ବିଦ୍ୟୁତ ଆଘାତରେ ଜଣେ ମୃତ, ୧ ଗୁରୁତର
ବେଲପଡା: ବଲାଙ୍ଗୀର ଜିଲା ବେଲପଡା ଥାନା ଅନ୍ତର୍ଗତ ପର୍ଲିମାଲ ଗାଁରେ ବାରହା ଶିକାର କରିବା ପାଇଁ ବେଆଇନ ଭାବେ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ସୂଚନା ଅନୁଯାୟୀ, ପର୍ଲିମାଲ ଗାଁର ଲକ୍ଷିଦ୍ର ବରିହାଙ୍କ ସାନପୁଅ ବେଣୁ ବରିହା ଏବଂ ବଡପୁଅ ମନୁ ବରିହାଙ୍କ ସହ ତାଙ୍କ ଜ୍ୱାଇଁ ମିଶି ସନ୍ଧ୍ୟା ସମୟରେ ନିଜ ସର୍ମ୍ପକୀୟ ଘର ଡୁମେରବାହାଲକୁ ପାଦଚଲା ରାସ୍ତାରେ ଯାଉଥିଲେ । ଚିତକେଲ ଯୋର ନିକଟରେ ବାରହା ମାରିବା ପାଇଁ କପା କିଆରିରେ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଘଟଣା ସ୍ଥଳରେ ସାନ ପୁଅ ବେଣୁ ବରିହାଙ୍କ ମୃତ୍ୟୁ ହୋଇଥିବା ବେଲେ ବଡ ପୁଅ ମନୁ ବରିହା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ମନୁବରିହାକୁ ଉଦ୍ଧାର କରାଯାଇ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୀର୍ଘଦିନ ହେବ ବେଆଇନ ଭାବେ ବିଦ୍ୟୁତ ତାର ସାହାଯ୍ୟରେ ଜଙ୍ଗଲରେ ବସବାସ କରୁଥିବା ପଶୁମାନଙ୍କୁ ଶିକାର କାରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଯାହା ଫଳରେ ନିରିହ ଲୋକଙ୍କ ଜୀବନ ଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।