାତ୍ର ପନ୍ଥା ଅଟେ। ଚାକିରୀ ନ ପାଇବାରୁ ବାଧ୍ୟ ହୋଇ ଆମେ ମାନେ ସେ ସମୟରେ ଏହି କାର୍ଯ୍ୟ କରିବା ପାଇଁ ବାଧ୍ୟ ହୋଇଥିଲୁ। ଏବେ ଏହି ପରିଣତ ବୟସରେ ଆଉ କିଛି କରିବାର କୌଣସି ବାଟ ନାହିଁ। ସିଷ୍ଟମରେ ତଳୁ ଉପରକୁ ସମସ୍ତଙ୍କର ପୂର୍ବରୁ ଫିକ୍ସଡ ହୋଇ ରହିଛି। ଯାହାକୁ ଶିଘ୍ର ଦରକାର ତାକୁ ବେଶି ଖର୍ଚ୍ଚ କରିବାକୁ ପଡିବ। ତେବେ ଏତେ ଟଙ୍କା ନେବାକୁ ଆମକୁ ମଧ୍ୟ ଖରାପ ଲାଗୁଛି, କିନ୍ତୁ ଆମେ କିଛି କରିପାରୁ ନାହୁଁ। ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଲାଗି ରହୁଥିବା ପ୍ରବଳ ଭିଡକୁ ଦେଖି ସରକାର ଛୁଟି ଦିନରେ କାର୍ଯ୍ୟାଳୟ ଖୋଲା ରଖିବା, ଲାଇସେନ୍ସ ନବୀକରଣ ପାଇଁ ପାଇଁ ଅଧିକ ସ୍ଲଟ ପ୍ରଦାନ ଆଦି ବିଭିନ୍ନ ଜନତା ସୁବିଧା କରିଥିବା ବେଳେ କିନ୍ତୁ ଦଲାଲରାଜରୁ ମୁକ୍ତ କରିବା ପାଇଁ କେହି ଆନ୍ତରିକତା ଦେଖାଉ ନାହାନ୍ତି। ଯାହା ଦ୍ୱାରା ସାଧାରଣ ଜନତା ବ୍ୟାପକ ଲୁଟର ଶିକାର ହେଉଛନ୍ତି। ଏଣୁ ସରକାର ତଥା ସରକାରୀ କର୍ମଚାରୀ ମାନେ ଜନତାର ଉଚିତ ସୁବିଧା କରି ଦଲାଲ ପ୍ରେମରୁ ବିରତ ରହି କାର୍ଯ୍ୟ କରନ୍ତୁ ବୋଲି ସାଧାରଣରେ ଦାବୀ ଉଠୁଛି।

kalyan agarbati
Leave A Reply